18 January 2017
7:29:02 PM
Sambad News
ରାଜ୍ୟ

କଟକରେ ଅସଦାଚରଣରୁ ଚପଲ ମାଡ଼ : ଯୁବକଙ୍କୁ ନିସ୍ତୁକ ପିଟିଲେ ଯୁବତୀ

By Sambad | Date: Jan 9 2017 5:52AM
କଟକରେ ଅସଦାଚରଣରୁ ଚପଲ ମାଡ଼ : ଯୁବକଙ୍କୁ ନିସ୍ତୁକ ପିଟିଲେ ଯୁବତୀ

କଟକ : ବାଙ୍ଗାଲୋର ପରେ ଭୁବନେଶ୍ୱର, ଆଉ ଏବେ କଟକ। ବିଚ୍‌ ରାସ୍ତା ଉପରେ ଯୁବତୀଙ୍କୁ ଗଣ ଅସଦାଚରଣ, ଅଶ୍ଳୀଳ ଇଙ୍ଗିତ। ସଭ୍ୟ ସମାଜରେ ମାନବିକତାକୁ ଦୋହଲାଇ ଦେବା ଭଳି ଏଭଳି କାଣ୍ଡ ଭୁବନେଶ୍ୱର ପରେ ଏବେ ଦେଖିବାକୁ ମିଳିଛି କଟକରେ। କଟକର ସବୁଠୁ ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନ କୁହାଯାଉଥିବା ବାଦାମବାଡ଼ିରେ ଶହ ଶହ ଲୋକଙ୍କ ଉପସ୍ଥିତିରେ ଦୁଇ ଜଣ କଲେଜ ଛାତ୍ରୀ ଅସଦାଚରଣ ଶିକାର ହୋଇଛନ୍ତି। କିନ୍ତୁ ଅସଦାଚରଣ କରୁଥିବା ଦୁଇ ଯୁବକଙ୍କ ଆଗରେ ଏଠି ହାର୍‌ ମାନିନାହାନ୍ତି ଛାତ୍ରୀ। ସେମାନଙ୍କୁ ମୁକାବିଲା କରିବାକୁ ଯାଇ ଜଣେ ଯୁବତୀ ଯୁବକଙ୍କୁ ଧରି ନିସ୍ତୁକ ପିଟିଛି। ଶହ ଶହ ଲୋକଙ୍କ ଆଗରେ ଛାତ୍ରୀ ଜଣକ ଚପଲ ଖୋଲି ଯୁବକଙ୍କ ଗାଲରେ ଗୋଟିଏ ପରେ ଗୋଟିଏ ଚାପୁଡ଼ା କଷି ଦେଇଛି। ଚାପୁଡ଼ା ମରା ହେବାର ଦୃଶ୍ୟ ମୋବାଇଲ୍‌ ଭିଡ଼ିଓ କ୍ୟମେରାରେ କଏଦ୍‌ ହୋଇ ଭାଇରାଲ୍‌ ହୋଇଯାଇଛି।
 
ଶୁକ୍ରବାର ଭୁବନେଶ୍ୱର ପଟିଆ-ନନ୍ଦନକାନନ ରାସ୍ତାରେ ଯୁବତୀଙ୍କୁ ଗଣଅସଦାଚରଣ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏବେ କଟକରେ ଅନୁରୂପ ଘଟଣା ଏବଂ ଛାତ୍ରୀଙ୍କ ଦୃଢ଼ ଜବାବ୍‌ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ବାଦାମବାଡ଼ି ଥାନା ପୁଲିସ ଏହି ଘଟଣାରେ ଅଭିଯୁକ୍ତ ମଙ୍ଗଳାବାଗ ଫ୍ରେଣ୍ଡ୍‌ସ କଲୋନି ଅଞ୍ଚଳର ଚିତ୍ତରଞ୍ଜନ ପାତ୍ର(୩୦)କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଫେରାର୍‌ ହୋଇଯାଇଛି। 
 
ପ୍ରାପ୍ତ ସୂଚନାନୁଯାୟୀ, ପାଲାମଣ୍ଡପ ନିକଟସ୍ଥ କମଲ୍‌ପୁର ଅଞ୍ଚଳରେ ରହୁଥିବା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳର ଜଣେ ଯୁକ୍ତ ଦୁଇ ଛାତ୍ରୀ ତାଙ୍କ ଜଣେ ସାଂଗ ସହିତ ଶୁକବ୍ରାର ଦିନ ବିବାହ ଜିନିଷ କିଣାକିଣି କରିବା ପାଇଁ ବାଦାମବାଡ଼ି ଯାଇଥିଲେ। ସଂଧ୍ୟା ପ୍ରାୟ ୬ଟା ବେଳେ ବାଦାମବାଡ଼ିସ୍ଥିତ ଅନୁଗୁଳ ବସ୍‌ଷ୍ଟାଣ୍ଡ ନିକଟ ଏକ ଫୁଟ୍‌ପାଥ୍‌ରେ ଛିଡା ହୋଇଥିବା ବେଳେ ଚିତ୍ତରଞ୍ଜନ ତାଙ୍କ ସାଂଗ ପପୁ ମଲ୍ଲିକ ସହିତ ଏକ ବାଇକ୍‌ରେ ନିଶାସକ୍ତ ଅବସ୍ଥାରେ ସେଠି ପହଞ୍ଚିଥିଲେ। ରାସ୍ତା ଉପରେ ଶହ ଶହ ଲୋକଙ୍କ ସାମ୍‌ନାରେ ବାଇକ୍‌ରୁ ଓହ୍ଲାଇ ଯୁବକଦ୍ୱୟ ଦୁଇ ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ । ଶହ ଶହ ଲୋକ ରୁଣ୍ଡ ହୋଇ ଯୁବକଦ୍ୱୟଙ୍କ ଏଭଳି କାଣ୍ଡ କାରନାମା ଦେଖୁଥିଲେ ବି କେହି ପାଟି ଫିଟାଇ ନଥିଲେ। ହଠାତ୍‌ ଦୁଇ ଯୁବକ ଭଦ୍ରକର ସମ୍ପୃକ୍ତ ଛାତ୍ରୀଙ୍କ ପୋଷାକକୁ ଟଣାଘୋଷରା କରିଥିଲେ ।
 
ବାଦାମବାଡ଼ି ଥାନାଠାରୁ ମାତ୍ର ଶହେ ମିଟର୍‌ ଦୂରତାରେ ଦୁଇ ଯୁବକ ଅଧଘଣ୍ଟା ଧରି ଛାତ୍ରୀଙ୍କ ସହିତ ଏଭଳି କାଣ୍ଡ କରିଥିଲେ। ଯୁବକଙ୍କ ଏ ପ୍ରକାର ଅସଦାଚରଣରେ ଅତିଷ୍ଠ ହୋଇ ଶେଷରେ ଜଣେ ଛାତ୍ରୀ ସାହସ କୁଳାଇ ଏହାର ମୁକାବିଲା କରିଥିଲେ। ଚିତ୍ତରଂଜନଙ୍କ କଲର ଧରି ଘୋଷାରି ଆଣିବା ସହ ଚାପୁଡ଼ା, ବିଧା ବର୍ଷଣ କରିଥିଲେ। ଶେଷରେ ଛାତ୍ରୀ ଜଣକ ଚପଲ ଖୋଲି ଚିତ୍ତରଂଜନ ଗାଲରେ ଚାପୁଡ଼ା କଷି ଦେଇଥିଲେ। ସେତେବେଳକୁ ବହୁ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ। ଚିତ୍ତରଞ୍ଜନ ସମସ୍ତଙ୍କ ସାମ୍ନାରେ ଛାତୀଙ୍କୁ ଭୁଲ୍‌ ମାଗିଥିଲା। ଅନ୍ୟପେଟେ ଛାତ୍ରୀଙ୍କ ଏଭଳି ମାଡ଼ ଦେଖି ଚିତ୍ତରଂଜନଙ୍କ ସାଥୀ ପପୁ  ଘଟଣାସ୍ଥଳରୁ ବାଇକ୍‌ ଧରି ଚମ୍ପଟ୍‌ ମାରିଥିଲେ। ସିନେମା ସୁଟିଂ ଦେଖିଲା ଭଳି ସାଧାରଣ ଲୋକେ ପୂରା ଘଟଣାକୁ ଉପଭୋଗ କରୁଥିବା ବେଳେ ଖସିଯାଉଥିବା ଯୁବକଙ୍କୁ ଧରିବାକୁ କେହି ଉଦ୍ୟମ କରିନଥିଲେ । ଓଲଟା ଏଭଳି ଦୃଶ୍ୟକୁ କେହି ମୋବାଇଲ୍‌ ଭିଡ଼ିଓ କ୍ୟାମେରା ରେକର୍ଡିଂ କରିଦେଇଥିଲା। 
 
ତେବେ ଏହି ଘଟଣାର ଘଟିବାର ପ୍ରାୟ ଅଧଘଣ୍ଟା ପରେ ବାଦାମବାଡି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଚିତ୍ତରଞ୍ଜନକୁ ଥାନାକୁ ଆଣିଥିଲା । ଥାନାରେ ପଚରାଉଚରା ପରେ ଚିତ୍ତରଂଜନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଗିରଫ ଚିତ୍ତରଂଜନଙ୍କର ମଙ୍ଗଳାବାଗ ଅଞ୍ଚଳରେ ଏକ ମୋବାଇଲ୍‌ ମରାମତି ଦୋକାନ ରହିଥିବା କୁହାଯାଉଛି। ଅନ୍ୟପଟେ ଭଦ୍ରକର ସମ୍ପୃକ୍ତ କଲେଜ ଛାତ୍ରୀଙ୍କ ବୟାନ ଓ ଅଭିଯୋଗ ଆଧାରରେ ଦଫା ୩୫୪(ବି), ୩୪ରେ ମାମଲା(କେସ୍‌ ନଂ ୫) ରୁଜୁ ହୋଇଛି। ସେପଟେ ଫେରାର ପପୁକୁ ଗିରଫ ପାଇଁ ପୁଲିସ ତା ସିଡିଆର୍‌(କଲ୍‌ ଡିଟେଲ୍‌ ରେକର୍ଡ) ଯାଞ୍ଚ କରୁଛି । ତେବେ ଆଜି ଏ ଘଟଣା ସମ୍ପର୍କିତ ଏକ ମିନିଟ୍‌ ୪୦ ସେକେଣ୍ଡର ଭିଡିଓ ଭାଇରାଲ୍‌ ହେଇଯିବାରୁ ପୁରା ଘଟଣା ପଦାକୁ ଆସିଥିବା କୁହାଯାଉଛି । ଡିସିପି ସଂଜୀବ ଆରୋରା କହିଛନ୍ତି, ପ୍ରମାଣ ଆଧାରରେ ଚିତ୍ତରଂଜନଙ୍କୁ ଗିରଫ କରାଯାଇଛି। ପପୁ ବିରୋଧରେ ପ୍ରମାଣ ମିଳିଲେ ତା’କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।