17 August 2017
7:12:54 PM
Sambad News
ଅପରାଧ

ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ

ପରିସ୍ରା ବାହାନାରେ ଥାନାରୁ ଅଭିଯୁକ୍ତ ଚମ୍ପଟ୍‌

By Sambad | Date: Jan 11 2017 5:07AM
ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ

ରେଙ୍ଗାଳି: କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍‌ ପ୍ରକଳ୍ପର ଏକ ବିଦ୍ୟାଳୟ ଭିତରେ ଜଣେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ବିବାହିତ ଏବଂ ତିନି ସନ୍ତାନର ଜନକ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି।
 

  ରେଙ୍ଗାଳି ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ୧୦ଟା ବେଳେ ସ୍ଥାନୀୟ ଲକ୍ଷ୍ମୀ ବଜାର ପଛ ପାଖରେ ରହୁଥିବା ସନାତନ ନାହକ ଓରଫ ସୁନା ପ୍ରକଳ୍ପ ଅଞ୍ଚଳର ଏକ ବିଦ୍ୟାଳୟରେ ଛୋଟ ଛୋଟ ଶିଶୁଙ୍କୁ ପଢ଼ାଉଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ଏକୁଟିଆ ପାଇ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏହି ଘଟଣାକୁ ନେଇ ଶିକ୍ଷୟିତ୍ରୀଙ୍କ ଭାଇ ସହ ଅଭିଯୁକ୍ତର ହାତାହାତି ମଧ୍ୟ ହୋଇଥିଲା। ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ମାରିଦେବାକୁ ଅଭିଯୁକ୍ତ ଧମକ ଦେଇଥିବା ବେଳେ ରେଙ୍ଗାଳି ଥାନା ପୁଲିସ୍‌ ଘଟଣାସ୍ଥଳରୁ ତାକୁ ଧରି ଥାନାକୁ ଆଣିଥିଲେ।

ଥାନାରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଅଭିଯୁକ୍ତ ସୁନା ପରିସ୍ରା ବାହାନାରେ ସେଠାରୁ ଦୌଡି ଫେରାର୍‌ ହୋଇ ଯାଇଥିଲା। ଏ ନେଇ ପୀଡ଼ିତା ଥାନାରେ ଏତଲା ଦେବା ପରେ ପୁଲିସ ତାଙ୍କ ଅଭିଯୋଗକୁ ଭିତ୍ତି କରି ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଶିକ୍ଷୟିତ୍ରୀଙ୍କର ଡାକ୍ତରୀ ମାଇନା କରାଇଛି। ଏହି ମାମଲାରେ ଫେରାର୍‌ ଅଭିଯୁକ୍ତ ସନାତନ ନାହକ ଓରଫ ସୁନାକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି।