21 August 2017
1:54:14 PM
image
Sambad News
ରାଜ୍ୟ

କୃଷକଠାରୁ ଆଉ କେହି ବଡ଼ ନାହିଁ

ଭଦ୍ରକରେ ପହଞ୍ଚିଲା କୃଷକ ଅଧିକାର ଯାତ୍ରା

By Sambad | Date: Jan 7 2017 1:09AM
କୃଷକଠାରୁ ଆଉ କେହି ବଡ଼ ନାହିଁ

ବିଭିନ୍ନ ସ୍ଥାନରେ ଅଭିଯାତ୍ରୀ ଦଳଙ୍କୁ ଉଚ୍ଛ୍ୱସିତ ସମ୍ବର୍ଧନା 
 
ଭଦ୍ରକ : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା କୃଷକ ଅଧିକାର ଯାତ୍ରା ଆଜି ଭଦ୍ରକରେ ପହଞ୍ଚିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଅଭିଯାତ୍ରୀ ଦଳଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଦିନ ୧୧ଟା ବେଳେ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର, ଉମାକାନ୍ତ ଭାରତୀ ଓ ଶେଷଦେବ ନନ୍ଦଙ୍କ ସହ ଅଭିଯାତ୍ରୀ ଦଳର କୃଷକ ନେତାମାନେ ଭଦ୍ରକ ସହରରେ ପହଞ୍ଚିଥିଲେ। କୃଷି ଓ କୃଷକର ସ୍ୱାର୍ଥ ପାଇଁ ସଂଗ୍ରାମ ଜାରି ରଖିଥିବା କୃଷକ ନେତା ଅକ୍ଷୟ କୁମାର ଓ ଯାତ୍ରାରେ ସାମିଲ କୃଷକ ନେତାମାନଙ୍କୁ ଭଦ୍ରକ ମାଟିରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, କୃଷକ ସଂଗଠନ, ଭଦ୍ରକ ଓ ଆଖପାଖ ଅଞ୍ଚଳର କୃଷକଙ୍କ ସହ ନବ ନିର୍ମାଣ କୃଷକ ସଂଗଠନର ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ସ୍ୱାଗତ କରାଯାଇଥିଲା। 
 
ଶୋଭାଯାତ୍ରା ଭଦ୍ରକ ସହରରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ପୁରୁଣା କାଯ୍ୟଳୟ ସମ୍ମୁଖରେ ଏକ ସଭାର ଆୟୋଜନ କରାଯାଇଥିଲା। ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ନେତା ତଥା ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତ ଏଥିରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସଂଗଠନର ଜିଲ୍ଲା ସଂଗଠକ ଭବେନ୍ଦ୍ର ସାହୁ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଭଦ୍ରକ ଶାଖା ନେତା ଦୁର୍ଗା ଦାସ, ସମାଜସେବୀ ତ୍ରିଲୋଚନ ପଣ୍ଡା, ସଚ୍ଚିନ୍‌ ମହାପାତ୍ର, ସୀତାକାନ୍ତ ସାହୁ, କୁଶ ପଟ୍ଟନାୟକ, ସମାଜସେବୀ ଏସଏମ ଫାରୁକ୍‌ ପ୍ରମୁଖ ଯୋଗଦେଇଥିଲେ। ସଭାରେ ଉଦ୍‌ବୋଦନ ଦେଇ ଅକ୍ଷୟ କୁମାର କହିଲେ, ଜୀବନରେ ଶେଷ ରକ୍ତ ବିନ୍ଦୁ ଥିବା ପଯ୍ୟର୍ନ୍ତ କୃଷକ ଭାଇମାନଙ୍କ ସ୍ୱାର୍ଥ ପାଇଁ ଲଢିବି।  କୃଷକର ସ୍ୱାର୍ଥ ଓ ସମ୍ମାନ ରକ୍ଷା ନହେବା ପର୍ଯ୍ୟନ୍ତ ଏ ଅଭିଯାନ ଜାରି ରହିବ। କୃଷକଙ୍କ ଦାବି ହାସଲ ନହେଲା ପର୍ଯ୍ୟନ୍ତ ସରକାରଙ୍କୁ ଶାନ୍ତିରେ ଶୁଆଇ ଦେବୁନାହିଁ। କୃଷକଠାରୁ ଦୁନିଆରେ ଆଉ କେହି ବଡ଼ ନୁହେଁ। କୃଷକଙ୍କୁ ଯେଉଁ ସରକାର ଲାଠିରେ ମାରୁଛି, ପୁଲିସକୁ ଆୟୁଧ କରି ଜୁଲମ୍‌ କରୁଛି, ରାଜଧାନୀର ରାଜରାସ୍ତାରୁ ଉଠାଇ ନେଉଛି, ସେ ସରକାରକୁ ଆଗାମୀ ଦିନରେ ଠିକଣା ଯବାବ ଦିଆଯିବ ବୋଲି ସେ ଚେତାବନୀ ଦେଇଥିଲେ। 
 
