26 March 2017
10:29:55 PM
Sambad News
ଅପରାଧ

ନାବାଳିକାକୁ ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ପ୍ରେମିକ ଗିରଫ

୧୬୪ ଧାରାରେ ନାବାଳିକାଙ୍କ ବୟାନ ରେକର୍ଡ

By Sambad | Date: Jan 12 2017 4:43AM
ନାବାଳିକାକୁ ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ପ୍ରେମିକ ଗିରଫ
Photo by : cdn.deccanchronicle.com

ଭୁବନେଶ୍ୱର : ସହିଦନଗର ଥାନା ଅଧୀନ ସାଇନ୍ସ ପାର୍କ ବସ୍ତିର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ରାମଚନ୍ଦ୍ର ନାୟକ(୧୯)। ଏଠାରେ ସେ ସାଇନ୍ସ ପାର୍କ ବସ୍ତିରେ ରହେ। ଅନ୍ୟପକ୍ଷରେ ଏ ନେଇ ଆଜି ସିଆରପିସିର ଧାରା ୧୬୪ରେ ନାବାଳିକାକଙ୍କ ବୟାନ ରେକର୍ଡ କରାଯାଇଛି। ନାବାଳିକା ଜଣକ ତାଙ୍କ ମା’ଙ୍କ ସହ କୋର୍ଟ ଯାଇ ନିଜର ବୟାନ ଦେଇଛନ୍ତି।

 
ପ୍ରକାଶ ଥାଉ କି, କିଛିଦିନ ତଳେ ନାବାଳିକାଙ୍କ ସହ ରାମଚନ୍ଦ୍ରର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ଏହାର ସୁଯୋଗ ନେଇ ରାମଚନ୍ଦ୍ର ଲୁଚି ଲୁଚି ନାବାଳିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା।  ଘଟଣା ପ୍ରଘଟ ହେବା ପରେ ନାବାଳିକା ଜଣକ ରାମଚନ୍ଦ୍ର ଘରକୁ ଚାଲିଯାଇଥିଲେ। ଉଭୟ ପରିବାର ମଧ୍ୟରେ ବୁଝାମଣା  ହୋଇ ଘଟଣାର ସମାଧାନ ହୋଇଥିଲା। ନାବାଳିକାଙ୍କୁ ତାଙ୍କ ପରିବାର ଲୋକମାନେ ନିଜ ଘରକୁ ଆଣିଥିଲେ। 
 
ନାବାଳିକା ଜଣକ ସାବାଳିକା ହେବା ପରେ ଉଭୟଙ୍କ ବାହାଘର କରାଯିବ ବୋଲି ସ୍ଥିର ହୋଇଥିଲା। ଉଭୟ ପରିବାର ବୁଝାମଣା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମାତ୍ର ସମାଧାନର କିଛି ଦିନ ପରେ ରାମଚନ୍ଦ୍ର ପୁଣି ନାବାଳିକା ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। କିନ୍ତୁ ନାବାଳିକା ଜଣକ ରାଜି ନହେବାରୁ ରାମଚନ୍ଦ୍ର ତା’ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା। ଏ ନେଇ ନାବାଳିକା  ଜଣକ ନିଜ ପରିବାର ଲୋକଙ୍କୁ ଜଣାଇବାରୁ ନାବାଳିକାଙ୍କ ମା’ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।