30 March 2017
8:12:09 AM
Sambad News
ବାଣିଜ୍ୟ

କଲେଜରେ ଆକ୍ସିସ୍‌ ବ୍ୟାଙ୍କର ଡିଜିଟାଲ୍‌ କାରବାର ସଚେତନତା

By Sambad | Date: Jan 11 2017 1:15AM
କଲେଜରେ ଆକ୍ସିସ୍‌ ବ୍ୟାଙ୍କର ଡିଜିଟାଲ୍‌ କାରବାର ସଚେତନତା

ଭୁବନେଶ୍ୱର: ବିମୁଦ୍ରାକରଣ ପରେ ଡିଜିଟାଲ୍‌ କାରବାର ପରିମାଣ ବେଶ ବଢ଼ିଯାଇଛି। ଡିଜିଟାଲ୍‌ କାରବାରକୁ ନେଇ ଯୁବବର୍ଗମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ କଲେଜକୁ ବ୍ୟବହାର କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ରାଜ୍ୟର ୧୦୦ ପାଖାପାଖି କଲେଜକୁ ସାମିଲ କରିସାରିଛି। କେବଳ ସେତିକି ନୁହେଁ ସହରରେ ବାସ କରୁଥିବା ଲୋକମାନଙ୍କୁ ଡିଜିଟାଲ୍‌ କାରବାର ବିଷୟରେ ସଚେତନ କରିବା ନିମନ୍ତେ ବ୍ୟାଙ୍କ ପକ୍ଷରୁ ଏକ ଭ୍ୟାନ୍‌ ପ୍ରସ୍ତୁତ କରାଯାଇଛି। ସେଥିରେ ଇଣ୍ଟରନେଟ୍‌ର ବ୍ୟବସ୍ଥା ରହିଛି। ଏହି ଭ୍ୟାନ୍‌ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଡିଜିଟାଲ୍‌ କାରବାରର ବିଭିନ୍ନ ମାଧ୍ୟମ ଓ ସେଗୁଡ଼ିକୁ କିଭଳି ସୁରକ୍ଷିତ ଭାବେ ବ୍ୟବହାର କରାଯାଇପାରିବ, ସେହି ସବୁ ପ୍ରକ୍ରିୟା ପ୍ରଦର୍ଶନ କରାଯାଉଛି। ବିମୁଦ୍ରାକରଣ ପରେ ଦେଶରେ ମୋବାଇଲ୍‌ ବ୍ୟାଙ୍କିଙ୍ଗ କାରବାରରେ ୫୮ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ଆକ୍ସିସ୍‌ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ (ଖୁଚୁରା ବ୍ୟାଙ୍କିଙ୍ଗ) ରାଜୀବ ଆନନ୍ଦ କହିଛନ୍ତି। ଆକ୍ସିସ୍‌ ବ୍ୟାଙ୍କର ପଏଣ୍ଟ୍‌ ଅଫ୍‌ ସେଲ୍‌ (ପିଓଏସ୍‌) କାରବାରରେ ୭୩୦ ପ୍ରତିଶତର ବୃଦ୍ଧି ହୋଇଥିବା ସେ କହିଛନ୍ତି। ଶ୍ରୀ ଆନନ୍ଦ କହିଛନ୍ତି ଯେ ଓଡ଼ିଶାରେ ଆକ୍ସିସ୍‌ ବ୍ୟାଙ୍କ ମାର୍ଚ ସୁଦ୍ଧା ୫ଟି ନୂଆ ଶାଖା ଓ ୧୦-୧୫ଟି ନୂଆ ଏଟିଏମ୍‌ ସ୍ଥାପନ କରିବାକୁ ଯୋଜନା ରଖିଛି।