20 July 2017
6:12:23 PM
image
Sambad News
ଭଦ୍ରକ

ବଢୁଛି ଏଟିଏମ୍‌ ଠକଙ୍କ ପ୍ରାଦୁର୍ଭାବ :କାର୍ଡ ବଦଳାଇ ୪୨,୫୦୦ଟଙ୍କା ଗାଏବ

ଥାନାରେ ମାମଲା

By Sambad | Date: Jan 12 2017 12:02PM
ବଢୁଛି ଏଟିଏମ୍‌ ଠକଙ୍କ ପ୍ରାଦୁର୍ଭାବ :କାର୍ଡ ବଦଳାଇ ୪୨,୫୦୦ଟଙ୍କା ଗାଏବ


ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଳମଣ୍ଡୁଆ ପଞ୍ଚାୟତର ପଦିନାରାୟଣପୁର ଗ୍ରାମର ସୁନିତ କୁମାର ଧଳଙ୍କ ଏଟିଏମ୍‌ କାର୍ଡକୁ ବଦଳ କରି ଜଣେ ଠକ ୪୨,୫୦୦ଟଙ୍କା ଉଠାଇନେଇଥିବା ଅଭିଯୋଗ ହୋଇଛି। କେନ୍ଦୁଆପଦା ଷ୍ଟେଟବ୍ୟାଙ୍କ ଶାଖାରେ ସୁନିତଙ୍କ ଥିବା ଜମାଖାତା ନଂ ୩୩୬୪୨୮୦୨୯୯୮ର ଏଟିଏମ୍‌ କାର୍ଡ ଭଣଜା ବୈରୀଗଞ୍ଜନ ଜେନାଙ୍କ ହାତରେ ଦେଇ ବାରିକପୁରସ୍ଥିତ ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଉଠାଇବାକୁ କହିଥିଲେ।

ଭଣଜା କାଉଣ୍ଟରରେ ଛିଡା ହୋଇଥିବା ସମୟରେ ଜଣେ ଠକ ବ୍ୟକ୍ତି ସହାୟତା କରିବାକୁ କହି ୨୦୦୦ଟଙ୍କା  ଉଠାଇଦେଇ ଅନ୍ୟ ଏକ ଏଟିଏମ୍‌ କାର୍ଡ ଦେଇ ସୁନିତଙ୍କ କାର୍ଡକୁ ନେଇ ପଳାଇ ଯାଇଥିଲେ। ୨ଘଣ୍ଟା ପରେ ହଡପ୍‌ ହୋଇଥିବା ଏଟିଏମ୍‌ କାର୍ଡ ବ୍ୟବହାର କରାଯାଇ ସୁନିତଙ୍କ ମୋବାଇଲକୁ ଭଦ୍ରକ ଏଟିଏମ୍‌ କାଉଣ୍ଟରରୁ ୨୫୦୦ଟଙ୍କା ଉଠାଣ ହୋଇଥିବା ମେସେଜ ଆସିଥିଲା।

ଏହାପରେ ପୁଣି ସେହି କାର୍ଡ ଯୋଗେ ଢେଙ୍କାନାଳ ଜିଲ୍ଲା ଜଳଧର ଜେନାଙ୍କ ପୁଅ ନବଘନଙ୍କ ଜମାଖାତା ନଂ ୩୦୧୬୭୮୫୭୯୩୮କୁ ୪୦ ହଜାର ଟଙ୍କା ଏକାଥରକେ ଟ୍ରାନ୍ସଫର ହୋଇଥିବା ମେସେଜ ଆସିଥିଲା। ନବଘନଙ୍କ ଜମାଖାତା ନଂ ୩୦୧୬୭୮୫୭୯୩୮ରୁ ଅନୁଗୁଳ ଜିଲ୍ଲା ବିନିତା ନାୟକଙ୍କ ଜମାଖାତା ନଂ ୩୧୬୨୪୨୦୯୬୧୮କୁ ପ୍ରଥମେ ୩୫ ହଜାର ଓ ପରେ ୫ ହଜାର ଟଙ୍କା ଟ୍ରାନ୍ସଫର କରାଯାଇଥିଲା।

ରବିବାର ବ୍ୟାଙ୍କ ବନ୍ଦଥିବାରୁ ଏହି ଏଟିଏମ୍‌କୁ ବ୍ଲକ କରାଯାଇପାରିନଥିଲା। ଏହାର ସୁଯୋଗ ନେଇ ଠକ ଜଣକ ଟଙ୍କା ନେଇଯିବାରେ ସକ୍ଷମ ହୋଇଥିଲା ବୋଲି ପରଦିନ ଧାମନଗର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ ଥାନାରେ ୫/୧୭ରେ ଏକ ମାମଲା ଋଜୁ ହୋଇଛି। ଧାମନଗର ଥାନାଧିକାରୀ ବିଜୟ କୁମାର ମଲ୍ଲିକ ଅପରାଧୀକୁ ନିଶ୍ଚୟ ଧରାଯିବ ବୋଲି କହିଛନ୍ତି।