19 September 2017
5:02:33 PM
Sambad News
ବାଣିଜ୍ୟ

‘ଚାହିଦା, ଜନସଂଖ୍ୟା ଭାରତର ବଳ’

By Sambad | Date: Jan 11 2017 1:21AM
‘ଚାହିଦା, ଜନସଂଖ୍ୟା ଭାରତର ବଳ’

ଗାନ୍ଧୀନଗର: ଭାରତର ବଳ ହେଉଛି ଗଣତନ୍ତ୍ର, ଜନସଂଖ୍ୟା ଏବଂ ଗଣତନ୍ତ୍ର। ଏହି ମନ୍ତବ୍ୟକୁ ପୁଣି ଥରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାରେ ୧୦ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଭାଇବ୍ରାଣ୍ଟ ଗୁଜରାଟ ଆନ୍ତର୍ଜାତିକ ସମ୍ମିଳନୀକୁ ଉଦ୍‌ଘାଟନ କରି ମୋଦି କହିଛନ୍ତି କେତେକ ବ୍ୟକ୍ତି କୁହନ୍ତି ଗଣତନ୍ତ୍ରରେ ଶୀଘ୍ର ନିଷ୍ପତ୍ତି ନିଆଯାଇ ପାରେ ନାହିଁ। କିନ୍ତୁ ଗତ ଅଢ଼େଇ ବର୍ଷର ଶାସନ କାଳରେ ଅନେକ ଦ୍ରୁତ ନିଷ୍ପତ୍ତି ନିଆଯାଇଛି। ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନର ସେ ଉଚ୍ଚ ପ୍ରଶଂସା କରିଛନ୍ତି। ଏହା ଏକ ବଡ଼ ବ୍ରାଣ୍ଡ୍‌ରେ ପରିଣତ ହୋଇଛି। ଭାରତ ବିଶ୍ୱର ଷଷ୍ଠ ବୃହତ୍‌ ବିନିର୍ମାଣ(ମ୍ୟାନୁଫାକ୍‌ଚରିଂ) ଦେଶ ହୋଇପାରିଛି। ଭାରତରେ ପୂର୍ବ ସରକାରଙ୍କ ସମୟରେ ହୋଇଥିବା ଭ୍ରଷ୍ଟାଚାରକୁ ଦୂର କରିବା ପାଇଁ  ୨୦୧୪ ମସିହାରେ ଲୋକେ ଏନ୍‌ଡିଏକୁ ଶାସନ ଗାଦିରେ ବସାଇଛନ୍ତି।

ଏନ୍‌ଡିଏ ମଧ୍ୟ ଦେଶକୁ ସ୍ୱଚ୍ଛ ଶାସନ ଦେବା ସହିତ ପୂର୍ବ ସରକାରଙ୍କ ଅମଳରେ ଚାଲିଥିବା ପ୍ରିୟାପ୍ରୀତି ତୋଷଣ ଏବଂ  ଦୁର୍ନୀତିକୁ ରୋକିବା ଲାଗି ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା। ଭାରତର ପ୍ରଗତି ପାଇଁ ଏନ୍‌ଡିଏ ସରକାର କିଭଳି କାର୍ଯ୍ୟ କରୁଛି ପ୍ରଧାନମନ୍ତ୍ରୀ ମୋଦି ତାହାକୁ ବଖାଣିଥିଲେ। ଦେଶର ରାଜନୀତି ଏବଂ ଅର୍ଥନୀତିରେ ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଅଣାଯାଇଥିବା ସେ କହିଥିଲେ। ସମ୍ପର୍କ ଭିତ୍ତିକ ଶାସନ ପରିବର୍ତ୍ତେ ବ୍ୟବସ୍ଥା ଭିତ୍ତିକ ଶାସନ, ପକ୍ଷପାତିତା ପରିବର୍ତ୍ତେ ସମାନ ସୁଯୋଗ ସୃଷ୍ଟି, ଅଣଆନୁଷ୍ଠାନିକ ପରିବର୍ତ୍ତେ ଆନୁଷ୍ଠାନିକ ଅର୍ଥନୀତି ଗଠନ କରାଯାଇଛି। ବ୍ୟାବସାୟିକ ବାତାବରଣକୁ ସରଳ କରିବା ଲାଗି ପ୍ରତିଦିନ ନୀତି ନିୟମରେ ସଂସ୍କାର ଅଣାଯାଉଛି। ବିଶ୍ୱର ପ୍ରମୁଖ ମୁକ୍ତ ଅର୍ଥନୀତି ମଧ୍ୟରେ ଭାରତ ରହିଛି ବୋଲି ସେ କହିଛନ୍ତି। 

 

image