25 June 2017
8:59:18 AM
Sambad News
କଟକ

ଏସ୍‌ସିବି ଡାକ୍ତର-ପୁଲିସ ବିବାଦ : ଡିସିପିଙ୍କ ତାଳିପକା ଉଦ୍ୟମ

୨ଟି ମାମଲା ରୁଜୁ, ସମନ୍ଵୟ ରକ୍ଷା ପାଇଁ ନିଆଯିବ ପଦକ୍ଷେପ

By Sambad | Date: Jan 7 2017 11:01PM
ଏସ୍‌ସିବି ଡାକ୍ତର-ପୁଲିସ ବିବାଦ : ଡିସିପିଙ୍କ ତାଳିପକା ଉଦ୍ୟମ

କଟକ : କଟକ ବଡ ଡାକ୍ତରଖାନାରେ ଡାକ୍ତର ଓ ପୁଲିସଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଯେଭଳି ଅଧିକ ଜଟିଳ ନହେବ, ସେ ଦିଗରେ ଡିସିପି ସଂଜୀବ ଆରୋରାଙ୍କ ଉଦ୍ୟମ ଆଜି କିଛି ମାତ୍ରାରେ ସଫଳ ହୋଇଛି। ଯଦିଓ ଉଭୟପକ୍ଷଙ୍କ ଅଭିଯୋଗ ଅନୁଯାୟୀ ମଙ୍ଗଳାବାଗ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି, କିନ୍ତୁ ସେହି ମାମଲାକୁ ନେଇ ଯେଭଳି ଅଧିକ ବିବାଦୀୟ ପରିସ୍ଥିତି ସୃଷ୍ଟି ନହୁଏ ଏବଂ କଟକ ବଡ ମେଡିକାଲରେ ଶୃଙ୍ଖଳିତ ପରିବେଶ ପାଇଁ ପୁଲିସ ଓ ଡାକ୍ତରଙ୍କ ମଧ୍ୟରେ ସମନ୍ଵୟ ବଜାୟ ରୁହେ, ସେ ଦିଗରେ ପଦକ୍ଷେପ ନେବାକୁ ଉଭୟପକ୍ଷ ରାଜି ହୋଇଛନ୍ତି। ଆଜି ଡିସିପିଙ୍କ କାର୍ଯ୍ୟାଳୟରେ ଉଭୟପକ୍ଷର ପ୍ରତିନିଧିଙ୍କ ଉପସ୍ଥିତିରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଆରଡିସି ଡକ୍ଟର ଏ.ବି.ଓତା ଘଟଣା ସଂପର୍କରେ ଡିସିପିଙ୍କ ସହ ଆଲୋଚନା କରିଛନ୍ତି। ଏଭଳି ସ୍ଥିତିରେ ଆଜି କଟକ ବଡ ମେଡିକାଲରେ ପରିସ୍ଥିତି ସ୍ୱାଭାବିକ ହୋଇଛି।  
 
ସୂଚନାଯୋଗ୍ୟ ଯେ ଗତକାଲି ନେଫ୍ରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଚିତ୍ତରଂଜନ କରଙ୍କ ଗାଡି ପାର୍କିଂକୁ ନେଇ ମଙ୍ଗଳାବାଗ ଥାନାର ଅତିରିକ୍ତ ଇନ୍ସପେକ୍ଟର ଅଭିମନ୍ୟୁ ଦାସଙ୍କ ସହିତ ବଚସା ହୋଇଥିଲା। ଗାଳିଗୁଲଜ, ଧମକ ଦେବାଯାଏ କଥା ଯାଇଥିଲା। ଘଟଣାକୁ ନେଇ ଅଭିମନ୍ୟୁ ଦାସ ପ୍ରଥମେ ମଙ୍ଗଳାବାଗ ଥାନାରେ ଅଭିଯୋଗ ଦେବା ପରେ ଏହାକୁ ନେଇ ମାମଲା ରୁଜୁ ହୋଇଥିଲା। କିନ୍ତୁ ଡାକ୍ତରଙ୍କୁ ପୁଲିସର ଦୁର୍ବ୍ୟବହାର ଅଭିଯୋଗ ଏବଂ ପୁଲିସ ଅଧିକାରୀ କ୍ଷମା ମାଗିବା ଦାବିରେ କଟକ ବଡ ମେଡିକାଲରେ ଜୁନିଅର ଡାକ୍ତରମାନେ ଗତକାଲି ରାତିରେ ଧାରଣା ଦେବା ସହିତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ ଦେଇଥିଲେ। ଗତକାଲି ଡାକ୍ତର ଚିତ୍ତରଂଜନ କର ମଧ୍ୟ ଏସ୍‌ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଜରିଆରେ ତାଙ୍କୁ ହୋଇଥିବା ଦୁର୍ବ୍ୟବହାରକୁ ନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗକୁ ଗ୍ରହଣ କରି ପୁଲିସ ବି ଏକ ମାମଲା ରୁଜୁ କରିଥିଲା। 
 
ଗତକାଲି ରାତିରେ ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଧାରଣାସ୍ଥଳକୁ ଯାଇ ବିବାଦ ସମାଧାନ ପାଇଁ ଉଦ୍ୟମ କରିଥିଲେ ବି ସଫଳତା ମିଳି ନଥିଲା। କିନ୍ତୁ ଆଜି ଦିନ ପ୍ରାୟ ୧୧ଟାରେ ଡିସିପିଙ୍କ କାର୍ଯ୍ୟାଳୟରେ ଉଭୟପକ୍ଷଙ୍କୁ ନେଇ ଏକ ବୈଠକ ବସିଥିଲା। ବୈଠକରେ ଡାକ୍ତର ଚିତ୍ତରଂଜନ କର, ଜୁନିଅର ଡାକ୍ତର ସଂଘର କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ଏସିପି ସୀତାରାମ ଶତପଥୀ, ମଙ୍ଗଳାବାଗ ଥାନା ଆଇଆଇସି ଅରୁଣ କୁମାର ସ୍ୱାଇଁ ଏବଂ ଅତିରିକ୍ତ ଇନସପେକ୍ଟର ଅଭିରାମ ଦାସ ଉପସ୍ଥିତ ଥିଲେ। ଆଲୋଚନା ଜରିଆରେ ବିବାଦର ସମାଧାନ ବାଟ ବାହାରିଥିଲା। ମାମଲା ରୁଜୁ ହୋଇଥିଲେ ବି ତାହାକୁ ନେଇ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି ନକରିବା, ପୁଲିସ ଓ ଡାକ୍ତରଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି ବଡ ମେଡିକାଲରେ ଶୃଙ୍ଖଳିତ ପରିବେଶ ଏବଂ ଟ୍ରାଫିକ ବ୍ୟବସ୍ଥା ସଜାଡିବା ସଂପର୍କରେ ନିଷ୍ପତ୍ତି ନିଆଯାଇଥିଲା। ଆଲୋଚନା ପରେ ଜୁନିଅର ଡାକ୍ତରମାନେ କୌଣସି ପ୍ରକାର ଆନ୍ଦୋଳନରୁ ଓହରି ଯାଇଥିଲେ। ପରେ ଏ ସଂପର୍କରେ ଡିସିପି ସଂଜୀବ ଆରୋରା ଆରଡିସିଙ୍କୁ ଭେଟି ଅବଗତ କରିଥିବା ସୂଚନା ମିଳିଛି।