18 January 2017
7:34:57 PM
Sambad News
ବୌଦ୍ଧ

ହରଭଙ୍ଗାରେ ପାଇପ୍‌ ଜଳଯୋଗାଣ ଯୋଜନା ପ୍ରହସନ

By Sambad | Date: Dec 17 2016 10:25AM
ହରଭଙ୍ଗାରେ ପାଇପ୍‌ ଜଳଯୋଗାଣ ଯୋଜନା ପ୍ରହସନ


ବୌଦ୍ଧ/ ହରଭଙ୍ଗା: ହରଭଙ୍ଗା ଗ୍ରାମବାସୀଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ ଜଳ ଓ ପରିମଳ ବିଭାଗ ପକ୍ଷରୁ ୧୫ବର୍ଷ ତଳେ ମହାନଦୀରେ କୂପ ଖନନ କରାଯାଇ ପାଇପ୍‌ ମାଧ୍ୟମରେ ପିଇବା ପାଣି ଯୋଗାଇ ଦିଆଗଲା। ବର୍ତ୍ତମାନ ଗାଁର ୨ ହଜାରରୁ ଅଧିକ ଲୋକଙ୍କୁ ୧୫ଟି ଷ୍ଟାଣ୍ଡପୋଷ୍ଟ ଜରିଆରେ ପାଣି ଯୋଗାଇ ଦିଆଯାଉ ଥିବା ବେଳେ ଘରୋଇ  ପାଇପ୍‌ ଜଳଯୋଗାଣ ସଂଖ୍ୟା ୫୫ ରେ ପହଞ୍ଚିଛି।

କିନ୍ତୁ ଜଳ ଯୋଗାଉଥିବା କୂପର ପାଣିର ଗଭୀରକୁ ଲକ୍ଷ୍ୟ କରା ନଯାଇ କମିଟିର କିଛି ସଦସ୍ୟ ମନଇଛା ପଇସା ଲୋଭରେ ଘରୋଇ କନେକ୍ସନ ସଂଖ୍ୟା ବୃଦ୍ଧି ପାଇବାରୁ ଆଜି ଗରିବ ଶ୍ରେଣୀର ଲୋକେ ଷ୍ଟାଣ୍ଡ ପୋଷ୍ଟରୁ ଦୁଇଓଳା ପାଣି ପାଇବାରୁ ବଞ୍ଚିତ ହେଉଥିବା  ଅଭିଯୋଗ ହେଉଛି। ଗାଁଲୋକେ କେବଳ ବର୍ଷା ୪ମାସ ସଠିକ୍‌ ଭାବେ ପାଣି ପାଉଛନ୍ତି। ପଞ୍ଚାୟତକୁ ପ୍ରତିବର୍ଷ ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ରକ୍ଷଣାବେକ୍ଷଣା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ଲକ ପକ୍ଷରୁ ଯୋଗାଇ ଦିଆଯାଉଥିଲେ ସୁଦ୍ଧା ଏସବୁକୁ ସଠିକ୍‌ ଭାବେ ବିନିଯୋଗ କରାଯାଉ ନାହିଁ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ପଞ୍ଚାୟତକୁ ପାଇପ ଜଳ ଯୋଗାଣ ସାଙ୍ଗକୁ ବିଭିନ୍ନ ପାଣି ସମସ୍ୟା ଏପରିକି ଖରାଦିନେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ପାଇଁ ବ୍ଲକ ପକ୍ଷରୁ  ପାଖାପାଖି ୭ଲକ୍ଷରୁ ଅଧିକ ଟଙ୍କାର ଅନୁଦାନ ସ୍ଥାନୀୟ ପଞ୍ଚାୟତକୁ ଦିଆଯାଇଥିଲା। ହେଲେ ଖରାଦିନେ ଗାଁରେ ପିଇବା ପାଣି ସଙ୍କଟ ସତ୍ତ୍ୱେ ଗୋଟିଏ ଦିନ ବି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଇ ନଥିଲା।

ଏପରିକି ଜଳ ଯୋଗାଉଥିବା କୂପର ଗ୍ୟାଲେରୀ ଲାଇନ ପୋତି ହୋଇଯାଇଥିିଲେ ସୁଦ୍ଧା ଏହାର ପଙ୍କ ଉଦ୍ଧାର କରାଗଲା ନାହିଁ। ଫଳରେ କୂପରେ ଜଳ ପରିମାଣ ହ୍ରାସ ପାଇବାରୁ ଲୋକେ ଗତ ସପ୍ତାହେ ହେଲା ଦୁଇଓଳି ଏବେଠାରୁ ପାଣିପାଇବାରୁ ବଞ୍ଚିତ ହେଉଛନ୍ତି। ଆଗାମୀ ଦିନେ ଦୁଇଦିନ ମଧ୍ୟରେ କୂପରୁ ଜଳସ୍ତର ସଂପୂର୍ଣ୍ଣ ହ୍ରାସ ହେବା ସହିତ ଜଳ ଯୋଗାଣ ପୂରା ଠପ୍‌ ହୋଇଯିବା ଭଳି ସମସ୍ୟା ଦେଖାଦେଲାଣି। ଏସବୁ ସତ୍ତ୍ୱେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପାଣିର ସମସ୍ୟା ତୁରନ୍ତ ସମାଧାନ ପାଇଁ ଦାବି ହେଉଛି।