20 July 2017
6:07:17 PM
image
Sambad News
ରାଜ୍ୟ

ପିପିଲି ଗଣଦୁଷ୍କର୍ମ ଘଟଣା: ସ୍ୟାଟ୍‌ଙ୍କ ରାୟ ହାଇକୋର୍ଟରେ କାଏମ, ସରକାରଙ୍କ ଆବେଦନ ଖାରଜ

By Sambad | Date: Jan 10 2017 10:04PM
ପିପିଲି ଗଣଦୁଷ୍କର୍ମ ଘଟଣା: ସ୍ୟାଟ୍‌ଙ୍କ ରାୟ ହାଇକୋର୍ଟରେ କାଏମ, ସରକାରଙ୍କ ଆବେଦନ ଖାରଜ

କଟକ: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସରକାରଙ୍କୁ ଶକ୍ତ ଧକ୍କା ଲାଗିଛି। ପିପିଲି ଥାନାର ତତ୍କାଳୀନ ଥାନା ଅଧିକାରୀ ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ଆଶ୍ୱସ୍ତି ମିଳିଛି। ଶ୍ରୀ ଚମ୍ପତ୍ତିରାୟଙ୍କୁ ଚାକିରିରୁ ବହିଷ୍କାର ପାଇଁ ସରକାର ଦେଇଥିବା ନିର୍ଦ୍ଦେଶ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ) ରଦ୍ଦ କରିଥିବା ବେଳେ ସରକାର ଏହି ରାୟକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ସ୍ୟାଟଙ୍କ ରାୟ କାଏମ ରଖିଥିବା ବେଳେ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। ଚମ୍ପତ୍ତିରାୟଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଚାକିରିରୁ ବହିଷ୍କାର କରାଯିବା ଅସାମ୍ବିଧାନିକ ବୋଲି ରାୟରେ ସ୍ପଷ୍ଟ କରାଯାଇଛି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

ଶ୍ରୀ ଚମ୍ପତ୍ତିରାୟଙ୍କ ପକ୍ଷରୁ ଆଇନଜୀବୀ ଅଶୋକ କୁମାର ଦାସ ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୧, ନଭେମ୍ବର ୨୯ ତାରିଖରେ ପିପିଲି ଥାନା ଅନ୍ତର୍ଗତ ଅର୍ଜୁନଗୋଦା ଗ୍ରାମର ବବିନା ବେହେରାଙ୍କ ସହିତ ଦୁଷ୍କର୍ମ ହୋଇଥିଲା। ୨୦୧୧, ନଭେମ୍ବର ୨୯ ତାରିଖରେ ବବିନାଙ୍କ ସହିତ ଘଟିଥିବା ଘଟଣା ପରେ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ପ୍ରଥମେ ପିପିଲି ସ୍ୱାସ୍ଥ୍ୟ କେନ୍ଦ୍ର, ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରବର୍ତ୍ତୀ ସମୟରେ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୧, ନଭେମ୍ବର ୩୦ରେ ପୀଡିିିତାଙ୍କ ପରିବାର ପକ୍ଷରୁ ପିପିଲି ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଆଇଆଇସି ଚମ୍ପତ୍ତିରାୟ ଏହାକୁ ଗ୍ରହଣ କରି ନଥିଲେ। ୨୦୧୧, ଡିସେମ୍ବର ୧୪ରେ ପୀଡିତାଙ୍କୁ ତାଙ୍କ ପରିବାର ଇଚ୍ଛା ବିରୋଧରେ ଏସ୍‌ସିବିରୁ ଡିସଚାର୍ଜ କରାଯାଇଥିଲା। ଏହାପରେ ହାଇକୋର୍ଟ ଓ ମାନବାଧିକାର କମିସନଙ୍କ ହସ୍ତକ୍ଷେପ ପରେ ମାମଲା ରୁଜୁ ହୋଇଥିଲା ଓ ପୀଡିତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା।

କିନ୍ତୁ ପରିଶେଷରେ ୨୦୧୨ ରଥଯାତ୍ରା ଦିନ ବିବାଦୀୟ ପରିସ୍ଥିତିରେ ପୀଡିତା ଆଖି ବୁଜିଥିଲେ। ୨୦୧୨, ଜାନୁଆରି ୧୩ରେ ରାଜ୍ୟ ସରକାର ତତ୍କାଳୀନ ପିପିଲି ଥାନା ଆଇଆଇସି ଅମୂଲ୍ୟ ଚମ୍ପତିରାୟଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ କରିଥିଲେ। ୧୦ ଦିନ ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଏପରି ବହିଷ୍କାର ନିଷ୍ପତ୍ତିକୁ ଚାଲେଞ୍ଜ କରି ସେ ସ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ୨୦୧୩ରେ ସ୍ୟାଟ୍‌ ଚମ୍ପତ୍ତିରାୟଙ୍କ ବହିଷ୍କାର ନିଷ୍ପତ୍ତି ରଦ୍ଦ କରିଥିଲେ। ସ୍ୟାଟଙ୍କ ରାୟକୁ ଚାଲେଞ୍ଜ କରି ସରକାର ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ସାରା ରାଜ୍ୟରେ ଚର୍ଚ୍ଚିତ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ୍‌ ପି.କେ.ମହାନ୍ତି କମିସନ୍‌ ୨୦୧୬, ମାର୍ଚ୍ଚ ୩୦ ତାରିଖରେ ଚୂଡାନ୍ତ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଥିଲେ।