21 August 2017
2:00:18 PM
image
Sambad News
ରାଜ୍ୟ

ନୂଆ ବସ୍‌ ପରମିଟ୍‌ ପାଇଁ ଏସ୍‌ଟିଏରେ ବୈଠକ

ଆଚରଣବିଧି ଉଲ୍ଲଂଘନ ନିଷ୍ପତ୍ତି ନେବେ ନିର୍ବାଚନ କମିସନ

By Sambad | Date: Jan 10 2017 11:30PM
ନୂଆ ବସ୍‌ ପରମିଟ୍‌ ପାଇଁ ଏସ୍‌ଟିଏରେ ବୈଠକ

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣବିଧି ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଫେବ୍ରୁଆରି ୨୧ ତାରିଖ ଯାଏ ଭୋଟରଙ୍କୁ ପ୍ରଭାବିତ କଲା ଭଳି ସରକାରୀ ସ୍ତରରେ କୌଣସି ନିଷ୍ପତ୍ତି ଗ୍ରହଣ ଉପରେ ଅଙ୍କୁଶ ଲାଗିଛି। ମାତ୍ର ଏହି ସମୟରେ ରାଜ୍ୟର ବିଭିନ୍ନ ରୁଟ୍‌ରେ ନୂଆ ବସ୍‌ ପର୍‌ମିଟ୍‌ ପ୍ରଦାନ ସଂକ୍ରାନ୍ତରେ ଶୁଣାଣି ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ବୈଠକ ବସିବା ଘଟଣା ଆଚରଣବିଧି ଉଲ୍ଲଂଘନ କରିବା ଆଶଙ୍କା ସୃଷ୍ଟି କରିଛି। ପଞ୍ଚାୟତ ନିର୍ବାଚନ ହେଉଥିବା ବିଭିନ୍ନ ଅଞ୍ଚଳକୁ ଏହି ବସ୍‌ ଚଳାଚଳ କରିବାକୁ ଥିବା ବେଳେ ଏ ସଂପର୍କିତ କୌଣସି ପ୍ରକାର ନିଷ୍ପତ୍ତି ଆଚରଣବିଧି ଉଲ୍ଲଂଘନର ଆଶଙ୍କା ସୃଷ୍ଟି କରିଛି।

ଏ ସଂପର୍କରେ ପରିବହନ କମିଶନ ଡି.ସି. କୁଟ୍ଟେ କହିଛନ୍ତି ଯେ ଆଜି ୬୫ ଜଣ ଆବେଦନକାରଙ୍କ ଶୁଣାଣି ହୋଇଥିବା ବେଳେ ୧୨ ତାରିଖରେ ହେବାକୁ ଥିବା ଦ୍ୱିତୀୟ ବୈଠକରେ ଅବଶିଷ୍ଟ ୬୯ ଜଣଙ୍କ ଶୁଣାଣି କରାଯିବ। କିନ୍ତୁ ବସ୍‌ ପର୍‌ମିଟ୍‌ ନିଷ୍ପତ୍ତି ସଂକ୍ରାନ୍ତ ଶୁଣାଣି ସହିତ ନିର୍ବାଚନ ଆଚରଣବିଧିର କି ପ୍ରକାର ସମ୍ପର୍କ ରହିଛି ବୋଲି ଶ୍ରୀ କୁଟ୍ଟେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଆଜି ଏ ସଂପର୍କିତ ଶୁଣାଣି ହୋଇଥିଲେ ବି ପରମିଟ୍‌ ଅନୁମତି ଆଚରଣବିଧି ଲାଗୁ ସମୟରେ ଦିଆଯିବ କି ନାହିଁ ତାହା କମିସନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।
ସୂଚନା ଅନୁଯାୟୀ, ୨୦୧୬ ଅକ୍ଟୋବର ୨୩ ତାରିଖରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୩୪ ଜଣ ଆବେଦନକାରୀ ନୂଆ ବସ୍‌ ପର୍‌ମିଟ୍‌ ପାଇଁ ଆବେଦନ କରିଥିଲେ । ଡିସେମ୍ବର ୨୭ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଆଚରଣବିଧ ଲାଗୁ କରିଥିବା ସତ୍ତ୍ୱେ ଏସ୍‌ଟିଏଙ୍କ ପକ୍ଷରୁ ଆବେଦନକାରୀଙ୍କୁ ୩୦ ତାରିଖରେ ବୈଠକରେ ଯୋଗ ଦେବାକୁ ଚିଠି କରିଥିଲେ। ଏହି ଚିଠି ଆଧାରରେ ଆଜି ଓ ୧୨ ତାରିଖରେ ଦୁଇଟି ପର୍ଯ୍ୟାୟରେ ଆବେଦନକାରୀଙ୍କ ପର୍‌ମିଟ୍‌ ସଂକ୍ରାନ୍ତ ଶୁଣାଣି କରାଯିବାର କାର୍ଯ୍ୟକ୍ରମ ରହିଛି । ଆଜି ଦିନ ପ୍ରାୟ ୧୧ଟାରୁ ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ବୈଠକ ବସିଥିଲା ।

ଏଥିରେ ଭବାନୀପାଟଣା, ବାରିପଦା, ବାଲେଶ୍ୱର, ଭଦ୍ରକ ଇତ୍ୟାଦି ଜିଲ୍ଲାର ବସ୍‌ ଆସୋସିଏସନ୍‌ ସଂଘ ଯୋଗ ଦେଇଥିବା ବେଳେ ଓଏସ୍‌ଆର୍‌ଟିସି କର୍ତ୍ତୃପକ୍ଷ ମଧ୍ୟ ସାମିଲ ହୋଇଥିଲେ । ଆଚରଣବିଧି ଲାଗୁ ବେଳେ ବୈଠକ ବସିଥିବା ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବାରୁ ଏସ୍‌ଟିଏ ପକ୍ଷରୁ ନୂତନ ବସ୍‌ ପର୍‌ମିଟ୍‌ ସଂକ୍ରାନ୍ତ ନିଷ୍ପତ୍ତି ଶୁଣାଣି ବାବାଦରେ ନିର୍ବାଚନ କମିଶନଙ୍କୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି ।