26 May 2017
10:24:13 PM
image
Sambad News
ରାଜ୍ୟ

ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ : ବିଶେଷଜ୍ଞ ଦଳର ରିପୋର୍ଟ ଦାଖଲ

By Sambad | Date: Jan 7 2017 9:38PM
ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ : ବିଶେଷଜ୍ଞ ଦଳର ରିପୋର୍ଟ ଦାଖଲ

କଟକ : ସମ୍‌ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରୁଥିବା କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ ଦଳ ଏହାର ରିପୋର୍ଟ ଦାଖଲ କରିଥିବା ସୂଚନା ମିଳିଛି। ଏହି ଦଳ ରାଜ୍ୟର ବିଭିନ୍ନ ହସ୍ପିଟାଲ ଓ ମେଡିକାଲ କଲେଜରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଅନୁଧ୍ୟାନ କରି ସମ୍ଭାବ୍ୟ ଅଗ୍ନିକାଣ୍ଡ ପାଇଁ କି ପ୍ରକାର  ମୁକାବିଲା ବ୍ୟବସ୍ଥା ରହିଛି ତାହା ପରଖି ଥିବା ଜଣା ଯାଇଛି। ହସ୍ପିଟାଲ ଗୁଡିକରେ କି ପ୍ରକାର ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଗଲେ ସମ୍ଭାବ୍ୟ ଅଗ୍ନିକାଣ୍ଡର ସଫଳ ମୁକାବିଲା କରାଯାଇ ପାରିବ ସେ ନେଇ ବିଶେଷଜ୍ଞ ଦଳ ବୈଷୟିକ ପରାମର୍ଶ ସହ ରିପୋର୍ଟ ଦାଖଲ କରିଛି। 
 
ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ତଦନ୍ତ ପ୍ରକ୍ରିୟାର ଏକ ଅଂଶ ଭାବେ ଆରଡିସି ଏହି ବିଶେଷଜ୍ଞ ଦଳ ଗଠନ କରିଥିବା ବେଳେ ଏହାର ରିପୋର୍ଟକୁ ଅଧାର କରି ତଦନ୍ତ ରିପୋର୍ଟରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଣାଯାଇଛି। ସମ୍‌ ଘଟଣାର ପୁନରାବୃତ୍ତି ଯେପରି ନ ଘଟେ ସେଥି ପାଇଁ ରାଜ୍ୟରେ ଥିବା ହସ୍ପିଟାଲ ଗୁଡିକ ପାଇଁ କେତେକ ବୈଷୟିକ ନିୟମାବଳୀ ପ୍ରଣୟନ ପାଇଁ ରିପୋର୍ଟରେ ପରାମର୍ଶ ପ୍ରଦାନ କରାଯିବ।  
 
ଏଠାରେ ସୂଚନା ଯୋଗ୍ୟ ଯେ ଏହି ବିଶେଷଜ୍ଞ ଦଳରେ ରାଜ୍ୟ ମେଡିକାଲ ତାଲିମ ଓ ଶିକ୍ଷା ନିର୍ଦ୍ଦେଶକ(ଡିଏମଇଟି), ମୁଖ୍ୟ ଅଗ୍ନିଶମ ଅଧିକାରୀ, ଅଗ୍ନିକାଣ୍ଡ ମୁକାବିଲା କ୍ଷେତ୍ରରେ ବୈଷୟିକ ଜ୍ଞାନଥିବା ଅବସରପ୍ରାପ୍ତ ଅଗ୍ନିଶମ ଅଧିକାରୀ, ପୂର୍ତ୍ତ ମୁଖ୍ୟ ଯନ୍ତ୍ରୀ, ଜିଇଡିର ଯନ୍ତ୍ରୀ, ବେସରକାରୀ ମେଡିକାଲ କଲେଜ ସଂଘର ସଭାପତି ଓ କର୍ମକର୍ତ୍ତା ସଦସ୍ୟ ରହିଥିଲେ। 
 
ଅନ୍ୟପକ୍ଷରେ ଜଣେ ବ୍ୟକ୍ତିଙ୍କ ସାକ୍ଷ୍ୟ ଗ୍ରହଣ ଆରଡିସିଙ୍କ ନିକଟରେ ହୋଇଛି। ଜି.ବି.କର ହାଜର ହୋଇ ସାକ୍ଷୀ ଦେଇଛନ୍ତି। ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ତଦନ୍ତ ରିପୋଟ ପ୍ରସ୍ତୁତ କାର୍ଯ୍ୟ ଚାଲିଛି। ଜାନୁଆରି ତୃତୀୟ ସପ୍ତାହ ଶେଷ ପୂର୍ବରୁ ଆରଡିସି ତଦନ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ଜାନୁଆରି ୧୯ ତାରିଖରେ ଆରଡିସି ତଦନ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ଦେଇଥିଲେ। 
 
ଏଠାରେ ସୂଚନା ଯୋଗ୍ୟ ଯେ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କେନ୍ଦ୍ରାଞ୍ଚଳ ଆରଡିସି ଅଖିଳ ବିହାରୀ ଓତା କରୁଥିବା ବେଳେ ସତ୍ୟପାଠ ଦାଖଲ କରିଥିବା ୩୯୩ ଜଣଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ସାକ୍ଷ୍ୟ ଗ୍ରହଣ ପାଇଁ ୬୧ ଜଣଙ୍କୁ ନୋଟିସ ଜାରି କରାଯାଇଥିଲା। କଟକସ୍ଥିତ କେନ୍ଦ୍ରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ଓ ଭୁବନେଶ୍ୱର ସର୍କିଟ ହାଉସଠାରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଭୁବନେଶ୍ୱରଠାରେ ଅନୁଷ୍ଠିତ ସାକ୍ଷ୍ୟ ଗ୍ରହଣରେ ଖୋର୍ଦ୍ଧା ଜିଲ୍ଲାପାଳ, ଏଡିଏମଓ, ଡିଏମଇଟି, ଯୁଗ୍ମ ଡିଏମଇଟି, କ୍ୟପିଟାଲ ହସ୍ପିଟାଲର ଡାକ୍ତର, ଅଗ୍ନିଶମ ବିଭାଗର କର୍ମଚାରୀ, ସମ୍‌ ମାଲିକ ମନୋଜ ନାୟକ, ବିଡିଏ ପ୍ଲାନିଂ ମେମ୍ବର ପ୍ରମୁଖ ହାଜର ହୋଇ ସାକ୍ଷୀ ଦେଇଥିଲେ। 
 
ସେହିଭଳି କଟକଠାରେ ସମ୍‌ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ, ପ୍ରତ୍ୟକ୍ଷଦର୍ଶୀ, ଅଗ୍ନିଶମ ଅଧିକାରୀ, ସମ୍‌ ହସ୍ପିଟାଲର ଅଧୀକ୍ଷକ, ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ହାଜର ହୋଇ ସାକ୍ଷୀ ଦେଇଥିଲେ। ତଦନ୍ତ ସମୟରେ ଘଟଣା ସଂପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ସମ୍‌ ହସ୍ପିଟାଲ କର୍ତ୍ତୃପକ୍ଷ, ଖୋର୍ଦ୍ଧା ସିଡିଏମଓ, ଭୁବନେଶ୍ୱର ଡିସିପି ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତପକ୍ଷ(ବିଡିଏ) ଆରଡିସିଙ୍କ ନିକଟରେ ଦାଖଲ କରିଥିଲେ।

image