24 September 2017
10:45:31 AM
Sambad News
ରାଜ୍ୟ

ଗାଁରେ ପହଂଚିଲା ବେଙ୍ଗାଲୁରୁରୁ ମୃତ ବାପା, ପୁଅ ଓ ଝିଅଙ୍କ ଶବ:ଲୁହରେ ଭିଜିଲା ଅଗଣା

By Sambad | Date: May 19 2017 6:38AM
ଗାଁରେ ପହଂଚିଲା ବେଙ୍ଗାଲୁରୁରୁ ମୃତ ବାପା, ପୁଅ ଓ ଝିଅଙ୍କ ଶବ:ଲୁହରେ ଭିଜିଲା ଅଗଣା

ବାହାନଗା/ଅଂଜି/ଗୋପାଳପୁର: ଘର ଅଗଣାରେ ତିନି ତିନିଟି ଶବ। ଅଧୈର୍ଯ୍ୟ ପରିବାର ଓ ସଂପର୍କୀୟ ଆଉ ହତବାକ୍‌ ଗ୍ରାମବାସୀ। ବେଙ୍ଗାଲୁରୁ ଗ୍ୟାସ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବାହାନଗା ବ୍ଲକ୍‌ ଷଠୀ ଗ୍ରାମର ଗୋଟିଏ ପରିବାର ବାପା, ପୁଅ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ଆଜି ସେମାନଙ୍କ ଶବ ଘରେ ପହଂଚିଛି। ଶବ ପହଂଚିବା ପରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।
 

ବାହାନଗା ବ୍ଲକ୍‌ ଷଠୀର ମହେଶ୍ୱର ମହାକୁଡ଼ ଓ ତାରାମଣି ମହାକୁଡ଼ଙ୍କ ପୁଅ ପ୍ରଶାନ୍ତ ମହାକୁଡ଼ (୪୦)ଙ୍କ ସହ ୧୦ ବର୍ଷର ପୁଅ ଆଦିତ୍ୟ ମହାକୁଡ଼ ଓ ୨ ବର୍ଷର ଝିଅ ମନୀଷା ମହାକୁଡ଼ଙ୍କ ଗ୍ୟାସ୍‌ ଦୁର୍ଘଟଣାରେ ଗତ ଶନିବାର ଦିନ ମୃତ୍ୟୁ ଘଟିଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ୨ଟା ବେଳେ ପ୍ରଥମେ ମନୀଷାଙ୍କ ମୃତ୍ୟୁ ହୋଇଯାଇଥିଲା। ସେହିଦିନ ଅପରାହ୍ନରେ ପ୍ରଶାନ୍ତ ମଧ୍ୟ ଆଖି ବୁଜିଥିଲେ। ଜୀବନ ସହ ସଂଘର୍ଷ କରୁଥିବା ଆଦିତ୍ୟ ବି ଶେଷରେ ହାରିଯାଇଥିଲେ। ମଙ୍ଗଳବାର ଦିନ ୧ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ମୃତ ପ୍ରଶାନ୍ତଙ୍କ କିଛି ସଂପର୍କୀୟ ବେଙ୍ଗାଲୁରରେ ପହଂଚିଥିଲେ। ସେମାନେ ବାସନ୍ତୀଙ୍କ ସହ ମୃତକମାନଙ୍କ ଶବ ଏକ ଆମ୍ବୁଲାନ୍‌ସରେ ନେଇ ମଙ୍ଗଳବାର ଦିନ ବେଙ୍ଗାଲୁରୁରୁ ଷଠୀ ସ୍ଥିତ ବାସଭବନକୁ ବାହାରିଥିଲେ।
 

ତେବେ ଆଜି ସକାଳ ପ୍ରାୟ ୫ଟାରେ ପ୍ରଶାନ୍ତଙ୍କ ସହ ଆଦିତ୍ୟ ଓ ମନୀଷାଙ୍କ ଶବ ଷଠୀ ସ୍ଥିତ ମହାକୁଡ଼ ସାହି ଘରେ ପହଂଚିଥିଲା। ଶବ ପହଂଚିବା ପରେ ଅଧୈର୍ଯ୍ୟ ପରିବାର ଓ ସଂପର୍କୀୟମାନଙ୍କ ମଧ୍ୟରେ କାନ୍ଦବୋବାଳି ଆରମ୍ଭ ହୋଇଥିଲା। ହତବାକ୍‌ ଗ୍ରାମବାସୀମାନଙ୍କ ଭିଡ଼ ଜମିଥିଲା। ପରେ ମୃତକଙ୍କ ଶବକୁ ସଂସ୍କାର କରାଯାଇଥିଲା। ପ୍ରଶାନ୍ତଙ୍କ ଶବ ପୋଡ଼ାଯାଇଥିବା ବେଳେ ପୁତୁରା ଗଣେଶ ମୁଖାଗ୍ନି ଦେଇଥିଲେ। ସେହିପରି ଆଦିତ୍ୟ ଓ ମନୀଷାଙ୍କ ଶବକୁ ପୋତିଦିଆଯାଇଛି।
 

ସୂଚନାଯୋଗ୍ୟ; ଗତ ୧୫ ବର୍ଷ ଧରି ପ୍ରଶାନ୍ତ ବେଙ୍ଗାଲୁରୁର ପ୍ରାଇନେକ୍ସ ପ୍ରେସ୍‌କମ୍‌ ନାମକ ଏକ କମ୍ପାନିରେ ଚାକିରି କରୁଥିଲେ। ସେ ବେଙ୍ଗାଲୁରୁର ବଡ଼ାତାରପେଲିଆ ସ୍ଥିତ ଏକ ଭଡ଼ା ଘରେ ପତ୍ନୀ ବାସନ୍ତୀ, ପୁଅ ଆଦିତ୍ୟ ଓ ଝିଅ ମନୀଷାଙ୍କ ସହ ରହୁଥିଲେ। ତେବେ ଗତ ଶନିବାର ଦିନ ବାସନ୍ତୀ ବାଥ୍‌ରୁମ୍‌ରେ ଥିବା ବେଳେ ପ୍ରଶାନ୍ତ ଚା’ କରିବା ପାଇଁ ରୋଷେଇ ଘରକୁ ଯାଇଥିଲେ। ପ୍ରଶାନ୍ତଙ୍କ ସହ ପୁଅ ଆଦିତ୍ୟ ଓ ମନୀଷା ମଧ୍ୟ ଥିଲେ। ଏହି ସମୟରେ ଗ୍ୟାସ୍‌ ଟାଙ୍କି ଲିକ୍‌ ହୋଇଯାଇଥିବା ଯୋଗୁଁ ଘର ସାରା ଗ୍ୟାସ୍‌ ଭର୍ତି ହୋଇଯାଇଥିଲା। ତେବେ ପ୍ରଶାନ୍ତ ଗ୍ୟାସ୍‌ ଜଳାଇବା ପାଇଁ ଲାଇଟର୍‌ ମାରିବାରୁ ଘରେ ନିଆଁ ଲାଗିଯାଇଥିଲା। ଫଳରେ ପ୍ରଶାନ୍ତଙ୍କ ସହ ଆଦିତ୍ୟ ଓ ମନୀଷା ଗୁରୁତର ଭାବେ ପୋଡ଼ିଯାଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ବାଥ୍‌ରୁମ୍‌ରେ ଥିବା ଯୋଗୁଁ ବାସନ୍ତୀ ଅଳ୍ପକେ ବର୍ତି ଯାଇଥିଲେ।।

image