22 January 2017
9:46:08 PM
image
Sambad News
ଅପରାଧ

ଏକ ପ୍ରକାର ନାମ କାଳ ହେଲା : ଏଟିଏମ୍‌ରୁ ଟଙ୍କା ଉଠାଇ ୨ ଗିରଫ

By Sambad | Date: Jan 12 2017 2:03AM
ଏକ ପ୍ରକାର ନାମ କାଳ ହେଲା : ଏଟିଏମ୍‌ରୁ ଟଙ୍କା ଉଠାଇ ୨ ଗିରଫ
Photo by : i2.wp.com

ପୁରୀ : ଜଣେ ଭଗବାନ ପାଣିଗ୍ରାହୀଙ୍କ ପୋଷ୍ଟାଲ ଏଟିଏମ୍‌ କାର୍ଡ ମାଧ୍ୟରେ ଆଉ ଜଣେ ଭଗବାନ ପାଣିଗ୍ରାହୀ ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଉଠାଇନେବା ଅଭିଯୋଗରେ ଟାଉନ ଥାନା ପୁଲିସ ଦୁଇ ଜଣକୁ ଗିରଫ କରିଛି। ପୁଲିସ ହାତରେ ଧରାପଡ଼ିଥିବା ଦୁଇ ଅଭିଯୁକ୍ତହେଲେ ଭଗବାନ ପାଣିଗ୍ରାହୀ (୪୪) ଓ ଭଗବାନ ମହାପାତ୍ର(୩୭) । 
 
ପୁଲିସ ସୂତ୍ରରୁ ପ୍ରକାଶ, ଜଣେ ଭଗବାନ ପାଣିଗ୍ରାହୀଙ୍କର ଡାକ ବିଭାଗର ଏଟିଏମ୍‌ କାର୍ଡକୁ ପୋଷ୍ଟପିଅନ ଆଣି ଦୋଳମଣ୍ଡପ ସାହି ନାରାୟଣ ଲେନ୍‌ରେ ରହୁଥିବା ଭଗବାନ ପାଣିଗ୍ରାହୀଙ୍କୁ ଗତ ଡିସେମ୍ବର ମାସରେ ଦେଇଥିଲେ। ଏହି ଭଗବାନଙ୍କର ପୋଷ୍ଟ ଅଫିସରେ କୌଣସି ଆକାଉଣ୍ଟ ନଥିବା ବେଳେ ସେ ଗତ କିଛି ଦିନ ପୂର୍ବେ ଏହି ଏଟିଏମ୍‌ କାର୍ଡର ଗୁପ୍ତ ନମ୍ବର ପୋଷ୍ଟ ଅଫିସରୁ ନେଇଥିଲେ। ପତ୍ନୀଙ୍କ ପ୍ରରୋଚନାରେ ଭଗବାନ ପାଣିଗ୍ରାହୀ ଗତ ୯ ତାରିଖ ଦିନ ପୋଷ୍ଟାଲ ଏଟିଏମ୍‌ କାଉଣ୍ଟରରୁ ୪ ହଜାର ୫ ଶହ ଟଙ୍କା ଉଠାଇ ନେଇଥିଲେ। ଏହାପରେ ସେମାନେ ଲୋଭ ଶକ୍ତିକୁ ନିୟନ୍ତ୍ରଣ କରିପାରିନଥିଲେ। ତେଣୁ ଆଜି ଭଗବାନ ପାଣିଗ୍ରାହୀ ଓ ତାଙ୍କ ବନ୍ଧୁ ଭଗବାନ ମହାପାତ୍ର (୩୭) ମିଶି ପୋଷ୍ଟ ଅଫିସ ନିକଟରେ ଥିବା ଏଟିଏମ୍‌ କାଉଣ୍ଟରକୁ ଯାଇଥିଲେ। ସେଠାରେ ପୁଣି ଟଙ୍କା ଉଠାଇବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ଓଲଟା ଭଗବାନ ପାଣିଗ୍ରାହୀ ଏଟିଏମ୍‌ କାଉଣ୍ଟର କାମ କରୁନାହିଁ ବୋଲି ଅଫିସକୁ ଯାଇ ସେଠାରେ ଅଭିଯୋଗ କରିଥିଲେ। 
 
ହେଡ୍‌ପୋଷ୍ଟ ମାଷ୍ଟର ମିନକେତନ ପ୍ରଧାନ ଏନେଇ ଯାଞ୍ଚ କରିବାରୁ ସମ୍ପୃକ୍ତ ଭଗବାନ ପାଣିଗ୍ରାହୀ ଯେଉଁ ଏଟିଏମ୍‌ କାର୍ଡକୁ ବ୍ୟବହାର କରି ଥରେ ଟଙ୍କା ଉଠାଇ ପୁଣି ଟଙ୍କା ନେବାପାଇଁ ଆସିଛନ୍ତି ସେ ଉକ୍ତ ଏଟିଏମ୍‌ କାର୍ଡର ସତ୍ଵାଧିକାରୀ ନୁହନ୍ତି। ଏହି ଏଟିଏମ୍‌ କାର୍ଡର ସତ୍ଵାଧିକାରୀ ଅନ୍ୟ ଜଣେ ଭଗବାନ ପାଣିଗ୍ରାହୀ ବୋଲି ଜଣାପଡ଼ିଥିଲା। ତେଣୁ ପୋଷ୍ଟମାଷ୍ଟର ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ କରିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନକଲି ଭଗବାନ ପାଣିଗ୍ରାହୀ ଓ ତା’ର ବନ୍ଧୁ ଭଗବାନ ମହାପାତ୍ରକୁ ଗିରଫ କରିଛି। ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରି ଦୁଇ ଭଗବାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।