29 April 2017
8:59:29 AM
image
Sambad News
ଭଦ୍ରକ

ନବୀନ ସରକାର ରାଜ୍ୟର ଚାଷୀଙ୍କ ପିଠି ଓ ପେଟକୁ ମାରୁଛି: ଅନନ୍ତ ସେଠୀ

By Sambad | Date: Jan 5 2017 11:38AM
ନବୀନ ସରକାର ରାଜ୍ୟର ଚାଷୀଙ୍କ ପିଠି ଓ ପେଟକୁ ମାରୁଛି: ଅନନ୍ତ ସେଠୀ

ଭଦ୍ରକ: ରାଜ୍ୟରେ କ୍ଷମତା ଦଖଲ କରିଥିବା ନବୀନ ସରକାର ଚାଷୀଙ୍କ ପିଠି ଓ ପେଟକୁ ମାରୁଛି। ଚାଷୀର ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ପାଇଁ ସରକାର ଉପଯୁକ୍ତ ବଜାର ବ୍ୟବସ୍ଥା କରୁନାହିଁ। ଯେଉଁଥିପାଇଁ ଚାଷୀ ସର୍ବହରା ହୋଇଛି। ଭଦ୍ରକ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ  ଏ ଜିଲ୍ଲାରେ ୫୦ ହଜାରରୁ ଉଦ୍ଧ୍ଵର୍ ଚାଷୀ ସେମାନଙ୍କର  ଉତ୍ପାଦିତ ଧାନକୁ ସମବାୟ ସଂସ୍ଥା ଜରିଆରେ ବିକ୍ରି କରି ପାରୁ ନାହାନ୍ତି। ଚାଷୀଙ୍କୁ  ଧାନର ସହାୟକ ମୂଲ୍ୟ ମିଳୁ ନାହିଁ। ଧାନମଣ୍ଡି ଖୋଲା ଯାଇନଥିବା ବେଳେ ଏବେ ଚାଷୀ ତା’ର ଧାନକୁ  ଆନ୍ଧ୍ର ଓ ବେଙ୍ଗଲ ଦଲାଲଙ୍କ ହାତରେ ଟେକି ଦେଉଛି।

ଧାନ କୁଇଣ୍ଟାଲ ୯ ଶହ ଟଙ୍କାରେ ଚାଷୀ ବିକ୍ରି କରୁଥିବା ବେଳେ ପ୍ରତି କୁଇଣ୍ଟାଲରେ ୪ ଶହରୁ ୫ ଶହ ଟଙ୍କା କ୍ଷତିରେ ପଡୁଛି। ୧୦୮ ଟି  ସମବାୟ ସମିିତି ଜରିଆରେ ଧାନ କିଣା ଯିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଆଜି ପଯ୍ୟର୍ନ୍ତ ସମବାୟ ସମିତି ଧାନ କିଣା ଆରମ୍ଭ କରି ନାହାନ୍ତି।  ସରକାର ଏଇଠି ଜିଲ୍ଲାର ଚାଷୀଙ୍କ ପିଠିରେ ସିଧା ସଳଖ ଭାବେ ଚାବୁକ୍‌ ମାରୁଛି ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ନିଜର ଅଭିଯୋଗ ରଖିଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ଏବେ ଚାଷୀ ଆନ୍ଦୋଳନ ତେଜୁଥିବା ବେଳେ ଚାଷୀଙ୍କୁ ଦମନ କରିବା ପାଇଁ ଭୁବନେଶ୍ୱରରେ ଆୟୋଜିତ ସମାବେଶକୁ ଭଣ୍ଡୁର କରିବା ପାଇଁ ଚାଷୀଙ୍କ ପିଠିରେ ପ୍ରହାର କରିଥିଲେ। ପୁଲିସ ଲଗାଇ ଚାଷୀଙ୍କୁ ଉଠାଇ ନିଆଯାଇଥିଲା।

ଏକ ଗଣତନ୍ତ୍ର ବ୍ୟବସ୍ଥାରେ ସମସ୍ତଙ୍କର କଥା କହିବାର  ଅଧିକାର ରହିଛି। ଆନ୍ଦୋଳନ କରିବା ସମସ୍ତଙ୍କର ନୈତିକ ଅଧିକାର। ମାତ୍ର  ସରକାର  ଚାଷୀଙ୍କ ଉପରେ ଯେଭଳି ଦମନଲୀଳା ଚଳାଇଲେ ତାହାକୁ ସେ ଦୃଢ ଭାବେ ନିନ୍ଦା କରିବା ସହ ଆଗାମୀ ଦିନରେ ଭଦ୍ରକ ଜିଲ୍ଲାର ଚାଷୀ  ଉପଯୁକ୍ତ ନ୍ୟାୟ ନପାଇଲେ ସେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି  ସାମ୍ବାଦିକ ସମ୍ମିଳନୀରେ ନିଜର ମତ ଦେଇଥିଲେ।  ଦୀର୍ଘଦିନ ହେଲା ଶାସନ ଗାଦିରେ ବସିଥିବା ନବୀନ ସରକାର  ଭଦ୍ରକ ଜିଲ୍ଲାରେ କୌଣସି ବିକାଶ ମୂଳକ କାଯ୍ୟର୍ କଲେନାହିଁ। ଭଦ୍ରକ- ଚାନ୍ଦବାଲି ରାସ୍ତା ଶେଷ ହେଲା ନାହିଁ।

ସେହିପରି ଜାମୁଝାଡି ଓ ଧାମରା ରାସ୍ତାର ଦୁରବସ୍ଥା ପ୍ରତି ସରକାର ଅଣଦେଖା କରୁଥିବା ବେଳେ ଆଦାନୀ କମ୍ପାନୀ ଏଇ ରାସ୍ତାରେ ଅଧିକ କାରବାର କରୁଥିବା ବେଳେ ବନ୍ଦର କମ୍ପାନୀ ଏଇ ରାସ୍ତା ନିର୍ମାଣ କରୁ ବୋଲି ଶ୍ରୀ ସେଠୀ କହିଥିଲେ। ଆଦାନୀ ଭଦ୍ରକ ଜିଲ୍ଲାରେ କୌଣସି  ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଲା ନାହିଁ। ବାହାର ରାଜ୍ୟର ପିଲା ଏଠାରେ ନିଯୁକ୍ତି ପାଇଥିବା ବେଳେ ଭଦ୍ରକର ବେକାର ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ଶ୍ରୀ ସେଠୀ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ଆଜିର ଏଇ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଶଶିକାନ୍ତ ଜେନା, କଂଗ୍ରେସର ଯୁବନେତା ଜ୍ୟୋତିପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

image