18 January 2017
7:11:58 AM
Sambad News
ବାଣିଜ୍ୟ

ସରକାର ଦେଇଥିଲେ ବିମୁଦ୍ରାକରଣ ପ୍ରସ୍ତାବ

୨୦୦୦ ଟଙ୍କିଆ ଛାପିବାକୁ ୨୦୧୬ ମେ’ରେ କହିଥିଲେ

By Sambad | Date: Jan 11 2017 1:23AM
ସରକାର ଦେଇଥିଲେ ବିମୁଦ୍ରାକରଣ ପ୍ରସ୍ତାବ

ନୂଆଦିଲ୍ଲୀ: ସରକାର ହିଁ ତାଙ୍କ ଆଡ଼ୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ବିମୁଦ୍ରାକରଣ ପାଇଁ ଉପଦେଶ ଦେଇଥିଲେ। ଏହା ପରେ ଆର୍‌ବିଆଇ କେନ୍ଦ୍ରୀୟ ବୋର୍ଡ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ କରିବା ପାଇଁ ସୁପାରିସ କରିଥିଲା। 

ନଭେମ୍ବର ୭ ତାରିଖରେ ସରକାର ରିଜର୍ଭ ବ୍ୟାଙ୍କକୁ ଉପଦେଶ ଦେଇଥିଲେ। ଏହା ପରଦିନ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକ ବସି ବିମୁଦ୍ରାକରଣ ପାଇଁ ସୁପାରିସ କରାଯାଇଥିଲା। 

କଂଗ୍ରେସ ଏମ୍‌ପି ଏମ୍‌. ବୀରାପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଗଠିତ ଅର୍ଥ ସଂକ୍ରାନ୍ତ ସଂସଦୀୟ କମିଟିକୁ ରିଜର୍ଭ ବ୍ୟାଙ୍କ ଏହା କହିଛି। ଏକ ସାତ ପୃଷ୍ଠାର ରିପୋର୍ଟ ରିଜର୍ଭ ବ୍ୟାଙ୍କ କମିଟି ନିକଟକୁ ପଠାଇଛି। ଏଥିରେ କୁହାଯାଇଛି ଯେ ସରକାରଙ୍କ ଉପଦେଶର ପରଦିନ ତାରିଖରେ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକ ବସିଥିଲା। ବୋର୍ଡର ଏହି ସୁପାରିସର କିଛି ଘଣ୍ଟା ପରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ବସିଥିଲା। ଏହା ପରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରାଯାଇଥିଲା। 

ତେବେ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ କେତେଜଣ ମନ୍ତ୍ରୀ କହି ଆସୁଥିଲେ ଯେ ରିଜର୍ଭ ବ୍ୟାଙ୍କର ସୁପାରିସ ଆଧାରରେ ବିମୁଦ୍ରାକରଣ ହୋଇଥିଲା।  

ଏହାବାଦ୍‌ ସଂସଦୀୟ କମିଟିକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପଠାଯାଇଥିବା ଉତ୍ତରରେ କୁହାଯାଇଛି ଯେ ନକଲି ନୋଟ୍‌ର ପ୍ରଚଳନକୁ ରୋକିବା ଲାଗି ଅଧିକ ନିରାପତ୍ତା ବ୍ୟବସ୍ଥା ଥିବା ନୂଆ ନୋଟ୍‌ ଛାପିବା ଲାଗି କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିଲା। ତେବେ ବଡ଼ ନୋଟ୍‌ର ବିମୁଦ୍ରାକରଣ କରି ନକଲି ନୋଟ୍‌, ସନ୍ତ୍ରାସବାଦୀଙ୍କୁ ଅର୍ଥ ଯୋଗାଣ ଏବଂ କଳା ଟଙ୍କାକୁ ରୋକାଯାଇପାରିବ। ତେବେ ବିମୁଦ୍ରାକରଣ ନେଇ ସେଭଳି କୌଣସି ନିଷ୍ପତ୍ତି ଦୃଢ଼ ନିଷ୍ପତ୍ତି ନିଆଯାଇ ନଥିଲେ ମଧ୍ୟ ଅଧିକ ନିରାପତ୍ତା  ବୈଶିଷ୍ଟ୍ୟ ଥିବା ନୂଆ ସିରିଜ୍‌ ନୋଟ୍‌ ପ୍ରଚଳନ ପାଇଁ ପ୍ରସ୍ତୁତି ଚାଲିଥିଲା। 

ଏତଦ୍‌ବ୍ୟତୀତ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ କେତେକ କାରଣ ଯୋଗୁଁ ୫୦୦୦ ଏବଂ ୧୦,୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ପାଇଁ ସରକାରଙ୍କୁ ୨୦୧୪ ଅକ୍ଟୋବର ୭ ତାରିଖରେ ସୁପାରିସ କରାଯାଇଥିଲା। କିନ୍ତୁ ୨୦୧୬ ମେ ୧୮ ତାରିଖରେ ସରକାର ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ପାଇଁ ରାଜି ହୋଇଥିଲେ। ଏହାପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ୨୦୧୬ ମେ ୨୭ ତାରିଖରେ ଏହା ମଧ୍ୟ ସୁପାରିସ କରାଯାଇଥିଲା ଯେ ନୂଆ ଡିଜାଇନ୍‌ର ଅନ୍ୟ ନୋଟ୍‌ ସହିତ ନୂଆ ୨୦୦୦ ଟଙ୍କିଆ ନୋଟ୍‌ ଛପାଯିବ। ସରକାର ୨୦୧୬ ଜୁନ୍‌ ୭ ତାରିଖରେ ନୂଆ ସିରିଜ୍‌ ନୋଟ୍‌ ଛାପିବା ପାଇଁ ଚୂଡ଼ାନ୍ତ ମଞ୍ଜୁରି ଦେଇଥିଲେ। ଏହାପରେ ନୋଟ ଛପା କାରଖାନାଗୁଡ଼ିକ ନୂଆ ସିରିଜ୍‌ ନୋଟ୍‌ ଛପା ଆରମ୍ଭ ଲାଗି ନିର୍ଦ୍ଦେଶ ଦେଇଥିଲା। ନୂଆ ଡିଜାଇନ ବା ନୂଆ ମୂଲ୍ୟର ନୋଟ୍‌ ଛପା ବିଷୟ ଜଣାପଡ଼ିଲେ ଲୋକଙ୍କ ମନରେ ଏ ନେଇ ନାନା କୌତୂହଳ ଦେଖାଦେବାକୁ ଥିବାରୁ ବହୁ ପରିମାଣର ୨୦୦୦ ଟଙ୍କିଆ ନୋଟ୍‌ ଛପା ଯାଇ ଦେଶର ବିଭିନ୍ନ ସ୍ଥାନକୁ ଏକ ସଙ୍ଗରେ ପଠାଯାଇପାରିବ ବୋଲି ରିଜର୍ଭ ବ୍ୟାଙ୍କ ସଂସଦୀୟ କମିଟିକୁ କହିଛି।