25 June 2017
7:27:04 AM
Sambad News
ବାଣିଜ୍ୟ

ଜିଏସ୍‌ଟି ବିଳମ୍ବ ହେଲେ ସେବା କର ବଢ଼ିବ

By Sambad | Date: Jan 11 2017 1:24AM
ଜିଏସ୍‌ଟି ବିଳମ୍ବ ହେଲେ ସେବା କର ବଢ଼ିବ

ନୂଆଦିଲ୍ଲୀ: ସରକାରଙ୍କୁ ଯଦି ଲାଗିବ ଯେ ସାମଗ୍ରୀ ଓ ସେବା ଟିକସ  (ଜିଏସ୍‌ଟି) ନିର୍ଧାରିତ ସମୟ ଏପ୍ରିଲ୍‌ ୧ରେ ଲାଗୁ ହୋଇପାରିବନି ତେବେ ବଜେଟ୍‌ରେ ସେବା କର ହାର ବଢ଼ାଇ ଦିଆଯିବ। ଜିଏସ୍‌ଟି କାର୍ଯ୍ୟକାରିତା ଓ ବଜେଟ୍‌କୁ ନେଇ ସରକାର ଏଭଳି ଆଭିମୁଖ୍ୟ ରଖିଥିବା ଜଣାପଡ଼ିଛି। ଜିଏସ୍‌ଟି ଲାଗୁ ହେଲେ ସମସ୍ତ ପରୋକ୍ଷ ଟିକସ ଉଚ୍ଛେଦ ହେବ। କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ଜିଏସ୍‌ଟି ଲାଗୁ କରିବା କ୍ଷମତାକୁ ନେଇ ମତଭେଦ ଦୂର ହେଉନାହିଁ। ତେଣୁ ଏପ୍ରିଲ୍‌ ୧ରୁ ଜିଏସ୍‌ଟି ଲାଗୁ ହେବାର ସମ୍ଭାବନା କମ ହେବାରେ ଲାଗିଛି। ଜିଏସ୍‌ଟି ଲାଗୁ ହେବା ପର୍ଯ୍ୟନ୍ତ ଟିକସ ହାରକୁ ଅପରିବର୍ତ୍ତିତ ରଖିବା ସପକ୍ଷରେ ନାହାନ୍ତି ସରକାର।
 
ତେଣୁ ବଜେଟ୍‌ରେ ଟିକସ ହାର ବୃଦ୍ଧି ବିଷୟରେ ଘୋଷଣା କରାଯାଇପାରେ। ଟିକସ ନୀତି ନିର୍ଧାରଣ ପ୍ରକ୍ରିୟାରେ ନିୟୋଜିତ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ଯେ, ଜିଏସ୍‌୍‌ଟି ବିଳମ୍ବିତ ହେଲେ ସେବା କର ହାର ବଢ଼ାଇବା ବ୍ୟତୀତ ସରକାରଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ସେବା କର ହାରକୁ ବଢ଼ାଇ ପ୍ରସ୍ତାବିତ ଜିଏସ୍‌ଟି ହାର ପର୍ଯ୍ୟନ୍ତ ଆଣିବାକୁ ସରକାର ପ୍ରୟାସ କରିବେ। ତେବେ ଏହା ଏବେ ପରିକଳ୍ପନା ସ୍ତରରେ ରହିଛି। ବାସ୍ତବରେ ଏହି ଯୋଜନା ଲାଗୁ ହେବାର କୌଣସି ନିର୍ଦିଷ୍ଟ ସୂଚନା ନାହିଁ। ଏବେ ସେବା କର ହାର ୧୫ ପ୍ରତିଶତ ରହିଛି। ଜିଏସ୍‌ଟି ଲାଗୁ ହେଲେ ବିଭିନ୍ନ ପ୍ରକାର ସେବା ଉପରେ ୧୮ ପ୍ରତିଶତର ଟିକସ ଲାଗୁ କରାଯାଇପାରେ। ତେଣୁ ଆଗାମୀ ବଜେଟ୍‌ରେ ସେବା କର ହାରକୁ ୧୮ ପ୍ରତିଶତ ପାଖାପାଖି ନେବାକୁ ସରକାର ପ୍ରୟାସ କରିବେ।
 
୨୦୧୬-୧୭ ବଜେଟ୍‌ରେ କୃଷି କଲ୍ୟାଣ ସେସ୍‌ ଲାଗୁ କରାଯିବା ପରେ ସେବା କର ହାର ୧୫ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଏପ୍ରିଲ୍‌ ୧ରୁ ଜିଏସ୍‌ଟି ଲାଗୁ କରିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ଜାନୁଆରି ୧୬ରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକର ଫଳାଫଳ ଉପରେ ସବୁ କିଛି ନିର୍ଭର କରୁଛି। ଉଲ୍ଲେଖଯୋଗ୍ୟ ଯେ ବିମୁଦ୍ରାକରଣ ପରେ ରାଜ୍ୟଗୁଡ଼ିକ ଚାହୁଁନାହାନ୍ତି ଏପ୍ରିଲ୍‌ ୧ରେ ଜିଏସ୍‌ଟି ଲାଗୁ ହେଉ। ଏହାକୁ ଜୁନ୍‌ ୧ କିମ୍ବା ସେପ୍‌ଟେମ୍ବର ୧ ପର୍ଯ୍ୟନ୍ତ ଘୁଞ୍ଚାଇବା ସପକ୍ଷରେ ସେମାନେ ଯୁକ୍ତି ବାଢ଼ିଛନ୍ତି। ରାଜ୍ୟଗୁଡ଼ିକ ଏବେ ଅଧିକ କ୍ଷତିପୂରଣ ମଧ୍ୟ ଦାବି କରୁଛନ୍ତି।