22 January 2017
5:43:10 PM
image
Sambad News
ରାଜ୍ୟ

ଏସ୍‌ସିବିରେ ପୁଲିସ-ଡାକ୍ତର ମୁହାଁମୁହିଁ

ଡାକ୍ତରଙ୍କ ବିରୋଧରେ ଥାନାରେ ଏତଲା

By Sambad | Date: Jan 7 2017 5:05AM
ଏସ୍‌ସିବିରେ ପୁଲିସ-ଡାକ୍ତର ମୁହାଁମୁହିଁ

ପୁଲିସ୍‌ ବିରୋଧରେ ଡାକ୍ତରୀ ଛାତ୍ରଙ୍କ ଧାରଣା
 
କଟକ : କାର୍‌ ପାର୍କିଂକୁ ନେଇ ଏସ୍‌ସିବି ମେଡିକାଲ ପରିସରରେ ଘଟିଛି ତୁମୁଳକାଣ୍ଡ। ନେଫ୍ରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଚିତ୍ତରଂଜନ କର ଓ ମଙ୍ଗଳାବାଗ ଥାନା ଅତିରିକ୍ତ ଆଇଆଇସି ଅଭିମନ୍ୟୁ ଦାସଙ୍କ ମଧ୍ୟରେ ଆଜି ମଧ୍ୟାହ୍ନରେ ବେଆଇନ୍‌ ପାର୍କିଂକୁ ନେଇ ଆରମ୍ଭ ହୋଇଥିଲା ଯୁକ୍ତିତର୍କ।  ପରବର୍ତ୍ତୀ ସମୟରେ ଏ ନେଇ ଥାନାରେ ମାମଲା ରୁଜୁ ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି।  ଅତିରିକ୍ତ ଆଇଆଇସି ଥାନାରେ ଡାକ୍ତର କରଙ୍କ ବିରୋଧରେ ଏତଲା ଦେଇଥିଲାବେଳେ ତାଙ୍କ କାର୍‌କୁ ରାତି ପର୍ଯ୍ୟନ୍ତ ପୁଲିସ ଅଟକ ରଖିଛି। ତେବେ ମେଡିକାଲ୍‌ ଭିତରେ ଜଣେ ପ୍ରଫେସରଙ୍କୁ ପୁଲିସ୍‌ର ଦୁର୍ବ୍ୟବହାର ଘଟଣାକୁ ନେଇ ଡାକ୍ତରୀ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। ମେଡିକାଲ ଭିତରୁ ଡାକ୍ତରଙ୍କ ଗାଡ଼ି ଓ ରୋଗୀଙ୍କ ଆମ୍ବୁଲାନ୍ସ ବ୍ୟତୀତ ଅନ୍ୟ ସବୁ ଗାଡ଼ି ହଟାଯିବାକୁ ଦାବି କରାଯିବା ସହ ଦୁର୍ବ୍ୟବହାର କରିଥିବା ପୁଲିସ ଅଧିକାରୀ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି। ଏହି ଘଟଣାକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଡିକାଲ ପରିସରରେ ଉତ୍ତେଜନା ଲାଗିରହିଛି।
 
ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୨ଟାବେଳେ ଡାକ୍ତର କର ତାଙ୍କ ହ୍ୟୁଣ୍ଡାଇ କାର୍‌ (ଓଡି ୦୨ ଏବି ୨୦୨୧)ରେ ମେଡିକାଲ ଭିତରେ ପ୍ରବେଶ କରିଥିଲେ। ଓ୍ଵାର୍ଡକୁ ଯିବା ରାସ୍ତା ଅର୍ଥାତ୍‌ ଶିଶୁରୋଗ ବିଭାଗ ସମ୍ମୁଖ ମୁଖ୍ୟ ରାସ୍ତାରେ ଗାଡି ରଖି ଡାକ୍ତର କର ଓହ୍ଲାଇବାକୁ ବାହାରୁଥିଲେ। ହେଲେ ସେତେବେଳେ ଅତିରିକ୍ତ ଆଇଆଇସି ଶ୍ରୀଦାସ ମେଡିକାଲ ମୁଖ୍ୟ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ କରୁଥିବା ଗାଡିଗୁଡିକୁ ହଟାଉଥିଲେ। ଡାକ୍ତର କରଙ୍କ କାର୍‌ ରାସ୍ତାରେ ଥିବା ଦେଖି ଶ୍ରୀ ଦାସ ଜଣେ କନଷ୍ଟେବଳଙ୍କୁ ସେଠାକୁ ପଠାଇଥିଲେ। କିନ୍ତୁ ଡାକ୍ତର କରଙ୍କ ଡ୍ରାଇଭର ଉକ୍ତ ପୁଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଗାଡିରୁ ଓହ୍ଲାଇ ନଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ କର୍ମଚାରୀ ଜଣକ ଶ୍ରୀଦାସଙ୍କ ନିକଟରେ ଅଭିଯୋଗ କରିଥିଲେ। ଅତିରିକ୍ତ ଆଇଆଇସି ଶ୍ରୀଦାସ ଡ୍ରାଇଭରଙ୍କୁ ଗାଡ଼ି ସେଠାରୁ ହଟାଇ ନେବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। 
 
