23 May 2017
5:58:24 PM
image
Sambad News
ଭଦ୍ରକ

ଅଣଚାଷୀଙ୍କୁ ଚିନାବାଦାମ ବିହନ କିଟ୍‌ ଯୋଗାଣକୁ ବିରୋଧ

By Sambad | Date: Dec 29 2016 11:05AM
ଅଣଚାଷୀଙ୍କୁ ଚିନାବାଦାମ ବିହନ କିଟ୍‌ ଯୋଗାଣକୁ ବିରୋଧ

ଭଣ୍ଡାରିପୋଖରୀ: ଅଣଚାଷୀଙ୍କୁ ଚିନାବାଦାମ ବିହନ ଯୋଗାଣକୁ ଚାଷୀମାନେ ବିରୋଧ କରିଛନ୍ତି। ଭଣ୍ଡାରିପୋଖରୀ ବ୍ଲକର ଚିନାବାଦାମ ଚାଷ ଅଞ୍ଚଳ ଷୋଳମପୁର ପଞ୍ଚାୟତର ଷୋଳମପୁର ଓ ବରାହନୂଆପଡ଼ା ଗ୍ରାମ ସହ ମାଳଦା ପଞ୍ଚାୟତର ରଘୁନାଥପୁର ଗ୍ରାମର କେତେକ ଅଣଚାଷୀଙ୍କୁ ବ୍ଲକ କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ତାଲିକା ଅନୁଯାୟୀ ବିହନ କିଟ୍‌ ଯୋଗାଣକୁ ବିରୋଧ କରାଯାଇ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚଥିବା ଚିନାବାଦାମ ଚାଷ ପାଇଁ ସରକାର ବିହନ କିଟ୍‌ ଯୋଗାଇବାକୁ ନିଷ୍ପତ୍ତି ନେଇ ଚାଷୀ ପିଛା ୧୮କିଲୋ ମାଗଣା ଚିନାବାଦାମ ବିହନ ଯୋଗାଣ କରାଯାଇଛି।

କେବଳ ବିକ୍ରୟ ହେବା ଯୋଗ୍ୟ ଏହି ଚିନାବାଦାମ ବିହନ ଯୋଗାଣ ପାଇଁ ବ୍ଳକ କୃଷି ବିଭାଗ ପକ୍ଷରୁ ଗ୍ରାମ କୃଷି କର୍ମଚାରୀ ଅତିଥି ବିଶ୍ୱାଳ ଷୋଳମପୁର ପଞ୍ଚାୟତର ଷୋଳମପୁର ଓ ବରାହନୂଆପଡ଼ା ଗ୍ରାମର ୨୦୦ଚାଷୀଙ୍କ ତୃଟିପୂର୍ଣ୍ଣ ତାଲିକା କରିଥିବା ଅଭିଯୋଗ କରି ଷୋଳମପୁର ଗ୍ରାମବାସୀମାନେ ଗତକାଲି ବିରୋଧ କରିଥିଲେ। ଏହି ମାଗଣା ୧୮କିଲୋ ବିହନ ଦର କିଲୋ ପିଛା ୭୦ରୁ ୮୦ଟଙ୍କା ଥିବାରୁ ଲୋଭର ବଶବର୍ତ୍ତୀ ହୋଇ କେତେକ ଦଲାଲ କୃଷି କର୍ମଚାରୀଙ୍କ ସହ ହାତ ମିଳାଇ ପ୍ରସ୍ତୁତ କରିଥିବା ତାଲିକାରେ ମୃତ ବ୍ୟକ୍ତି, ଗ୍ରାମ ବାହାରର ବ୍ୟକ୍ତି ଓ ଅଣଚାଷୀମାନେ ଥିବା ନେଇ ଗ୍ରାମବାସୀ ଦୃଢ଼ ପ୍ରତିବାଦ କରିବାରୁ କର୍ମଚାରୀ ଶ୍ରୀବିଶ୍ୱାଳ ତାଲିକାକୁ ବାତିଲ କରିଦେଇଥିଲେ।

ସଠିକ୍‌ ତାଲିକା ପ୍ରସ୍ତୁତ କରା ନ ଗଲେ ଗ୍ରାମବାସୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ବ୍ଲକ ସହକାରୀ କୃଷି ଅଧିକାରୀ ଏଥିପାଇଁ ସଂପୃକ୍ତ କର୍ମଚାରୀଙ୍କୁ ଦାୟୀ କରିଛନ୍ତି।

image