21 January 2017
4:13:11 PM
image
Sambad News
ବୌଦ୍ଧ

ଚାଲିଛି ଗଞ୍ଜେଇ ଚାଷ, ଚଢ଼ଉ ଧର୍ମକୁ ଆଖିଠାର

୩୦ ଏକର ଗଞ୍ଜେଇ ଗଛ ନଷ୍ଟ, ୨ ଗିରଫ

By Sambad | Date: Dec 28 2016 4:54AM
ଚାଲିଛି ଗଞ୍ଜେଇ ଚାଷ, ଚଢ଼ଉ ଧର୍ମକୁ ଆଖିଠାର

ବୌଦ୍ଧ: ବୌଦ୍ଧ  ଜିଲ୍ଲାରେ ଗଞ୍ଜେଇ ଚାଷ ଏକ ମହାମାରୀ  ଭାବରେ ବ୍ୟାପିବାରେ ଲାଗିଛି। ପ୍ରତିବର୍ଷ ଶହ ଶହ ଏକର ଜମିରେ ଗଞ୍ଜେଇ ଚାଷ ହେଉଥିବାରୁ  ଜିଲ୍ଲା ସବୁବେଳେ ଗଞ୍ଜେଇ ଚାଷକୁ ନେଇ ଚର୍ଚାରେ ରହି ଆସିଛି। ଗତ ବର୍ଷ ଅନେକ ସ୍ଥାନରେ ଗଞ୍ଜେଇ ଚାଷ ହୋଇଥିଲା ଓ ଅବକାରୀ ବିଭାଗ ତଥା ପୁଲିସ ବିଭାଗ ପକ୍ଷରୁ ଏହାକୁ ଧ୍ୱଂସ କରାଯାଇଥିଲା। ମାତ୍ର ଚଳିତ ବର୍ଷ ମଧ୍ୟ ସମାନ ଭାବରେ ଗଞ୍ଜେଇ ଚାଷ ହୋଇଛି ଓ ଏବେ ଅବକାରୀ ବିଭାଗ ତଥା ପୁଲିସ ବିଭାଗ ପକ୍ଷରୁ ଧ୍ୱଂସ କରାଯାଉଥିବା କୁହାଯାଉଛି। ସରକାରଙ୍କ ପକ୍ଷରୁ  ସ୍ୱତନ୍ତ୍ର  ପୁଲିସ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଞ୍ଜେଇ ଚାଷ ମୂଳୋତ୍ପାଟନ ଓ ବେପାରୀଙ୍କୁ ଦମନ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ପୁଲିସ ବିଭାଗର ତାଗିଦ ଯୋଗୁଁ  ଏବେ ଜିଲ୍ଲାରେ  ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି ବୋଲି  କୁହାଯାଉଛି। ମାତ୍ର ଏହି ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା କୁହାଯାଉଥିଲେ ମଧ୍ୟ  ଯେଉଁ ପରିମାଣରେ ଗଂଜେଇ ଗଛ ନଷ୍ଟ କରାଯାଉଥିବା କୁହାଯାଉଛି ସେହି ଅନୁପାତରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଯେହେତୁ ପ୍ରଶାସନିକ ତାଗିଦା ରହିଛି  ତେଣୁ  ପୁଲିସ ବିଭାଗ ପକ୍ଷରୁ  କେବଳ ପ୍ରଚାର ପ୍ରସାର ପାଇଁ ଗଞ୍ଜେଇ ଗଛ କଟାଯାଉଥିବା ଅଭିଯୋଗ ହେଉଛି। ବୌଦ୍ଧ ଜିଲ୍ଲାରେ ଅଧିକାଂଶ ସମୟରେ  ଗଞ୍ଜେଇ ଚୋରା ଚାଲାଣ କରୁଥବା ସମୟରେ ଚାଳାଣକାରୀ ମାନେ ଅବକାରୀ କିମ୍ବା ପୁଲିସ ଦ୍ୱାରା ଧରା ପଡ଼ୁଛନ୍ତି।

