22 February 2017
11:42:48 AM
Sambad News
ରାଜ୍ୟ

ଗର୍ଜିଲେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ

‘ଆଗ ଟଙ୍କା ଫେରାଅ, ପରେ ଭୋଟ୍‌ ଦେବୁ’

By Sambad | Date: Jan 10 2017 12:29AM
ଗର୍ଜିଲେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ

ବାସୁଦେବପୁର:  ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିବା କ୍ଷତିଗ୍ରସ୍ତ ଜମାକାରୀମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସଞ୍ଚୟ କରିବାକୁ ଯାଇ ନିଜର କଷ୍ଟୋପାର୍ଜିତ ଅର୍ଥ ହରାଇଛୁ, ଆମକଥା କେହି ବୁଝୁନାହାନ୍ତି। ଆମେ ଦାଣ୍ଡର ଭିକାରୀ ସାଜିଛୁ, ଆମକୁ ନ୍ୟାୟ ମିଳୁନି। ସରକାର ସାଢେ ତିନି ବର୍ଷ ଧରି ଟଙ୍କା ଫେରାଯିବ ବୋଲି କହୁଛନ୍ତି। ହେଲେ ବିଭିନ୍ନ ଆଳ ଦେଖାଇ ଧରାଛୁଆଁ ଦେଉନାହାନ୍ତି। ଏମିତି ମିଛ ପ୍ରତିଶ୍ରୁତି ବହୁତ ଶୁଣିଲୁଣି। ଆଉ ଅପେକ୍ଷା କରିବୁ ନାହିଁ। ଏଥର ପଞ୍ଚାୟତ ନିର୍ବାଚନରେ ସରକାରୀ ଦଳର କୌଣସି ନେତାକୁ ଆମ ଗାଁକୁ ପୂରାଇ ଦେବୁନି। ଗରିବଙ୍କ ଝାଳବୁହା ଅର୍ଥ ଆଗ ଫେରାଅ, ତା’ ପରେ ଯାଇ ଭୋଟ କଥା କହିବ ବୋଲି ଆଜି ବାସୁଦେବପୁର ତହସିଲ ଆଗରେ ହଜାର ହଜାର କ୍ଷତିଗ୍ରସ୍ତ ଜମାକାରୀ ଚେତାବନୀ ଦେଇଛନ୍ତି।
  

ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ଆୟୋଜିତ ଜମାକାରୀଙ୍କ ଏହି ଗଣସତ୍ୟାଗ୍ରହ ଅଭିଯାନରେ ହଜାର ହଜାର ଗରିବ ଖଟିଖିଆ  ସମବେତ ହୋଇ ସରକାରଙ୍କ ବିରୋଧରେ ଦୃଢ ସଂକଳ୍ପ ନେଇଛନ୍ତି। ମଞ୍ଚର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ, ରାଜ୍ୟ ଆବାହକ ଜୟନ୍ତ ଦାସ, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ମଧୁସୂଦନ ବିଶ୍ୱାଳ ପ୍ରମୁଖ ଅପାରଗ ସରକାରଙ୍କ ବିରୋଧରେ ବର୍ଷିଥିଲେ। ଗାଁ ଗହଳିରୁ ଆରମ୍ଭ କରି ସହର ଯାଏ ଚିଟ୍‌ଫଣ୍ଡ ସଂସ୍ଥାଗୁଡିକ କାନ୍ଥ ବାଡରେ ବିଜ୍ଞାପନ ଜରିଆରେ ଲୋକମାନଙ୍କୁ ପ୍ରଭାବିତ କଲେ। ଆମ ସରକାରୀ କଳର ନେତା/ ମନ୍ତ୍ରୀମାନେ ନାଲିଫିତା କାଟି ଗରିବ ଖଟିଖିଆ ଲୋକଙ୍କୁ ଆକର୍ଷିତ କଲେ, ମନରେ ଲୋଭ ସଞ୍ଚାର କଲେ। ଶେଷରେ ପରିଣାମ ଆଜି ସାଧାରଣ ଲୋକେ ଭୋଗୁଛନ୍ତି ବୋଲି ମଞ୍ଚର ଉପଦେଷ୍ଟା ଶ୍ରୀ ଦାସ କହିଥିଲେ।
 

ମଞ୍ଚର ଜିଲ୍ଲା ଆବାହକ ଉମେଶ ଚନ୍ଦ୍ର ନାୟକଙ୍କ ଆହ୍ଵାନରେ ହଜାର ହଜାର ଜମାକାରୀ ଓ ଏଜେଣ୍ଟ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ପ୍ରଥମେ ଜମାକାରୀମାନେ ବାସୁଦେବପୁର ଯାଦବ ପଡ଼ିଆରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ତହସିଲ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ଦାବି ପୂରଣ ନ ହେଲେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ସମୂହ ଭୋଟ୍‌ ବର୍ଜନ କରିବେ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ବିକ୍ଷୋଭରେ ପ୍ରଭାତ ରାଉଳ, ଫାଲଗୁନୀ ରାଉତ, ଅମୂଲ୍ୟ ନନ୍ଦ, ଗୋପବନ୍ଧୁ ପଲାଇ, ସୁଶାନ୍ତ ମହାକୁଡ, ମନ୍ମୟ ତିଳକ ମହାପାତ୍ର, ଅଶୋକ ବେହେରା, ଧ୍ରୁବ ଚରଣ ସ୍ୱାଇଁ, ନାରାୟଣ ସାହୁ, ପ୍ରଭାତ ବେହେରା ପ୍ରମୁଖ ସାମିଲ ହୋଇଥିଲେ। ଆସନ୍ତା ୧୧ରେ ଭବାନୀପାଟଣାରେ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ସତ୍ୟାଗ୍ରହ କରାଯିବ ବୋଲି ଆବାହାକ ଶ୍ରୀ ଦାସ ସୂଚନା ଦେଇଥିଲେ।
 

 ଆସନ୍ତା ୧୧ ତାରିଖରେ ଭବାନୀପାଟଣାରେ ମଧ୍ୟ ଚିଟ୍‌ଫଣ୍ଡ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀମାନଙ୍କ ଏକ ମହାରାଲିର ଆୟୋଜନ କରାଯାଉଥିବା ଜଣାପଡ଼ିଛି। ଉକ୍ତ ଦିନ ମାଣିକେଶ୍ୱରୀ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ବାହାରିବ।