17 August 2017
7:09:26 PM
Sambad News
ଅପରାଧ

‘ମୁଁ ଜାଣିଥିଲି ମୋ ପିଲା ବଞ୍ଚିବ ନାହିଁ, ହେଲେ ବି ଔଷଧ ପାଇଁ ଯାଇଥିଲି’: ମୃତ ଶିଶୁର ପିତା

By Sambad | Date: Aug 12 2017 5:11PM
‘ମୁଁ ଜାଣିଥିଲି ମୋ ପିଲା ବଞ୍ଚିବ ନାହିଁ, ହେଲେ ବି ଔଷଧ ପାଇଁ ଯାଇଥିଲି’: ମୃତ ଶିଶୁର ପିତା

ଗୋରଖପୁର: ଉତ୍ତରପ୍ରଦେଶର ପୂର୍ବାଞ୍ଚଳସ୍ଥିତ ଗୋରଖପୁରରେ ବାବା ରାଘବ ଦାସ (ବିଆର୍‌ଡି) ମେଡିକାଲ କଲେଜରେ ବିଗତ ଛଅଦିନ ମଧ୍ୟରେ ୬୩ ଜଣ ଶିଶୁଙ୍କ ମୃତ୍ୟୁ ହେବା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଶିଶୁମାନଙ୍କ ପରିବାର ଲୋକଙ୍କ ଅଭିଯୋଗ, ଡାକ୍ତରଖାନାରେ ଅମ୍ଳଜାନ୍‌ ଅଭାବ ହେତୁ ଏହି ଶିଶୁମାନଙ୍କର ମୃତ୍ୟୁ ଘଟିଛି। ଏହି ଅଭିଯୋଗକୁ କେନ୍ଦ୍ରକରି ବିଆର୍‌ଡି ମେଡିକାଲ କଲେଜର ପ୍ରିନ୍ସପାଲଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ  ସିଦ୍ଧାର୍ଥ ନାଥ ସିଂହ ସୂଚନା ଦେଇଛନ୍ତି। 

ତେବେ ବିଆର୍‌ଡି ହାସ୍‌ପିଟାଲକୁ ପଡରୋନାରୁ ଆସିଥିବା ମୃତ୍ୟୁଞ୍ଜୟ ତାଙ୍କ ଶିଶୁକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତାଙ୍କ କହିବା ଅନୁସାରେ, ‘ଶିଶୁର ଅମ୍ଳଜାନ ଶେଷ ହେବା ସମ୍ପର୍କରେ ମୋତେ ସୂଚନା ମିଳିଥିଲା। ଏହାପରେ ବି ଡାକ୍ତର ମୋତେ ବାହାରକୁ ଔଷଧ ଆଣିବାକୁ ପଠାଇଥିଲେ। ମୋତେ ସେତେବେଳକୁ ଅନୁଭବ ହୋଇସାରିଥିଲା କି, ମୋ ପିଲା ଆଉ ବଞ୍ଚିବ ନାହିଁ। ତା’ପରେ ବି କୌଣସି ଉପାୟ ନଥିବାରୁ ମୁଁ ଔଷଧ ଆଣିବାକୁ ବାହାରକୁ ଯାଇଥିଲି। ଔଷଧ ନେଇ ଆସିବା ପରେ ଜାଣିବାକୁ ପାଇଥିଲି ମୋ ଶିଶୁ ମୃତ।’

ସେହିପରି ବସ୍ତି ଜିଲ୍ଲାର ଦୀପଚାନ୍ଦ କହନ୍ତି, ‘ମୋର ୧୧ମାସର ଶିଶୁର ମୃତ୍ୟୁ ମଧ୍ୟ ଅମ୍ଳଜାନ ଅଭାବରୁ ହୋଇଛି। ତେବେ ଏହାକୁ ନେଇ ଡାକ୍ତର ତଥା ମେଡିକାଲର କର୍ମଚାରୀ ନିଜ ଉପରକୁ ଦୋଷ ନେବାକୁ ରାଜି ନାହନ୍ତି। ଯଦି ଡାକ୍ତରଖାନାରେ ଅମ୍ଳଜାନ ଦେବା ବ୍ୟବସ୍ଥା ନଥିଲା ତେବେ ମୋ ପିଲାକୁ କ’ଣ ପାଇଁ ଭର୍ତ୍ତି କରୁଥିଲେ। ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରି ଦେଇଥିଲେ ମୁଁ ମୋର ପିଲା ଜୀବିତ ଥାଆନ୍ତା।