17 January 2017
12:44:19 AM
Sambad News
ବାଣିଜ୍ୟ

କେନଷ୍ଟାର୍‌ ଆଣିବ ୨ଟି ନୂଆ ମିକ୍ସଚର୍‌ ଗ୍ରାଇଣ୍ଡର୍‌

By Sambad | Date: Aug 24 2016 7:51AM
କେନଷ୍ଟାର୍‌ ଆଣିବ ୨ଟି ନୂଆ ମିକ୍ସଚର୍‌ ଗ୍ରାଇଣ୍ଡର୍‌

 
ଭୁବନେଶ୍ୱର : ଦେଶର ଅଗ୍ରଣୀ କୁଲର୍‌ ଓ ହୋମ୍‌ ଆପ୍ଲାଏନ୍ସ ନିର୍ମାତା କେନ୍‌ଷ୍ଟାର୍‌ ପକ୍ଷରୁ ପୂଜା ବଜାରକୁ ଦୃଷ୍ଟିରେ ରଖି ଦୁଇଟି ନୂଆ ମିକ୍ସଚର୍‌ ଗ୍ରାଇଣ୍ଡର୍‌ର ବଜାର ପ୍ରବେଶ କରାଯିବ। ଏହା ବ୍ୟତୀତ କଂପାନି ଅକ୍ସି ଫ୍ରାୟର୍‌ର ଏକ ଉନ୍ନତ  ମଡେଲ୍‌ ବଜାରକୁ ଆଣିବ ବୋଲି କଂପାନିର ମୁଖ୍ୟ ଅପରେଟିଂ ଅଧିକାରୀ ମିଲନ୍‌ ଓ୍ଵାହି କହିଛନ୍ତି। ଶ୍ରୀ ଓ୍ଵାହି ଭୁବନେଶ୍ୱର କାର୍ଯ୍ୟାଳୟ ଗସ୍ତ କରିବା ଅବସରରେ ‘ସମ୍ବାଦ’ ସହ ଆଲୋଚନା କରି କହିଛନ୍ତି ଯେ, କୁଲର୍‌ ଓ ହୋମ୍‌ ଆପ୍ଲାଏନ୍ସ ବର୍ଗରେ ଆମର କାରବାର ବହୁତ ଭଲ ରହିଛି। ପୂର୍ବ ଭାରତ କାରବାରକୁ ଉଲ୍ଲେଖନୀୟ ୨୦ ପ୍ରତିଶତର ଅବଦାନ ପ୍ରଦାନ କରୁଛି। ଏଠାରେ କାରବାରକୁ ଆମେ ବହୁତ ଗୁରୁତ୍ୱ ପ୍ରଦାନ କରୁଛୁ। ସେଥିପାଇଁ ଦୁଇଟି ନୂଆ ମଡେଲ୍‌ର ମିକ୍ସଚର ଗ୍ରାଇଣ୍ଡର୍‌ ସହ ଆମର କିଛି ପୁରୁଣା ଉତ୍ପାଦର ଅପଗ୍ରେଡ୍‌ ଭର୍ସନ୍‌କୁ ବଜାରକୁ ଆଣିବୁ। ଗ୍ରାହକମାନେ ସେଗୁଡ଼ିକୁ ନିଶ୍ଚିତ ପସନ୍ଦ କରିବେ ବୋଲି ଶ୍ରୀ ଓ୍ଵାହି କହିଛନ୍ତି।
ଭିଡିଓକନ୍‌ ଗ୍ରୁପ୍‌ ଅଧୀନରେ ଥିବା କେନ୍‌ଷ୍ଟାର୍‌ ନିଜର ଉତ୍ପାଦଗୁଡ଼ିକୁ ଉତ୍ପାଦନ କରିବା ପାଇଁ ମହାରାଷ୍ଟ୍ରର ଔରଙ୍ଗାବାଦା, ଉତ୍ତର ପ୍ରଦେଶ ଓ ହାଇଦ୍ରାବାଦରେ ତିିନିଟି କାରଖାନା ପ୍ରତିଷ୍ଠା କରିଛି। ସେହି କାରଖାନାଗୁଡ଼ିକର ଉତ୍ପାଦନ କ୍ଷମତା ଏବେ ୮ ଲକ୍ଷ ୟୁନିଟ୍‌ ରହିଛି। ଆଗାମୀ ଦିନରେ ଉତ୍ପାଦନ କ୍ଷମତା ୧୦ ଲକ୍ଷରେ ପହଞ୍ଚାଇବାକୁ କଂପାନି ସଂପ୍ରସାରଣ ଯୋଜନା ଜାରି ରଖିଥିବା ସେ କହିଛନ୍ତି।
ଗତବର୍ଷ କଂପାନିର ମୋଟ ରାଜସ୍ୱ ପରିମାଣ ୪୫୦ କୋଟି ଟଙ୍କା ଥିଲା। ୨୦୧୬ରେ କଂପାନି ୬୦୦ କୋଟି ଟଙ୍କାର କାରବାର କରିବାକୁ ଲକ୍ଷ୍ୟ ରଖିଛି।  ଓଡ଼ିଶାରେ କଂପାନି ଗତବର୍ଷ ୧୫ କୋଟି ଟଙ୍କାର ବେପାର କରିଥିବା ବେଳେ ଚଳିତ ବର୍ଷ ୨୫ କୋଟି ଟଙ୍କାର ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛି ବୋଲି କେନ୍‌ଷ୍ଟାର୍‌ର ଶାଖା ପ୍ରବନ୍ଧକ ରାକେଶ ମୋହନ ପଟ୍ଟନାୟକ କହିଛନ୍ତି। 
କଂପାନିର ବିତରଣ ବ୍ୟବସ୍ଥା ବିଷୟରେ ସୂଚନା ଦେଇ ଶ୍ରୀ ଓ୍ଵାହି କହିଛନ୍ତି ଯେ ଭାରତରେ ଆମର ୬୫୦ ବିତରକ ରହିଛନ୍ତି। ଏହି ସଂଖ୍ୟା ଆମେ ବର୍ଷ ଶେଷ ସୁଦ୍ଧା ୧୦୦୦ରେ ପହଞ୍ଚାଇବାକୁ ଚାହୁଁଛୁ। ଦେଶର ପ୍ରତି ଜିଲ୍ଲାରେ ବିତରଣ କେନ୍ଦ୍ର ସ୍ଥାପନ କରିବା କଂପାନିର ଲକ୍ଷ୍ୟ ବୋଲି ସେ କହିଛନ୍ତି। କେନ୍‌ଷ୍ଟାର୍‌ର କୁଲର୍‌ ବର୍ଗରେ ୩୦ ପ୍ରକାର କୁଲର୍‌ ରହିଛି। ନିକଟରେ କଂପାନି ରିମୋଟ୍‌ କଣ୍ଟ୍ରୋଲ୍‌ ଥିବା ସ୍ମାର୍ଟ ସିରିଜ୍‌ କୁଲର୍‌ ବଜାରକୁ ଆଣିଥିଲା। ଓଡ଼ିଶାରେ ଏହାର ଡେଜର୍ଟ ସିରିଜ୍‌ ବେଶ ସଫଳ ହୋଇଥିବା ସେ କହିଛନ୍ତି।