17 January 2017
12:48:10 AM
Sambad News
ବାଣିଜ୍ୟ

ବିଶ୍ୱର ସପ୍ତମ ବଡ଼ ଧନୀ ଦେଶ ଭାରତ

By Sambad | Date: Aug 24 2016 6:51AM
ବିଶ୍ୱର ସପ୍ତମ ବଡ଼ ଧନୀ ଦେଶ ଭାରତ
ଫଟୋ: ଇଣ୍ଟରନେଟ୍‌

ନୂଆଦିଲ୍ଲୀ : ବିଶ୍ୱର ୧୦ଟି ବୃହତ୍‌ ଧନୀ ଦେଶଙ୍କ ମଧ୍ୟରେ ଭାରତ ସ୍ଥାନ ପାଇଛି। ବ୍ୟକ୍ତିଗତ ସମ୍ପତ୍ତି ଭାବେ ଭାରତୀୟଙ୍କ ନିକଟରେ ମୋଟ ୫ ଲକ୍ଷ ୬୦ ହଜାର କୋଟି ଡଲାର ମୂଲ୍ୟର ସମ୍ପତ୍ତି ରହିଛି। ଫଳରେ କାନାଡା, ଅଷ୍ଟ୍ରେଲିଆ ଏବଂ ଇଟାଲିକୁ ପଛରେ ପକାଇ ଭାରତ  ଏହି ତାଲିକାର ସପ୍ତମ ସ୍ଥାନରେ ରହିଛି ବୋଲି ନ୍ୟୁ ଓ୍ଵାର୍ଲଡ େଓ୍ଵଲଥ୍‌ ନାମକ ଏକ ରିପୋର୍ଟରେ କୁହାଯାଇଛି।
ଏହି ରିପୋର୍ଟରୁ ଜଣାଯାଇଛି ତାଲିକାର ଶୀର୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ରହିଛି। ଆମେରିକୀୟଙ୍କ ନିକଟରେ ମୋଟ ୪୮ ଲକ୍ଷ ୯୦ ହଜାର କୋଟି ଡଲାର ମୂଲ୍ୟର ସମ୍ପତ୍ତି ରହିଛି। ଆମେରିକା ପଛକୁ ଚୀନ୍‌ ଦ୍ୱିତୀୟ ଏବଂ ଜାପାନ ତୃତୀୟ ସ୍ଥାନରେ ରହିଛି। ଚୀନ୍‌ବାସୀଙ୍କ ନିକଟରେ ୧୭ ଲକ୍ଷ ୪୦ ହଜାର କୋଟି ଡଲାରର ସମ୍ପତ୍ତି ଥିବାବେଳେ ଜାପାନବାସୀଙ୍କ ପାଖରେ ୧୫ ଲକ୍ଷ ୧୦ ହଜାର କୋଟି ଡଲାରର ସମ୍ପତ୍ତି ରହିଛି। ତାଲିକାର ପ୍ରଥମ ୧୦ଟି ସ୍ଥାନ ମଧ୍ୟରେ ଅନ୍ୟ ଯେଉଁ ଦେଶ ଗୁଡ଼ିକ ସ୍ଥାନ ପାଇଛନ୍ତି ସେମାନେ ହେଲେ ବ୍ରିଟେନ୍‌, ଜର୍ମାନୀ ଏବଂ ଫ୍ରାନ୍ସ।  ବ୍ରିଟେନ୍‌ବାସୀଙ୍କ ନିକଟରେ ୯ ଲକ୍ଷ ୨୦ ହଜାର କୋଟି ଡଲାର ମୂଲ୍ୟର ସମ୍ପତ୍ତି ରହିଛି। ଫଳରେ ଏହି ଦେଶ ଚତୁର୍ଥ ସ୍ଥାନରେ ରହିଛି। ଜର୍ମାନୀବାସୀଙ୍କ ନିକଟରେ ୯ ଲକ୍ଷ ୧୦ ହଜାର କୋଟି ଡଲାର ସମ୍ପତ୍ତି