18 January 2017
7:32:33 PM
Sambad News
କଟକ

କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ପାଇଁ ଆବେଦନ : ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

ବାଲେଶ୍ୱରରେ ଭିନ୍ନକ୍ଷମଙ୍କୁ ଆରପିଏଫର ଥାର୍ଡ ଡିଗ୍ରି

By Sambad | Date: Jan 11 2017 9:48PM
କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ପାଇଁ ଆବେଦନ : ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

କଟକ : ବାଲେଶ୍ୱର ଷ୍ଟେସନରେ ଜଣେ ଭିନ୍ନକ୍ଷମଙ୍କୁ ଆରପିଏଫ୍‌ର ସୁରକ୍ଷାକର୍ମୀଙ୍କ ