22 February 2017
10:56:07 PM
Sambad News
କଟକ

ହାଇକୋର୍ଟରେ ଆନନ୍ଦପୁର ପୌରାଧ୍ୟକ୍ଷାଙ୍କ ଆବେଦନ ଖାରଜ

By Sambad | Date: Jan 11 2017 9:27PM
ହାଇକୋର୍ଟରେ ଆନନ୍ଦପୁର ପୌରାଧ୍ୟକ୍ଷାଙ୍କ ଆବେଦନ ଖାରଜ

କଟକ : ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ରାୟକୁ ଚାଲେଞ୍ଜ କରି ଆନନ୍ଦପୁର ପୌରପାଳିକା ଅଧ୍ୟକ୍ଷା ସରସ୍ୱତୀ ଜେନା ଦାୟର କରିଥିବା ରିଟ୍‌ ଅପିଲ ଆଜି ଖାରଜ ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀମତୀ ଜେନାଙ୍କ ରିଟ ଅପିଲର ଶୁଣାଣି ହୋଇଥିଲା। 
 
ଜଣିକିଆ ବିଚାରପତି ୨୦୧୭, ଜାନୁଆରି ୩ରେ ପ୍ରଦାନ କରିଥିବା ରାୟରେ କୌଣସି ତ୍ରୁଟି ନାହିଁ ଓ ରିଟ୍‌ ଅପିଲ ବିଚାର ଯୋଗ୍ୟ ନୁହେଁ ଦର୍ଶାଇ ଖଣ୍ଡପୀଠ ଏହାକୁ ଖାରଜ କରିଛନ୍ତି। ଏଥି ସହିତ ଜଣିକିଆ ବିଚାରପତିଙ୍କ ରାୟ କାଏମ ରହିଛି। ଅନାସ୍ଥା ପ୍ରସ୍ତାବ ଆଣିଥିବା କାଉନସିଲରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସଂଜୟ ରଥ ତାଙ୍କୁ ସହାୟତା କରୁଥିଲେ।
 
ମାମଲାର ବିବରଣୀରୁ ପ୍ରକାଶ ଯେ ଆନନ୍ଦପୁର ପୌରପାଳିକାରେ ୧୬ ଜଣ କାଉନସିଲର ଥିବା ବେଳେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ଲାଗି  ୯ ଜଣ ସ୍ୱତନ୍ତ୍ର ବୈଠକରେ ୨୦୧୬, ଜୁନ୍‌ ୨୮ରେ ନିଷ୍ପତ୍ତି ନେଇଥିଲେ। ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଥିଲା। ୨୦୧୬, ଜୁଲାଇ ୨୩ ତାରିଖକୁ  ଅନାସ୍ଥା ପ୍ରସ୍ତାବ ସଂପର୍କିତ ବୈଠକ ଧାର୍ଯ୍ୟ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୬, ଜୁଲାଇ ୬ରେ ଜିଲ୍ଲାପାଳ ଜାରି କରିଥିବା ଆନାସ୍ଥା ପ୍ରସ୍ତାବ ନୋଟିସକୁ ଚାଲେଞ୍ଜ କରି ଅଧ୍ୟକ୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। 
 
ମାମଲାର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ଅଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ହେବ, କିନ୍ତୁ ଭୋଟ୍‌ ଗ୍ରହଣ ପରେ ଫଳାଫଳ ପ୍ରକାଶ କରାଯିବ ନାହିଁ ବୋଲି ଜୁଲାଇ ୨୨ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ବନ୍ଦ୍‌ ଲଫାପାରେ ଅନାସ୍ଥା ପ୍ରସ୍ତାବ ଭୋଟର ଫଳାଫଳ ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ୨୦୧୭, ଜାନୁଆରି ୩ରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା। 
 
ଜିଲ୍ଲାପାଳ ଆଇନ ଅନୁସାରେ ନୋଟିସ ଜାରି କରିଥିବା ଦର୍ଶାଇ ଖଣ୍ଡପୀଠ ଅଧ୍ୟକ୍ଷା ଶ୍ରୀମତୀ ଜେନାଙ୍କ ଆବେଦନ ଖାରଜ କରିଥିଲେ। ଏଥି ସହିତ ୨୦୧୬, ଜୁଲାଇ ୨୩ରେ ଅଧ୍ୟକ୍ଷାଙ୍କ ବିରୋଧରେ ଅନୁଷ୍ଠିତ ଅନାସ୍ଥା ପ୍ରସ୍ତାବ ଭୋଟ ଗ୍ରହଣର ଫଳାଫଳ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ସେ ରିଟ୍‌ ଅପିଲ ରୁଜୁ କରିଥିଲେ।