24 February 2017
10:36:30 PM
Sambad News
ଅପରାଧ

ଜେଜେ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ : ଥାନାରେ ନାବାଳିକାଙ୍କ ଏତଲା

By Sambad | Date: Jan 12 2017 2:07AM
ଜେଜେ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ : ଥାନାରେ ନାବାଳିକାଙ୍କ ଏତଲା

ପୁରୀ : ୨୦୧୩ ମସିହାରୁ ନାତୁଣୀକୁ ଜେଜେ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ପୁରୀ ସଦର ଥାନାରେ ନିଜେ ଅଭିଯୋଗ କରିଛନ୍ତି ନାତୁଣୀ। ଏପରିକି ଇତି ମଧ୍ୟରେ ନାତୁଣୀ ଗର୍ଭବତୀ ହୋଇଥିବା ବେଳେ ତାଙ୍କୁ ସତ୍ୟବାଦୀରେ ଗର୍ଭପାତ କରାଯାଇଥିବା ନେଇ ପୁଲିସ କହିଛି। ଏ ସମ୍ପର୍କରେ ନାବାଳିକାର ବାପା ଜାଣିଥିଲେ ମଧ୍ୟ ଥାନାରେ କୌଣସି ଅଭିଯୋଗ କରି ନଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 
 
ଅଭିଯୋଗ ପାଇବା ପରେ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ଆଜି ନାବାଳିକାଙ୍କୁ ନେଇ ସଦର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଇଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ, ସଦର ଥାନା ଇଲାକାରେ ରହୁଥିବା ଜନୈକ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରୀ ଗତକାଲି ଆସି ନିଜର ସମ୍ପର୍କୀୟ ଜେଜେଙ୍କ ବିରୋଧରେ  ଦୁଷ୍କର୍ମ ଅଭିଯୋଗ କରିଥିଲେ। ତାଙ୍କ ସୂଚନା ହେଲା, ପାରିବାରିକ କଳହକୁ ନେଇ ତାଙ୍କ ମା’ ଘର ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି। ତେଣୁ ନାବାଳିକା ଜଣକ ନିଜ ବାପାଙ୍କ ସହିତ ରୁହନ୍ତି। ଏହାର ସୁଯୋଗ ନେଇ ଗତ ୨୦୧୩ ମସିହାରେ ନବମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକା ଫୁଲ ତୋଳିବାକୁ ଯାଇଥିବା ବେଳେ ତାଙ୍କ ସମ୍ପର୍କୀୟ ଜେଜେ ତାଙ୍କୁ ଟେକିନେଇ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ କାହାରିକୁ କହିଲେ ଜୀବନରେ ମାରିଦିଆଯିବ ବୋଲି ଧମକ ଦେଇଥିଲେ। ତେଣୁ ନାତୁଣୀ ନିଜର ପରିବାର ପ୍ରତି ବିପଦ ମନେ କରି ଏ ସମ୍ପର୍କରେ କାହାରିକୁ କହିନଥିଲେ। 
 
ତେଣୁ ଜେଜେ ବାରମ୍ବାର ତାଙ୍କ ପ୍ରତି ଦୁଷ୍କର୍ମ କରିଚାଲିଥିଲେ। ଇତି ମଧ୍ୟରେ ନାବାଳିକା ବାନ୍ତି କରିବାରୁ ତାଙ୍କୁ ବାପା ସତ୍ୟବାଦୀସ୍ଥିତ ନିଜର ପିଉଷୀଙ୍କ ଘରକୁ ପଠାଇ ଦେଇଥିଲେ। ସେଠାରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଜାଣିବା ପରେ ପିଉଷୀ ତାଙ୍କୁ ସେଠାରେ ଗର୍ଭପାତ କରାଇଥିଲେ। ଏ ସମ୍ପର୍କରେ ନାବାଳିକାର ବାପାଙ୍କୁ ମଧ୍ୟ ଜଣାଇଥିଲେ। ସମସ୍ତ ତଥ୍ୟ ଜାଣିବା ପରେ ମଧ୍ୟ ନାବାଳିକା ଜଣକ ଏନେଇ ଥାନାରେ କୌଣସି ଅଭିଯୋଗ କରିନଥିଲେ। ଇତି ମଧ୍ୟରେ ନାବାଳିକା ଜଣକ ପୁରୀର ଏକ କଲେଜରେ ଯୁକ୍ତ ଦୁଇ ପଢ଼ିଲେଣି। ଜେଜେ ପୁନର୍ବାର ପୁରୀକୁ ଆସି ତାଙ୍କ ସହିତ ସମ୍ପର୍କ ରଖିବା ଆରମ୍ଭ କରିଥିଲେ। 
 
ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଉଥିବା ସମ୍ପର୍କରେ ସେ ନିଜ ମା’ଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ। ଏହା ଜାଣିବା ପରେ ନାବାଳିକାକୁ ତା’ର ମା ଏକ ଏନ୍‌ଜିଓର ସଦସ୍ୟାମାନଙ୍କ ସହାୟତାରେ ଗତକାଲି ଆଣି ସଦର ଥାନାରେ ପହଞ୍ଚିଥିଲେ। ଏ ସମ୍ପର୍କରେ ପୁଲିସ ସମ୍ମୁଖରେ ପ୍ରକାଶ କରିବା ସହିତ ନାବାଳିକା ଜଣକ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଜେଜେଙ୍କୁ ଧରିଆଣି ପଚରା ଉଚରା କରିବା ସହିତ ନାବାଳିକାକୁ ନେଇ ଡାକ୍ତରୀ ମାଇନା କରିଥିବା ଜଣାପଡ଼ିଛି।