26 June 2017
12:41:58 AM
Sambad News
ବାଣିଜ୍ୟ

୯୫% ଇଞ୍ଜିନିୟର ସଫ୍ଟଓୟାର ପାଇଁ ଅଯୋଗ୍ୟ

By Sambad | Date: Apr 21 2017 1:12AM
୯୫% ଇଞ୍ଜିନିୟର ସଫ୍ଟଓୟାର ପାଇଁ ଅଯୋଗ୍ୟ

ନୂଆଦିଲ୍ଲୀ: ଦେଶରେ ସୂଚନା ପ୍ରଯୁକ୍ତ ଓ ଡାଟା ସାଇନ୍ସ ପାଇଁ ପ୍ରତିଭାବାନ ଇଞ୍ଜିନିୟରଙ୍କ ଘୋର ଅଭାବ ରହିଛି। ଭାରତର ୯୫% ଇଞ୍ଜିନିୟର  ସଫ୍ଟଓୟାର ବିକାଶ କାମ କରିବାକୁ ଅନୁପଯୁକ୍ତ। ଏକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ଆସ୍ପାୟାରିଂ ମାଇଣ୍ଡସ୍‌ ପକ୍ଷରୁ କରାଯାଇଥିବା ଏହି ସର୍ଭେରୁ ଜଣାପଡ଼ିଛି ଯେ ଦେଶର ମାତ୍ର ୪.୭୭% ଇଞ୍ଜିନିୟର ସଫଟ୍‌ଓୟାର ବିକାଶ କରିବା ପାଇଁ ପ୍ରୋଗ୍ରାମିଂ ଲଜିକ୍‌ ଲେଖିପାରିବେ। ଅନ୍ୟମାନେ ଏଥିପାଇଁ ସମ୍ପୂର୍ଣ୍ଣ ଅନ୍‌ଫିଟ୍‌। ସେମାନେ ସଫ୍ଟଓୟାର ବିକଶିତ କରିବା ଚାକିରି କରିପାରିବେ ନାହିଁ।

ସର୍ଭେରେ ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜର ୫୦୦ ବିଭାଗର ୩୬ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ  ନେଇ ସର୍ଭେ କରାଯାଇଥିଲା। ଦୁଇ ତୃତୀୟାଂଶ ଛାତ୍ରଛାତ୍ରୀ ଠିକ୍‌ କୋଡ୍‌ ଲେଖିବାରେ ବିଫଳ ହୋଇଥିଲେ। ୬୦ ପ୍ରତିଶତରୁ ଅଧିକ ଅଂଶଗ୍ରହଣକାରୀ ସଠିକ୍‌ କୋଡ୍‌ ଲେଖିବାରେ ବିଫଳ ହୋଇଥିବା ବେଳେ ମାତ୍ର ୧.୪୪% ଛାତ୍ରଛାତ୍ରୀ ସଠିକ୍‌ କୋଡ୍‌ ଲେଖିପାରିଥିଲେ। 

ଆସ୍ପାୟାରିଙ୍ଗ ମାଇଣ୍ଡସ୍‌ର ପ୍ରତିଷ୍ଠାତା ତଥା ସିଇଓ ବରୁଣ ଅଗ୍ରଓ୍ଵାଲ୍‌ କହିଛନ୍ତି ଯେ ସଫ୍ଟଓୟାର ବିକାଶ କରିବାରେ ପ୍ରତିଭାର ଏଭଳି ଅଭାବ ଦେଶର ଦେଶର ଆଇଟି ବ୍ୟବସ୍ଥାକୁ ପ୍ରଭାବିତ କରିପାରେ। ଭାରତକୁ ଏ ଦିଗରେ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। 

ପ୍ରଥମ ଓ ତୃତୀୟ ଶ୍ରେଣୀର କଲେଜଗୁଡ଼ିକ ଭିତରେ ପ୍ରୋଗ୍ରାମିଂ ଦକ୍ଷତାରେ ୫ ଗୁଣ ଅନ୍ତର ଦେଖାଦେଇଛି। ଦେଶର ଶ୍ରେଷ୍ଠ ୧୦୦ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୬୯% ଛାତ୍ରଛାତ୍ରୀ ଠିକ୍‌ କୋଡ୍‌ ଲେଖିପାରୁଛନ୍ତି। ଅନ୍ୟ କଲେଜ୍‌ଗୁଡ଼ିକରେ ଏହି ହାର ୩୧%ରେ ରହିଛି।