25 May 2017
4:06:05 PM
image
Sambad News
ରାଜ୍ୟ

ଡିଆର୍‌ଏମ୍‌ଙ୍କ ତନାଘନା; ଗୃହ ବିଭାଗକୁ ଜଣାଇବାକୁ ନିଷ୍ପତ୍ତି

ରେଳବାଇ ଅଫିସରେ ପୁଲିସ୍‌ ଗୁଣ୍ଡାଗର୍ଦ୍ଦି ଘଟଣା

By Sambad | Date: Jan 10 2017 10:59PM
ଡିଆର୍‌ଏମ୍‌ଙ୍କ ତନାଘନା; ଗୃହ ବିଭାଗକୁ ଜଣାଇବାକୁ ନିଷ୍ପତ୍ତି

କଟକ: ଜିଆର୍‌ପି ହାବିଲ୍‌ଦାର ଓ କନେଷ୍ଟବଳ ସଂଘର କେତେକ ସଦସ୍ୟ ରେଳବାଇ କାର୍ଯ୍ୟାଳୟରେ ଗୁଣ୍ଡାଗର୍ଦ୍ଦି କରିବା ଘଟଣାକୁ ଗୁରୁତର ସହିତ ନେଇଛି ରେଳ ବିଭାଗ । ଆଜି ‘ସମ୍ବାଦ’ରେ ଘଟଣା ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ଖୋର୍ଧା ଡିଆର୍‌ଏମ୍‌(ଡିଭିଜନାଲ୍‌ ରେଲେଓ୍ଵ ମ୍ୟାନେଜର) ଘଟଣାର ତନାଘନା କରିଛନ୍ତି । ଜିଆର୍‌ପି ପୁଲିସର ଦୁର୍ବ୍ୟବହାର ଶିକାର ହୋଇଥିବା ବରିଷ୍ଠ ବିଭାଗୀୟ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିଛନ୍ତି । କାର୍ଯ୍ୟାଳୟରେ ଯେଉଁ କର୍ମଚାରୀମାନେ ମାଡ ଖାଇଛନ୍ତି ବା ଗାଳିଗୁଲଜର ଶିକାର ହୋଇଛନ୍ତି, ସମ୍ପୃକ୍ତ କର୍ମଚାରୀଙ୍କ ସଂକ୍ରାନ୍ତରେ ସବିଶେଷ ତଥ୍ୟ ମାଗିଛନ୍ତି ଡିଆର୍‌ଏମ୍‌ ଦେବରାଜ ପାଣ୍ଡେ ।

ରିପୋର୍ଟ ହସ୍ତଗତ ହେବା ପରେ ଗୃହ ବିଭାଗ ଓ ପୁଲିସ ଡିଜିଙ୍କୁ ଘଟଣା ସମ୍ପର୍କରେ ଜଣାଇବା ବୋଲି ଶ୍ରୀ ପାଣ୍ଡେ ସୂଚନା ଦେଇଛନ୍ତି । ଅନ୍ୟପଟେ ଜିଆର୍‌ପି ପୁଲିସ ସଂଘର ଗୁଣ୍ଡା ଗର୍ଦ୍ଦି ଘଟଣା ଧରାପଡିଯିବା ପରେ ଆଜି ସଂଘର ସଦସ୍ୟମାନେ ଅକଳରେ ପଡିଯାଇଛନ୍ତି । ସୂଚନା ଅନୁଯାୟୀ, ରେଳବିଭାଗର ବରିଷ୍ଠ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗଲାକାଲି ଜିଆର୍‌ପି ହାବିଲ୍‌ଦାର ଓ କନେଷ୍ଟବଳ ଶାଖା ସଂଘର ନିର୍ଦ୍ଦିଷ୍ଟ କିଛି ସଦସ୍ୟ ବିଭାଗୀୟ ଯନ୍ତ୍ରୀ(ଓ୍ଵାର୍କସ୍‌) ଗୌତମ କୁମାର ଦାସଙ୍କୁ କାର୍ଯ୍ୟାଳୟରେ ପଶି ଆକ୍ରମଣ କରିଥିଲେ ।

