25 June 2017
7:27:50 AM
Sambad News
ବାଣିଜ୍ୟ

ପେଟ୍ରୋଲ୍‌ ପମ୍ପ୍‌ରେ କାର୍ଡ ବିବାଦ : ଗ୍ରାହକ, ଡିଲର ଗଣିବେନି ଶୁଳ୍କ

ପେଟ୍ରୋଲିୟମ ମନ୍ତ୍ରୀ ଦେଲେ ଆଶ୍ୱାସନା, ବ୍ୟାଙ୍କମାନଙ୍କ ସହିତ କଥାବାର୍ତା ଜାରି ରହିଛି

By Sambad | Date: Jan 10 2017 1:47AM
ପେଟ୍ରୋଲ୍‌ ପମ୍ପ୍‌ରେ କାର୍ଡ ବିବାଦ : ଗ୍ରାହକ, ଡିଲର ଗଣିବେନି ଶୁଳ୍କ

ନୂଆଦିଲ୍ଲୀ : ଆସନ୍ତା ୧୩ ତାରିଖ ପରେ ବି ପେଟ୍ରୋଲ ପମ୍ପରେ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ମାଧ୍ୟମରେ ଗ୍ରାହକମାନେ ପେଟ୍ରୋଲ ଏବଂ ଡିଜେଲ କିଣିପାରିବେ। ସୋମବାର ସରକାର ଏହା ସ୍ପଷ୍ଟ କରିଛନ୍ତି। ତେବେ ଏହି ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌(ଏମ୍‌ଡିଆର) ବା କାରବାର ଶୁଳ୍କ କିଏ ବହନ କରିବ ସେ ନେଇ ବ୍ୟାଙ୍କ ଏବଂ ତୈଳ କମ୍ପାନିଙ୍କ ମଧ୍ୟରେ ଆଲୋଚନା ଚାଲିଛି ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।  ଡିଜିଟାଲ କାରବାର ପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ବରଂ ଲୋକମାନେ ଡିଜିଟାଲ କାରବାର ମାଧ୍ୟମରେ ପେଟ୍ରୋଲ ଏବଂ ଡିଜେଲ କିଣିଲେ ୦.୭୫ ପ୍ରତିଶତ ରିହାତି ମିଳିବ ବୋଲି ସରକାର ପୂର୍ବରୁ ଯେଉଁ ଘୋଷଣା କରିଛନ୍ତି ତାହା ଜାରି ରହିବ। ସେହିଭଳି ପେଟ୍ରୋଲ ପମ୍ପଗୁଡ଼ିକ ତେଲ କମ୍ପାନିଙ୍କର କମିସନ ଏଜେଣ୍ଟ ଭାବେ କାମ କରୁଥିବାରୁ ସେମାନଙ୍କ ଉପରେ ମଧ୍ୟ ଏହି ବୋଝ ଲଦାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। 
 
ପଏଣ୍ଟ ଅଫ୍‌ ସେଲ୍‌ସ(ପିଓଏସ୍‌)ରେ କ୍ରେଡିଟ ଏବଂ ଡେବିଟ୍‌ କାର୍ଡରେ ତେଲ ବିକ୍ରି କରିଲେ ୧ ପ୍ରତିଶତ ପର୍ଯ୍ୟନ୍ତ କାରବାର ଶୁଳ୍କ ଦେବାକୁ ପଡ଼ିବ ବୋଲି ବ୍ୟାଙ୍କ ଗୁଡ଼ିକ କହିଥିଲେ। ଏହାକୁ ପେଟ୍ରୋଲ ପମ୍ପ ଡିଲର ସଂଘ ଗୁଡ଼ିକ ତୀବ୍ର ବିରୋଧ କରିଥିଲେ। ରବିବାର ମଧ୍ୟରାତ୍ରିରୁ କାର୍ଡରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ହସ୍ତକ୍ଷେପ କରିଥିଲେ। ବ୍ୟାଙ୍କ ଗୁଡ଼ିକ ୫ ଦିନ ପାଇଁ କାରବାର ଫି ଆଦାୟ କରିବେ ନାହିଁ ବୋଲି କହିବାରୁ ପେଟ୍ରୋଲିୟମ ଡିଲର ସଂଘ ଗୁଡ଼ିକ ୧୩ ତାରିଖ ପର୍ଯନ୍ତ କାର୍ଡରେ ତେଲ ଦେବେ ବୋଲି ରବିବାର ବିଳମ୍ବିତ ରାତିରେ ଘୋଷଣା କରିଥିଲେ।
 
ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଏହା ମଧ୍ୟ କହିଛନ୍ତି ଯେ ଗତବର୍ଷ ଫେବ୍ରୁଆରିରେ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ।  ଗ୍ରାହକମାନେ ଡିଜିଟାଲ କାରବାରରେ ଏମ୍‌ଡିଆର୍‌ ଚାର୍ଜ ବହନ କରିବେ ନାହିଁ ବୋଲି କହିଥିଲେ। ଏହି ବିଜ୍ଞପ୍ତିର କାର୍ଯ୍ୟକାରିତାକୁ ସରକାର ଦେଖିବେ। 
 
ସରକାର ଡିଜିଟାଲ କାରବାରରେ ୦.୭୫ ପ୍ରତିଶତ ରିହାତି ଗ୍ରାହକଙ୍କୁ ଦେବା ଦ୍ୱାରା ତୈଳ ବିପଣନ କମ୍ପାନି ଗୁଡ଼ିକୁ ୫ ହଜାର କୋଟି ଟଙ୍କାର ବୋଝ ବହନ କରିବାକୁ ପଡ଼ିବ ବୋଲି କୁହାଯାଉଛି। ତେବେ ଏହି ସଂଖ୍ୟାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ କାଳ୍ପନିକ ବୋଲି କହିଛନ୍ତି। କାର୍ଡରେ କାରବାରରେ ୨ରୁ ୩ ସଂସ୍ଥାଙ୍କର ସମ୍ପୃକ୍ତି ରହିଥାଏ। ସେମାନଙ୍କ ମଧ୍ୟରେ ଏହି ଏମ୍‌ଡିଆର ଚାର୍ଜ ଜନିତ ବୋଝ ବଣ୍ଟନ ହେବ। ଆସନ୍ତା ୧୩ ତାରିଖ ପୂର୍ବରୁ ଏହି ବିଷୟର  ଆପୋସ ସମାଧାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଗୋଟିଏ ପଟେ ସରକାର ଡିଜିଟାଲ୍‌ କାରବାରକୁ ପ୍ରୋତ୍ସାହନ ଦେଉଥିବା ବେଳେ ଅନ୍ୟ ପଟେ ବ୍ୟାଙ୍କଗୁଡ଼ିକ କାରବାର ଶୁଳ୍କ ଲାଗୁ କରିବା ନିଷ୍ପତ୍ତି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଡିଜିଟାଲ୍‌ କାରବାର ପ୍ରୋତ୍ସାହନ ଯୋଜନା ପ୍ରସ୍ତୁତ କରିବା ବେଳେ ବ୍ୟାଙ୍କଗୁଡ଼ିକର ସ୍ୱାର୍ଥ ପ୍ରତି ସରକାର ଦୃଷ୍ଟି ଦେଇନଥିବା ଜଣାପଡୁଛି।