ପୁଲିସର ଅଭିଯୋଗ ଅନୁଯାୟୀ ଗାଡ଼ି ଭିତରୁ ଡାକ୍ତର କର ବାହାରି ଶ୍ରୀଦାସଙ୍କ ଉପରେ ପ୍ରବଳ ବର୍ଷିଥିଲେ। ଏହାର ଜବାବରେ ଶ୍ରୀଦାସ ମଧ୍ୟ ତାଙ୍କୁ କଡ଼ା ଜବାବ ଦେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବା ସହିତ ସେଠି ଲୋକଙ୍କ ଭିଡ଼ ଜମି ଯାଇଥିଲା। ହେଲେ ଡ୍ୟୁଟିରେ ଥିବା ଜଣେ ପୁଲିସ ଅଧିକାରୀଙ୍କୁ ଲୋକଙ୍କ ସମ୍ମୁଖରେ ଗାଳିଦେବା ଘଟଣା ଶ୍ରୀ ଦାସଙ୍କ ହଜମ ହୋଇନଥିଲା। ତେଣୁ ତୁରନ୍ତ ସେ ଏବିଷୟରେ ଏସ୍‌ସିବି ଅଧ୍ୟକ୍ଷଙ୍କୁ ଭେଟି ଘଟଣା ବାବଦରେ ଅବଗତ କରାଇଥିଲେ। ପରେ ମଙ୍ଗଳାବାଗ ଥାନାରେ ଡାକ୍ତର କରଙ୍କ ବିରୋଧରେ ଏତଲା ମଧ୍ୟ ଦେଇଥିଲେ। ଏତଲାକୁ ଆଧାର କରି ଦଫା ୩୪୧, ୨୯୪,୧୮୬, ୨୮୩, ୫୦୬, ୩୪ରେ ଏକ ମାମଲା(କେସ୍‌ ନଂ ୯) ରୁଜୁ କରାଯାଇଥିବା ଥାନା ଅଧିକାରୀ ଅରୁଣ ସ୍ୱାଇଁ ସୂଚନା ଦେଇଛନ୍ତି। ଡାକ୍ତର କର ମଧ୍ୟ ଘଟଣା ସଂପର୍କରେ ଏସ୍‌ସିବି ଅଧ୍ୟକ୍ଷଙ୍କୁ ଜଣାଇଦେଇଥିବା ସୂଚନା ଦେଇଛନ୍ତି।
 
ତେବେ ଏହି ଘଟଣା ଏତିକିରେ ଥମି ନଥିଲା। ମେଡିକାଲ୍‌ ମଧ୍ୟରେ ଜଣେ ପ୍ରଫେସରଙ୍କୁ ପୁଲିସର ଦୁର୍ବ୍ୟବହାର ବିରୋଧରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ରାତି ପ୍ରାୟ ୮ଟାରେ ଏସ୍‌ସିବି ମଧ୍ୟ ଦେଇ ଯାଇଥିବା ମୁଖ୍ୟ ରାସ୍ତାକୁ ବନ୍ଦ କରିଦେଇଥିଲେ। ଅଟକ ଥିବା ଡାକ୍ତର କରଙ୍କ କାର୍‌ ପାଖରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିବା ସହ ସଂପୃକ୍ତ ପୁଲିସ ଅଧିକାରୀ ସର୍ବସମ୍ମୁଖରେ ତାଙ୍କ କାର୍ଯ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଅଡ଼ି ବସିଥିଲେ। ମେଡିକାଲ ଭିତରେ ଡାକ୍ତର, କର୍ମଚାରୀ ଓ ଆମ୍ବୁଲାନ୍ସ ବ୍ୟତୀତ ଅନ୍ୟ କୌଣସି ଗାଡିକୁ ପ୍ରବେଶ ନକରାଯାଉ ବୋଲି ଦାବି କରାଯାଇଛି। ଅନ୍ୟପକ୍ଷରେ ଡ୍ୟୁଟିରେ ଥିବା ପୁଲିସ୍‌କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଘଟଣାକୁ ଅତି ଗୁରୁତର ସହ ନେଇଛି ଓଡ଼ିଶା ପୁଲିସ ସଂଘ। ରାତିରେ ସଂଘର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ମଙ୍ଗଳାବାଗ ଥାନାକୁ ଆସି ଅତିରିକ୍ତ ଆଇସିସି ଶ୍ରୀଦାସଙ୍କ ସହିତ ଆଲୋଚନା କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସଂଘ ସଂପାଦକ ଜ୍ୟୋତିରଂଜନ ସାମନ୍ତରାୟ କହିଛନ୍ତି। 
 
ଅନ୍ୟପଟେ ଏ ସଂପର୍କରେ ଡାକ୍ତର କର କହିଛନ୍ତି ଯେ ତାଙ୍କୁ ଘଟଣାସ୍ଥଳରେ ଓହ୍ଲାଇ ଦେଇ ଡ୍ରାଇଭର ଗାଡି ନେଇ ଚାଲି ଯିବାକୁ ବସିଥିବା ବେଳେ ପୁଲିସ ସେଠାରେ ପହଞ୍ଚି ତାଙ୍କୁ ଦୁର୍ବ୍ୟବହାର କରିଥିଲା। ଏହାର ପ୍ରତିବାଦ କରିବାରୁ ପୁଲିସ ନିଜର କ୍ଷମତା ଦେଖାଇବା ଆରମ୍ଭ କରିଥିଲା, ଗାଡି ଜବତ କରିବାର ଧମକ ଦେଇଥିଲା ବୋଲି ଡାକ୍ତର କର କହିଛନ୍ତି।