ପୂର୍ବରୁ ସଂଘର ଦୁଇଟି ଦାବି ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ହୋଇନଥିବାରୁ ବିଭାଗୀୟ ଯନ୍ତ୍ରୀ ଏବଂ ତାଙ୍କ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଜିଆର୍‌ପି ପୁଲିସ ମାଡ ମାରିବା ସହିତ ଗାଳି ଗୁଲଜ କରିଥିଲେ । ଏଭଳି ଘଟଣା ଘଟିବା ପରେ ଗଲାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ବେଳେ ଆଜି ଡିଆର୍‌ଏମ୍‌ ଘଟଣାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
 

ଖୋର୍ଧା ଡିଆର୍‌ଏମ୍‌ ଦେବରାଜ ପାଣ୍ଡେଙ୍କ କହିବା ଅନୁଯାୟୀ, ଜିଆର୍‌ପି ପୁଲିସ ଆଇନକୁ ସୁରକ୍ଷା ଦେବା ପରିବର୍ତ୍ତେ ଆଇନ ଉଲ୍ଲଂଘନ କରିବା ଘଟଣା ଆଦୌ ଗ୍ରହଣୀୟ ନୁହେଁ । ରେଳବାଇ ସୁରକ୍ଷା କ୍ଷେତ୍ରରେ ଜିଆର୍‌ପିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ଏ ପ୍ରକାର କାର୍ଯ୍ୟ ନିନ୍ଦନୀୟ । ଘଟଣା ସମ୍ପର୍କରେ ବରିଷ୍ଠ ବିଭାଗୀୟ ଯନ୍ତ୍ରୀ(ଓ୍ଵାର୍କସ୍‌)ଙ୍କ ନିକଟରୁ ଅବଗତ ହେବା ପରେ ପୁରା ଘଟଣା ସମ୍ପର୍କରେ ଏକ ରିପୋର୍ଟ ଦେବାକୁ ଆଜି ନିର୍ଦ୍ଦେଶ ଦେଇଛି । ଗଲାକାଲି କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଥିଲା ଏବଂ ରେଳବାଇ କାର୍ଯ୍ୟାଳୟର କେଉଁ କର୍ମଚାରୀ ମାଡ ଖାଇଛନ୍ତି, ସେ ସଂକ୍ରାନ୍ତରେ ଆସନ୍ତା ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଛୁ । ରିପୋର୍ଟ ମିଳିଲେ ନିଶ୍ଚିନ୍ତ ଭାବେ ଗୃହ ବିଭାଗ ଏବଂ ପୁଲିସ ଡିଜିଙ୍କ ନିକଟର ଉପସ୍ଥାପନ କରାଯିବା ନେଇ ଶ୍ରୀ ପାଣ୍ଡେ କହିଛନ୍ତି ।
 

ଏଠାରେ ସୂଚନାଯୋଗ୍ୟ ଯେ, ଜିଆର୍‌ପିର ହାବିଲ୍‌ଦାର ଓ କନେଷ୍ଟବଳ ଶାଖା ସଂଘ ପକ୍ଷରୁ ୨୦୧୬ ଡିସେମ୍ବର ୨୬ ତାରିଖରେ ଏକ ପୁଲିସ କ୍ୟାଣ୍ଟିନ୍‌ ହଲ୍‌ ଖୋଲିବା ପାଇଁ ଏବଂ ୫ ତାରିଖରେ ସଂଘର କାର୍ଯ୍ୟାଳୟ ଗୃହର ମରାମତି କରିବାକୁ ବରିଷ୍ଠ ବିଭାଗୀୟ ଯନ୍ତ୍ରୀ(ଓ୍ଵାର୍କସ୍‌)ଙ୍କୁ ଅବଗତ କରାଇଥିଲେ । ଏସବୁ କାର୍ଯ୍ୟ ନିୟମ ବିରୁଦ୍ଧ ହୋଇଥିବା ସତ୍ତ୍ୱେ ଗଲାକାଲି ସଂଘର ସଦସ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁଣ୍ଡାଗର୍ଦ୍ଦି ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା ।

image