ବିଶେଷ କରି କଣ୍ଟାମାଳ ବ୍ଳକରେ ଗଞ୍ଜେଇ ବେପାରୀଙ୍କୁ  ଧରିବା ଏକ ସାଧାରଣ ଘଟଣା ହେଲାଣି। ଏପରିକି ବୌଦ୍ଧ ଜେଲରେ ଗଞ୍ଜେଇ ଚାଲାଣକାରୀଙ୍କ  ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି କାରବାରର ଛୋଟ ମାଛକୁ ପୁଲିସ ଓ ଅବକାରୀ ବିଭାଗ ଧରି ବାହାଦୁରି ନେଉଥିବା ବେଳେ କିଙ୍ଗପିନ୍‌ଙ୍କୁ ଧରିବାରେ ଅସମର୍ଥ ହୋଇଛି। ଏହି କିଙ୍ଗପିନ୍‌ଙ୍କୁ  ବିଭାଗୀୟ ଅଧିକାରୀମାନେ ଯେ ଜାଣି ନାହାନ୍ତି ସେ କଥା ନୁହେଁ ବରଂ ସବୁ ଜାଣି ଅଜଣା ବୋଲି ଚର୍ଚ୍ଚା ହେଉଛି। ଯେଉଁ ଅଧିକାରୀମାନେ ଗଞ୍ଜେଇ ବେପାର କରି  ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ବଦଳି ହେଉଛନ୍ତି ପୁଣି ସେମାନେ  ସେହି ପୁରୁଣା ଜାଗାକୁ ସସମ୍ମାନେ ଫେରୁଛନ୍ତି। ତେବେ ଏହି ଗଞ୍ଜେଇ କାରବାରକୁ ରାଜନୈତିକ ପୃଷ୍ଠପୋଷକ ମିଳିୁଥିବା ବି ଚର୍ଚ୍ଚା ହେଉଛି।
 

ମନୁପାଲି ପଞ୍ଚାୟତର କିଛି ଅଂଚଳ, ଶଗଡ଼ା, ଗୁନ୍ଦୁଲିଆ, ଆମ୍ବଝରୀ, ଗୋଛାପଡା, ଟିକରପଡ଼ା ଓ ବ୍ରହ୍ମଣୀପାଲି ପଂଚାୟତରେ ବହୁଳ ଭାବରେ ଗଞ୍ଜେଇ ଚାଷ ହେଉଛି। ବ୍ରାହ୍ମଣୀପାଲି ପଞ୍ଚାୟତରେ କେତେ ଜଣ  ଗଞ୍ଜେଇ ବେପାରୀ ଏବେ ଠିକାଦାର ମଧ୍ୟ ହୋଇ ଗଲେଣି।  ବିଗତ ବର୍ଷ ଏକ ସଫାରୀ ଗାଡିରେ ଗଞ୍ଜେଇ  ଚାଲାଣ ହେଉଥିବା ବେଳେ ପୁଲିସ ଭୟରେ ଉକ୍ତ ଗାଡିକୁ ଜାଳି ଦିଆଯାଇଥିଲା। 

ଉକ୍ତ ଗାଡ଼ି ମାଲିକ ଓ ସଂପୃକ୍ତ ଚୋରା ଚାଲାଣକାରୀଙ୍କୁ ପୁଲିସ ଗିରଫ କରିବାରେ ବିଫଳ ହୋଇଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତି ମାନେ ରାଜନୈତିକ ଛତ୍ରଛାୟା ତଳେ ରହିଥିବାରୁ ସବୁପ୍ରକାର  ସବୁିଧା ସୁଯୋଗ ହାସଲ କରୁଛନ୍ତି। ଗଞ୍ଜେଇ  ଚୋରା ବେପାରୀ, ରାଜନେତା ଓ ବିଭାଗୀୟ ଅଧିକାରୀଙ୍କ ମଧୂଚନ୍ଦ୍ରିକା ଚାଲିଥିବାରୁ ଜିଲ୍ଲାରେ ଗଂଜେଇ ଚାଷ ବନ୍ଦ ହେବାର ନାଁ ଧରୁ ନାହିଁ। କେବଳ ନିଜର କେସ୍‌ ଡାଏରି ବଢ଼ାଇବା ପାଇଁ ଓ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଗଞ୍ଜେଇ ଜବତ କରାଯାଉଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରାଯାଉଥବା ଅଭିଯୋଗ ହେଉଛି।