23 August 2017
3:35:51 PM
image
Sambad News
କଟକ

ଅର୍ଥତତ୍ତ୍ଵ ଠକେଇ: ଦୀପକ ପାରେଖଙ୍କୁ ସର୍ତ୍ତମୂଳକ ଜାମିନ, ଦୁଇ କୋଟି ଟଙ୍କା ଜମା କରିବେ

By Sambad | Date: Jan 6 2017 11:59PM
ଅର୍ଥତତ୍ତ୍ଵ ଠକେଇ: ଦୀପକ ପାରେଖଙ୍କୁ ସର୍ତ୍ତମୂଳକ ଜାମିନ, ଦୁଇ କୋଟି ଟଙ୍କା ଜମା କରିବେ

କଟକ : ଅର୍ଥତତ୍ତ୍ଵ ଚିଟ୍‌ ଫଣ୍ଡ୍‌ ମାମଲାରେ ସିବିଆଇ ଦ୍ଵାରା ଗିରଫ ହୋଇ ଜେଲ୍‌ରେ ଥିବା ମୁମ୍ବାଇ ସେୟାର ବଜାର ବ୍ୟବସାୟୀ ଦୀପକ୍‌ ଚାନ୍ଦ୍‌ରତନ୍‌ ପାରେଖଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜାମିନରେ ଛାଡ ପାଇବା ପାଇଁ ଅନ୍ୟାନ୍ୟ ସର୍ତ୍ତ ପୂରଣ ସହିିତ ସେ ୨ କୋଟି ଟଙ୍କା ନିମ୍ନ ଅଦାଲତରେ ଜମା କରିବେ ଓ ସିବିଆଇକୁ ତଦନ୍ତରେ ସହଯୋଗ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୀପକଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରି ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଆଲୋକ ଦାସ ଓ ସୁଶାନ୍ତ ନାଥ ତାଙ୍କୁ ସହାୟତା କରୁଥିଲେ।
 
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪, ସେପ୍ଟେମ୍ବର ୨୧ରେ ଦୀପକଙ୍କୁ ସିବିଆଇ ଗିରଫ କରିଥିଲା। ମୁମ୍ବାଇରେ ସେୟାର୍‌ ବଜାରରେ ବ୍ୟବସାୟ କରୁଥିବା ଦୀପକ୍‌ ୟଶ୍‌ ଟ୍ରେଡିଂ ଓ ଫାଇନାନସ୍‌ ଲିମିଟେଡ୍‌ ସହିତ ଜଡିତ ଥିଲେ। ଅର୍ଥତତ୍ତ୍ଵ କ୍ୟାପିଟାଲ୍‌ ଲିମିଟେଡ୍‌କୁ ମୁମ୍ବାଇ ଷ୍ଟକ୍‌ ଏକ୍ସ୍‌ଚେଞ୍ଜ୍‌ରେ ପଞ୍ଜୀକୃତ କରାଇବାରେ ତାଙ୍କର ଭୂମିକା ରହିଥିବା ଅଭିଯୋଗ ହୋଇଥିଲା। ଏଟି ଗ୍ରୁପର ଟଙ୍କା ମୁମ୍ବାଇ ସେୟାର୍‌ ବଜାରରେ ନିବେଶ କରାଇବାରେ ଦୀପକ୍‌ ବିଶେଷ ଭାବେ ସାହାଯ୍ୟ କରୁଥିଲେ। ୨୦୧୪, ଡିସେମ୍ବର ୧୧ରେ ସିବିଆଇ ଅର୍ଥତତ୍ତ୍ଵ ଠକେଇ ମାମଲାରେ ସିଏମ୍‌ଡି ପ୍ରଦୀପ ସେଠୀ ଓ ଆବେଦନକାରୀଙ୍କ ସମେତ ୧୬ ଜଣଙ୍କ ବିରୋଧରେ ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିଥିଲା। ଅନ୍ୟ ପକ୍ଷରେ ଏଟି ଗ୍ରୁପର ବେଆଇନ କାରବାର ସହିତ ସେ ଜଡିତ ନଥିଲେ ବୋଲି ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ଶ୍ରୀ ପଙ୍ଗାରି ଦର୍ଶାଇଥିଲେ। 
 
ଏଠାରେ ସୂଚନା ଯୋଗ୍ୟ ଯେ ଖୋର୍ଦ୍ଦା ଜିଲ୍ଲା ଜଜ୍‌ ଆବେଦନକାରୀଙ୍କ ଜାମିନ୍‌ ଖାରଜ କରିବା ପରେ ସେ ୨୦୧୫ରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।