28 March 2017
5:56:41 AM
Sambad News
ରାଜ୍ୟ

୧୮ ବର୍ଷ ହେଲା ବନ୍ଦୀ ମହିଳା ଉଦ୍ଧାର : ଜଞ୍ଜିରରେ ବନ୍ଧା ହୋଇଥିଲେ ପାଇଖାନାରେ

By Sambad | Date: Jan 8 2017 5:05AM
୧୮ ବର୍ଷ ହେଲା ବନ୍ଦୀ ମହିଳା ଉଦ୍ଧାର : ଜଞ୍ଜିରରେ ବନ୍ଧା ହୋଇଥିଲେ ପାଇଖାନାରେ

କଟକ : ଦୀର୍ଘ ୧୮ ବର୍ଷ ହେବ ପାଇଖାନା ଭିତରେ ବନ୍ଧା ହୋଇଥିଲେ ଜଞ୍ଜିରରେ। ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ରଖାଯାଇଥିବା ଜଣେ ମହିଳାଙ୍କୁ ଆଜି ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଓଲସାର ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମହିଳା ଜଣକ ହେଉଛନ୍ତି ଅଞ୍ଜନା ଲେଙ୍କା(୪୦)। ତାଙ୍କୁ ଜଗତସିଂହପୁର ବାଲିକୁଦା ଥାନା ଅନ୍ତର୍ଗତ ଦୋରଡା ଗ୍ରାମରୁ ଉଦ୍ଧାର କରାଯିବା ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।  
 
ସୂଚନା ଅନୁଯାୟୀ ୧୮ ବର୍ଷ ତଳେ ଅଞ୍ଜନାଙ୍କ ସ୍ୱାମୀ ସୁଶାନ୍ତ ବିଶ୍ୱାଳଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ମିଳିବାକୁ ଥିବା କ୍ଷତିପୂରଣ ଟଙ୍କା ପାଇଁ ଅଞ୍ଜନାଙ୍କ ପୁଅ ଓ ଝିଅଙ୍କୁ ତାଙ୍କ ଶାଶୂ ଘର ଲୋକେ ଜବରଦସ୍ତ ରଖିଥିଲେ।  ଅଞ୍ଜନାଙ୍କୁ ଘରୁ ତଡି ଦିଆଯାଇଥିଲା। କିନ୍ତୁ ସେତେବେଳକୁ ଅଞ୍ଜନାଙ୍କ ବାପା ମା’ଙ୍କର ବି ମୃତ୍ୟୁ ଘଟିଥିଲା। ଅଞ୍ଜନା ନିଜ ପୈତୃକ ଗ୍ରାମ ଦୋରଡାକୁ ଆସି ଦାଦା ଗୌରାଙ୍ଗ ଲେଙ୍କାଙ୍କ ନିକଟରେ ରହିଥିଲେ। ଗୌରାଙ୍ଗ ଅଞ୍ଜନାଙ୍କ ପୈତୃକ ସଂପତ୍ତି ହଡପ କରିବାକୁ ଯୋଜନା କରୁଥିବା ଜାଣିବା ପରେ ସେ ଅଦାଲତଙ୍କ ଆଶ୍ରୟ ନେବେ ବୋଲି ଧମକ ଦେଇଥିଲେ। ଏଭଳି ସ୍ଥିତିରେ ଦାଦା ଚଞ୍ଚକତା କରି ଅଞ୍ଜନାଙ୍କର ମାନସିକ ବିକୃତି ରହିଥିବା ଦର୍ଶାଇ ତାଙ୍କୁ ପାଇଖାନା ଘରେ ଜଞ୍ଜିରରେ ବାନ୍ଧି ରଖିଥିଲେ। ଏ ଖବର ମିଳିବା ପରେ ରାଜ୍ୟ ଆଇନସେବା ପ୍ରାଧିକରଣ 
 
ଓ ଓଲସା ପକ୍ଷରୁ ସ୍ଥାନୀୟ ବାଲିକୁଦା ଥାନା ପୁଲିସ ସହାୟତାରେ ଅଞ୍ଜନାଙ୍କୁ ଆଜି ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଅଞ୍ଜନାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ଏସସିବିରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଅଞ୍ଜନାଙ୍କୁ ଏସସିବିର ମାନସିକ ରୋଗ ଓ୍ଵାର୍ଡରେ ରଖାଯାଇଛି। ସେଠାରେ ବସୁନ୍ଧରା ପକ୍ଷରୁ ତାଙ୍କ ପାଇଁ ଜଣେ ଆଟେଣ୍ଡାଣ୍ଟ ଯୋଗାଇ ଦିଆଯାଇଛି। ଅନ୍ୟପକ୍ଷରେ ଏ ନେଇ ବାଲିକୁଦା ଥାନାରେ ଏତଲା ଦିଆଯିବା ପରେ ଗୌରାଙ୍ଗ ଲେଙ୍କାଙ୍କୁ ପୁଲିସ ଅଟକ ରଖିଥିବା ଜଣାଯାଇଛି। ଦେବେନ୍ଦ୍ର ଦାସ, କଲ୍ୟାଣୀ ସାହାଣୀ, ତପନ ସାହୁ, ବିପିନ ଚୌଧୁରୀ, ରାଜେନ୍ଦ୍ର ପ୍ରଧାନ, ଗୀତାଞ୍ଜଳି ପାତ୍ର, ରବୀନ୍ଦ୍ର ପ୍ରଧାନ, ବିରଞ୍ଚି ନାରାୟଣ ସାମଲ, ବିଜୟ ରାୟ, ଅଶୋକ ମହାନ୍ତି, ଶର୍ମିଷ୍ଠା ଜେନା ଓ ଅଶ୍ୱିନୀ ପଟ୍ଟନାୟକ ପ୍ରମୁଖ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।