କୃଷକ ନେତା ଶେଷଦେବ ନନ୍ଦ କୃଷକମାନଙ୍କୁ  ନିଜର ସ୍ୱାର୍ଥ ଓ ସମ୍ମାନ ରକ୍ଷା ଲାଗି ଏକତ୍ରିତ ହେବାକୁ ଆହ୍ଵାନ ଦେଇଥିଲେ। କହିଲେ; ଯିଏ  ଖରାରେ ସିଝି,  ବର୍ଷାରେ ତିନ୍ତି ଏ ମାଟିରେ ସୁନାର ଫସଲ ଖେଳାଇବ, ଯିଏ ସମସ୍ତଙ୍କ ପେଟକୁ ଦାନା ଯୋଗାଇବ, ତାଙ୍କୁ ଏ ସରକାର ସମ୍ମାନ ଦେବ ନାହିଁ। ସେମାନେ ବୁଦ୍ଧାବସ୍ତାରେ ପେନ୍‌ସନ୍‌ ପାଇବେ ନାହିଁ।   ଏ କିପ୍ରକାର ନ୍ୟାୟ ବୋଲି ଶ୍ରୀ ନନ୍ଦ ପ୍ରଶ୍ନ କରିଥିଲେ। ମୁଣ୍ଡଝାଳ ତୁଣ୍ଡରେ ମାରି ଖଟୁଥିବା ଗ୍ରାମାଞ୍ଚଳର କୃଷକମାନଙ୍କୁ ଏ ସରକାର ଉପଯୁକ୍ତ ନ୍ୟାୟ ଦିଅନ୍ତୁ। ନହେଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି  ସଂଗଠନର ନେତା ଉମାକାନ୍ତ ଭାରତୀ ଚେତାବନୀ ଦେଇଥିଲେ।  
 
ନବ ନିର୍ମାଣ କୃଷକ ସଂଗଠନକୁ ଭଦ୍ରକ ଜିଲ୍ଲାରୁ ଆଗାମୀ ଦିନରେ ବିପୁଳ ସମର୍ଥନ ଦିଆଯିବ ଓ ମଜବୁତ୍‌ କରାଯିବ ବୋଲି  ଜିଲ୍ଲା ସଂଯୋଜକ ଭବେନ୍ଦ୍ର ସାହୁ ପ୍ରକାଶ କରିଥିଲେ। କୃଷକ ଅଭିଯାତ୍ରୀ ଦଳ  ଆଜି ସକାଳେ କେନ୍ଦ୍ରାପଡା ଜିଲ୍ଲାରୁ ବାହାରି ଚାନ୍ଦବାଲି ଦେଇ ତିହିଡିରେ ପହଞ୍ଚିଥିଲେ। ତିହିଡିରେ କୃଷକ ଓ  କୃଷକନେତାମାନେ ନବ ନିର୍ମାଣ ସଂଗଠନର କର୍ମକର୍ତ୍ତାମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ସେଠାରୁ ଅଭିଯାତ୍ରୀମାନେ ଶୋଭାଯାତ୍ରାରେ ଆସି ଭଦ୍ରକ ସହରରେ ପହଞ୍ଚିଥିଲେ।