28 May 2017
5:58:55 PM
image
Sambad News
ରାଜ୍ୟ

ଜାନକୀବଲ୍ଲଭ ଥିଲେ ପ୍ରଜ୍ଞାପୁରୁଷ: ନିରଞ୍ଜନ

By Sambad | Date: Jan 5 2017 2:06AM
ଜାନକୀବଲ୍ଲଭ ଥିଲେ ପ୍ରଜ୍ଞାପୁରୁଷ: ନିରଞ୍ଜନ

ଭଦ୍ରକ : ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ଜଣେ ସାରସ୍ୱତ ସ୍ରଷ୍ଟା। ସେ ଥିଲେ ଏକାଧାରରେ ଜଣେ ପ୍ରଜ୍ଞାପୁରୁଷ ଓ ପ୍ରବୀଣ ରାଜନୀତିଜ୍ଞ। ଜଣେ ସଂସ୍କୃତ ବିଦ୍ଵାନ ଓ ସଫଳ ସାମ୍ବାଦିକ ଭାବେ ଓଡ଼ିଶାରେ ପରିଚିତ ଥିଲେ। ତାଙ୍କ ନିଜର ସୃଷ୍ଟି ପୌରୁଷ ପତ୍ରିକା ତାଙ୍କୁ ଘରେ ଘରେ ପରିଚିତ କରିଛି। ରାମୟଣ, ମହାଭାରତ ଓ ଶ୍ରୀମଦ୍‌ ଭଗବତ ଗୀତାର ଗଦ୍ୟ ଅନୁବାଦ କରି ସେ ଓଡ଼ିଆ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତିା

ଭଦ୍ରକର ସହିଦ୍‌ ସ୍ମୃତି ଭବନରେ ଗତକାଲି ସଂଧ୍ୟାରେ ଆୟୋଜିତ ଉତ୍କଳ ରତ୍ନ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଓ ସ୍ମରଣିକା ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ। କହିଥିଲେ;  ସ୍ୱର୍ଗତ ଜାନକୀବଲ୍ଲଭ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମ ରାଜ୍ୟର ପୂର୍ବତନ ରାଜ୍ୟପାଳ ଓ ଭାରତ ବର୍ଷର ରାଜନୀତିରେ ଯେତିକି ପରିଚିତ ଥିଲେ, ତା’ଠାରୁ ଅଧିକ ପରିଚିତ ଥିଲେ ଜଣେ ସଫଳ ସାହିତ୍ୟିକ ଭାବେ। ଜାନକୀବଲ୍ଲଭଙ୍କୁ ବାଦ ଦେଇ ଓଡ଼ିଆ ସାହିତ୍ୟ ଓ ଓଡ଼ିଶା ରାଜନୀତିର ଇତିହାସ ଲେଖାଯାଇ ନପାରେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ସ୍ୱର୍ଗତ ଜାନକୀବଲ୍ଲଭଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଂକଳିତ ସ୍ମରଣିକା ‘ପୌରୁଷମ୍‌’  ଉନ୍ମୋଚନ କରାଯାଇଥିଲା।  ଏଥିସହ ଜାନକୀବଲ୍ଲଭଙ୍କ ସ୍ମୃତିରେ ଡାକ ଟିକଟ ମଧ୍ୟ ଉନ୍ମୋଚନ ହୋଇଥିଲା। 

 
ଜୟନ୍ତୀ କମିଟିର ସଭାପତି ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ,  ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମାଲ  ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଥିଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ ଓ ସମ୍ମାନିତ ବକ୍ତା ଥିଲେ ସ୍ତମ୍ଭକାର  ଡ. ଗୋବିନ୍ଦ ଭୂୟାଁ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ନରେନ ପଲେଇ, ପଞ୍ଚାନନ ମଣ୍ଡଳ, ସ୍ମରଣିକା କମିଟି ମୁଖ୍ୟ ସଂପାଦକ ପ୍ରଫେସର ଡ. ସନାତନ ମହାନ୍ତି, ନାଟ୍ୟକାର ସୁଧାକର ନନ୍ଦ, ଆଇନଜୀବୀ ଦିବ୍ୟସିଂହ ନାୟକ, ସମାଜସେବୀ ଏସଏମ ଫାରୁକ, ପ୍ରଫେସର ଡ. ଶଶଧର ଦାସ ପ୍ରମୁଖ ଜାନକୀବଲ୍ଲଭଙ୍କ ସ୍ମୃତିରେ ବକ୍ତବ୍ୟ ରଖିଥିଲେ।

image