29 March 2017
8:40:42 PM
Sambad News
ବୌଦ୍ଧ

ମହାଲିକପଡ଼ା ନୂଆ ପଞ୍ଚାୟତ ଗଠନ ପ୍ରସଙ୍ଗ

ହାଇକୋର୍ଟଙ୍କ ନିର୍ଦେଶରେ ଜନମତ ସମୀକ୍ଷା

By Sambad | Date: Dec 13 2016 4:40AM
ମହାଲିକପଡ଼ା ନୂଆ ପଞ୍ଚାୟତ ଗଠନ ପ୍ରସଙ୍ଗ


କୁଶଙ୍ଗ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ରେ କୁଶଙ୍ଗ ପଞ୍ଚାୟତର ପଇଦାଭୂଇଁ, ଶଙ୍କୁରୀ, ମହାଲିକପଡ଼ା, ବାହାଲୀ, ଟିକିରାସାହି, ଯାବର, ସାତଖଣ୍ଡ, ଧାଡ଼ିଆମ୍ବ, କୁଟିବାରୀ, ହିଞ୍ଜଳ, ଗେରେଡ଼ିସାହି, ଶ୍ରୀପାଜୁ, ନୂଆପଡ଼ା, ବୁଢ଼ାଆମ୍ବ, ପଦ୍ମତୋଳା, ଘୁମୁରୀପଡ଼ା, ହାତୀଗଡ଼, ଭାବପୁର ଗ୍ରାମଗୁଡ଼ିକୁ ନେଇ ମହାଲିକପଡ଼ା ନୂତନ ପଞ୍ଚାୟତ ଗଠନ କରାଯାଇଥିଲା। ମାତ୍ର ଦୁର୍ଗମ ଅଞ୍ଚଳରେ ରହୁଧିବା ୧୪ଟି ଗ୍ରାମ ତଥା ଗେରେଡିସାହି, ପଇଦାଭୂଇଁ, ଶଙ୍କୁରୀ, ଶ୍ରୀପାଜୁ, ନୂଆପଡ଼ା, ବୁଢାଆମ୍ବ, ପଦ୍ମତୋଳା, ଘୁମୁରୀପଡ଼ା, ହାତୀଗଡ଼, ଭାବପୁର, ମାରଡ଼ା, ଅତଲସରା ଓ କୁମାରୀର ବନବାସୀ ପୂର୍ବରୁ କୁଶଙ୍ଗ ପଞ୍ଚାୟତଠାରୁ ୪ ରୁ ୧୭ କିଲୋମିଟର ଦୂରତାରେ ରହୁଥିବା ବେଳେ ମହାଲିକପଡ଼ା ଠାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ହେଲେ ୯ ରୁ ୨୨ କିଲୋମିଟର ଦୂରତା ବୃଦ୍ଧି ପାଇବ।

ତେଣୁ ସେମାନେ  ବିଡିଓ ଜିଲ୍ଲାପାଳ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ୧୪ଟି ଗ୍ରାମକୁ ସୁହାଇଲା ଭଳି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ ଚୟନ କରିବା ପାଇଁ ଦାବି କରି ଲିଖିତ ଭାବେ ଜଣାଇଥିଲେ ଓ ଏଥିସହିତ ପଞ୍ଚାୟତିରାଜ ସଚିବ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ ଓ ମାତ୍ର ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ଆଶାନୁରୂପ ପଦେକ୍ଷେପ ନିଆ ନଯିବାରୁ ୧୪ଟି ଗ୍ରାମର ଜନସାଧରଣଙ୍କ ନିଷ୍ପତ୍ତିକ୍ରମେ ଗତ ମାସ ୧ ତାରିଖ ଦିନ ହାଇକୋର୍ଟରେ ଏକ ରିଟ୍‌ ପିଟିସନ୍‌ ଦାଏର କରାଯାଇଥିଲା।

ଏହି ମାମଲାରୁ ପ୍ରାଥମିକ ଶୁଣାଣି ଗତ ୬ ତାରିଖ ଦିନ ହୋଇଥିଲା। ସେହି ଦିନ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଭାବେ ସୁଧୀର ସାମଲ, ଉମେଶ ପାତ୍ର, ପ୍ରସନ୍ନ ସାହୁ, ମିଟୁ ବେହେରା, ପଞ୍ଚାନନ ବେହେରା ଶୁଣାଣି ବେଳେ ଉପସ୍ଥିତ ଥିଲେ। ହାଇକୋର୍ଟ ନିର୍ଦେଶ ଅନୁସାରେ ପଞ୍ଚାୟତିରାଜ ସଚିବ ଦେଇଥିବା ଆଦେଶମତେ ହରଭଙ୍ଗା ବିଡିଓ ଆର୍‌. କେ. ଶତପଥୀ, ଡବ୍ଲୁଇଓ ପ୍ରଦୀପ ନାୟକ ଓ ବରିଷ୍ଠ କିରାଣି ଜନକ ପାତ୍ର, କୁଶଙ୍ଗ ଜିଆର୍‌ଏସ୍‌ କ୍ଷୀରୋଦ ମହାପାତ୍ରଙ୍କୁ ନେଇ ଗତ ୮ ତାରଖ ଦିନ ଏକ  ବୈଠକ ଡକାଇଥିଲେ। ଉକ୍ତ ବୈଠକରେ ନୂତନ ପଞ୍ଚାୟତରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ଜନସାଧାରଣଙ୍କୁ ସହମତି ଭିତ୍ତିରେ ସ୍ଥାନ ନିରୁପଣ ପାଇଁ ମତାମତ ଲୋଡ଼ା ଯାଇଥିଲା।

କୁମାରୀ ଓ ଭାବପୁର ମଧ୍ୟରେ ଥିବା ନୂତନ ଚେକ୍‌ଗେଟ ସ୍ଥାନଟି ନୂତନ ପଞ୍ଚାୟତରେ ସାମିଲ ହୋଇଥିବା ସମସ୍ତ ଗ୍ରାମରୁ କେନ୍ଦ୍ରସ୍ଥଳ ହୋଇଥିବା ଦର୍ଶାଇ ଉପସ୍ଥିତ ଲୋକେ ସେଠାରେ ପଞ୍ଚାୟତ କାର୍ଯ୍ୟାଳୟ କରିବାକୁ ମତ ଦେଇଥିଲେ। ଏହି ମତାମତକୁ ଭିତ୍ତିକରି ପଞ୍ଚାୟତିରାଜ ସଚିବଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ରିପୋର୍ଟ ଦିଆଯିବା ସହିତ ସରକାରଙ୍କ ଦ୍ୱାରା ଉକ୍ତ ତଥ୍ୟ ହାଇକୋର୍ଟରେ ରଖାଯିବ ବୋଲି ବିଡିଓ ଶ୍ରୀ ଶତପଥୀ କହିଥିଲେ।