ଥିବାବେଳେ ସେମାନେ ପଞ୍ଚମ ସ୍ଥାନରେ ଅଛନ୍ତି। ଫ୍ରାନ୍ସ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଫ୍ରାନ୍ସବାସୀଙ୍କ ନିକଟରେ ୬ ଲକ୍ଷ ୬୦ ହଜାର କୋଟି ଡଲାର ମୂଲ୍ୟର ସମ୍ପତ୍ତି ରହିଛି। ସେହିଭଳି କାନାଡାବାସୀ ୪ ଲକ୍ଷ ୭୦ ହଜାର କୋଟି ଡଲାର ସମ୍ପତ୍ତି ସହ ସପ୍ତମ, ଅଷ୍ଟ୍ରେଲିଆବାସୀ ୪ ଲକ୍ଷ ୫୦ ହଜାର କୋଟି ଡଲାର ସମ୍ପତ୍ତି ସହ ଅଷ୍ଟମ ଏବଂ ଇଟାଲୀବାସୀ ୪ ଲକ୍ଷ ୪୦ ହଜାର କୋଟି ଡଲାର ସହିତ ଦଶମ ସ୍ଥାନରେ ରହିଛନ୍ତି।
ଲୋକଙ୍କ ନିକଟରେ ଥିବା ନିଟ୍‌ ସମ୍ପତ୍ତିକୁ ହିସାବକୁ ନିଆଯାଇ ଏହି ତାଲିକା ପ୍ରସ୍ତୁତ ହୋଇଛି। ଏଥିରେ ଲୋକଙ୍କ ସମ୍ପତ୍ତି, ନଗଦ ଅର୍ଥ, ଇକ୍ୱିଟି ଏବଂ ଅନ୍ୟାନ୍ୟ ବ୍ୟବସାୟିକ ନିବେଶ)କୁ ବିଚାରକୁ ନିଆଯାଇଛି। ସରକାରଙ୍କ ପାଣ୍ଠିକୁ ଏହି ତାଲିକା ପ୍ରସ୍ତୁତିରେ ହିସାବକୁ ନିଆଯାଇ ନାହିଁ।
ତେବେ ଭାରତ ଏହି ତାଲିକାରେ ରହିବାର ଏକ ପ୍ରମୁଖ କାରଣ ହେଲା ଦେଶର ବିଶାଳ ଜନସଂଖ୍ୟା।  ଅଷ୍ଟ୍ରେଲିଆର ଜନସଂଖ୍ୟା ୨ କୋଟି ୨୦ ଲକ୍ଷ ହୋଇଥିବା ବେଳେ ସମ୍ପତ୍ତି ଦୃଷ୍ଟିରୁ ଏହି ଦେଶ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଗତ ୫ ବର୍ଷ ମଧ୍ୟରେ ଚୀନ୍‌ବାସୀଙ୍କ ସମ୍ପତ୍ତି ଅଭିବୃଦ୍ଧି ସବୁଠୁ ଅଧିକ ରହିଛି। ତେବେ ଅଷ୍ଟ୍ରେଲିଆ ଏବଂ ଭାରତୀୟଙ୍କ ସମ୍ପତ୍ତି ଅଭିବୃଦ୍ଧି ମଧ୍ୟ ଭଲ ରହିଛି।  ଗତ ବର୍ଷକ ମଧ୍ୟରେ ଇଟାଲିକୁ ଏ କ୍ଷେତ୍ରରେ ଭାରତ, ଅଷ୍ଟ୍ରେଲିଆ ଏବଂ କାନାଡା ଅତିକ୍ରମ କରିଛନ୍ତି। ଚଳିତ ବର୍ଷ ଜୁନ୍‌ ପର୍ଯ୍ୟନ୍ତ ସମ୍ପତ୍ତିର ହିସାବକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି।