20 August 2017
6:59:53 PM
Sambad News
ରାଜ୍ୟ

ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଥଇଥାନ ପ୍ରସଂଗରେ

By Sambad | Date: Jan 10 2017 10:31PM
ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

କଟକ: ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପ୍ରତିଶ୍ରୁତି ମୁତାବକ ସରକାରୀ ସହାୟତା ଯୋଗାଇ ଦିଆଯାଉ ନାହିଁ ଅଭିଯୋଗ କରି ଦାୟର ଆବେଦନର ଶୁଣାଣି କରି ରାଜ୍ୟ ମାନବାଧିକାର କମିସନ ରିପୋର୍ଟ ତଲବ କରିଛନ୍ତି। ଏପରି ଅଭିଯୋଗ ସଂପର୍କରେ ତଦନ୍ତ କରି ୪ ସପ୍ତାହ ଭିତରେ ରିପୋର୍ଟ ଦାଖଲ ପାଇଁ ମାଲକାନଗିରି ଜିଲ୍ଲାପାଳ ଓ ଏସପିଙ୍କୁ କମିସନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ବୀର କିଶୋର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ଅଭିଯୋଗର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୩ରେ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମାନବାଧିକାର କର୍ମୀ ଅଖଣ୍ଡଙ୍କ ଆବେଦନର ଶୁଣାଣି କରି କମିସନ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଦାୟର ଆବେଦନରେ ଦର୍ଶାଯାଇଛି ଯେ ୨୦୧୫ରେ ମାଲକାନଗିରିରେ ଶତାଧିକ ମାଓବାଦୀ ଓ ମାଓ ସମର୍ଥକ  ଆତ୍ମସମର୍ପଣ କରିଥିଲେ। ଏଥି ମଧ୍ୟରେ କ୍ୟାଡର ମାଓବାଦୀ ମଧ୍ୟ ଥିଲେ। ଆତ୍ମ ସମର୍ପଣ କରିଥିବା ନକ୍ସଲମାନଙ୍କୁ ଥଇଥାନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ଥଇଥାନ ପାଇଁ ନିୟମ ଅନୁସାରେ ଆର୍ଥିକ ସହାୟତା ଦିଆଯିବ ବୋଲି ଜିଲ୍ଲା ପୁଲିସ ଗଣମାଧ୍ୟମରେ କହିଥିଲା।

କିନ୍ତୁ ଥଇଥାନ ଯୋଜନା ଅନୁସାରେ ଆତ୍ମ ସମର୍ପଣ କରିଥିବା ମାଓବାଦୀ ଓ ନକ୍ସଲ ସମର୍ଥକଙ୍କୁ ଥଇଥାନା ଯୋଜନା ମୁତାବକ ନା ମିଳିଛି ଜମି ନା ମିଳିଛି ଆର୍ଥିକ ସହାୟତା। ପାଠ ପଢିବାକୁ ଓ ବିଭିନ୍ନ କ୍ଷେତ୍ରରେ ସକ୍ଷମ କରିବାକୁ ମାସିକ ଷ୍ଟାଇପେଣ୍ଡ ପ୍ରଦାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇ ତାହା ପାଳନ କରାଯାଇ ନାହିଁ। ଘର ତିଆରି ପାଇଁ ଇନ୍ଦିରା ଆବାସ ଯୋଜନାର ସୁବିଧା ଓ ଆର୍ଥିକ ସହାୟତା ମଧ୍ୟ ଦିଆଯାଇ ନାହିଁ। ରହିଥିବା ଥଇଥାନ ନୀତି ଲାଗୁ କରିବା ପାଇଁ କିଛି ପଦକ୍ଷେପ ନିଆଯାଇ ନାହିଁ ବୋଲି କମିସନଙ୍କ ନିକଟରେ ଅଭିଯୋଗ ହୋଇଛି।