21 July 2017
2:10:10 AM
image
Sambad News
ବାଣିଜ୍ୟ

ଏକ ତୃତୀୟାଂଶ ସୁନା ଚୋରାଚାଲାଣ

ସରକାରଙ୍କ ରାଜସ୍ୱ କ୍ଷତି ୧୦୦ କୋଟି ଡଲାର

By Sambad | Date: Aug 24 2016 7:32AM
ଏକ ତୃତୀୟାଂଶ ସୁନା ଚୋରାଚାଲାଣ

 ମୁମ୍ବାଇ : ଭାରତରେ ସୁନାର ଚୋରାଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ସରକାରଙ୍କ ରାଜସ୍ୱ ମଧ୍ୟ ବହୁ ମାତ୍ରାରେ ହ୍ରାସ ପାଉଛି। କିଛି ମାସ ପୂର୍ବେ ଦେଶର ସୁନା ବିଶୋଧନକାରୀମାନେ ସେମାନଙ୍କ ବିଶୋଧନ କ୍ଷମତା ବୃଦ୍ଧି କରୁଥିଲେ। ସୁନା ଖଣି ସଂସ୍ଥା ଗୁଡ଼ିକ ଠାରୁ ଅଧିକ ମାତ୍ରାର କଞ୍ଚାମାଲ ପାଇବା ପାଇଁ ପ୍ରତିଯୋଗିତା କରୁଥିଲେ। କିନ୍ତୁ ଚୋରାଚାଲାଣ ବୃଦ୍ଧି ଯୋଗୁଁ ବିଶୋଧନକାରୀମାନେ ସେମାନଙ୍କ ବିଶୋଧନ କାର୍ଯ୍ୟକୁ କମାଇ ଦେଇଛନ୍ତି। ଦେଶକୁ ବେଆଇନ ଭାବେ ସୁନା ଚୋରାଚାଲାଣ ହେବା ଯୋଗୁଁ ସୁନା ଆମଦାନି କରୁଥିବା ବ୍ୟାଙ୍କ ଏବଂ ବୃହତ୍‌ ଗହଣା ନିର୍ମାତାମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି।  ଏହି ସବୁ ବୃହତ୍‌ ଗହଣା ନିର୍ମାତା ଏବଂ ବ୍ୟାଙ୍କ ଗୁଡ଼ିକ ସାଧାରଣତଃ ଆମଦାନି ଶୁଳ୍କ  ନ ଫାଙ୍କି ସୁନା ଆମଦାନି କରିଥାନ୍ତି। କିନ୍ତୁ ଚୋରାରେ ସୁନା ଆମଦାନି କରୁଥିବା ସଂସ୍ଥା ଗୁଡ଼ିକ ବ୍ୟବସାୟୀ ଏବଂ ଗ୍ରାହକଙ୍କୁ କମ୍‌ ମୂଲ୍ୟରେ ସୁନା ବିକ୍ରି କରୁଛନ୍ତି।
ଭାରତରେ ଚଳିତ ବର୍ଷ ସୁନାର ଚାହିଦା ଯାହା ରହିଛି ତାହାର ପ୍ରାୟ ଏକ ତୃତୀୟାଂଶରୁ ଅଧିକ ଚୋରା ଚାଲାଣ ହୋଇପାରେ ବୋଲି ଆକଳନ କରାଯାଉଛି। ଫଳରେ ସରକାର ଚଳିତ ବର୍ଷ ପ୍ରାୟ ୧୦୦ କୋଟି ଡଲାରରୁ ଅଧିକ ରାଜସ୍ୱ ହରାଇ ପାରନ୍ତି ବୋଲି ଆକଳନ କରାଯାଉଛି। ସୁନା ଚୋରା ଚାଲାଣ ବୃଦ୍ଧି ଯୋଗୁଁ ସରକାର ଆଦାୟ କରୁଥିବା ୧୦ ପ୍ରତିଶତ ଆମଦାନି ଶୁଳ୍କ ଏବଂ ନିକଟରେ ସୁନା ଗହଣା ଉପରେ ଲାଗୁ ହୋଇ ଆସୁଥିବା ଅନ୍ୟାନ୍ୟ ଟିକସ ହ୍ରାସ ପାଇଁ ଚାପ ସୃଷ୍ଟି ହୋଇପାରେ। ବିଶେଷଜ୍ଞଙ୍କ କହିବାନୁଯାୟୀ ଏସବୁ ଟିକସ ଯୋଗୁଁ ସୁନାର ଚୋରାଚାଲାଣ ବୃଦ୍ଧି ପାଉଛି। 
ସୁନା ବିଶୋଧକମାନେ ସେମାନଙ୍କ ବ୍ୟବସାୟରେ ୧ ପ୍ରତିଶତ ଲାଭ ପାଇଥାନ୍ତି। ଯଦି ଚୋରାଚାଲାଣକାରୀ ମାନେ ୪ରୁ ୫ ପ୍ରତିଶତ କମ୍‌ ମୂଲ୍ୟରେ ସୁନା ବିକ୍ରି କରନ୍ତି ତାହେଲେ ଆମକୁ ବ୍ୟବସାୟ ବନ୍ଦ କରିବାକୁ ପଡ଼ିବ ବୋଲି ଆସୋସିଏସନ ଅଫ୍‌ ଗୋଲ୍‌ଡ ରିଫାଇନେରିଜ୍‌ ଆଣ୍ଡ ମିଣ୍ଟ୍‌ସର ସେକ୍ରେଟାରି ଜେମ୍‌ସ ଜୋସ୍‌ କୁହନ୍ତି। ସେ କୁହନ୍ତି ଦେଶରେ ସମସ୍ତ ୩୨ଟି ଯାକ ବିଶୋଧନ ସଂସ୍ଥା ଗତ କିଛି ମାସ ହେଲା ସୁନାର କଞ୍ଚାମାଲ କ୍ରୟ କରିବା ବନ୍ଦ କରି ଦେଇଛନ୍ତି। ବଜାର ଅବସ୍ଥା ନ ସୁଧୁରିବା ପର୍ଯ୍ୟନ୍ତ ସେମାନେ ସ୍କ୍ରାପ୍‌ ସୁନା ଉପରେ ନିର୍ଭର କରିବେ ବୋଲି ଶ୍ରୀ ଜୋସ୍‌ କହିଛନ୍ତି। ଗତବର୍ଷ ସେମାନେ ୧୨୦ ଟନ୍‌ ସୁନା ବିଶୋଧନ କରିଥିଲେ। ଚଳିତ ବର୍ଷ ସ୍କ୍ରାପ୍‌ ମାଧ୍ୟମରେ ୨୦ ଟନ୍‌ ପର୍ଯ୍ୟନ୍ତ ସୁନା ବିଶୋଧନ କରିପାରିବେ ବୋଲି କହିଛନ୍ତି।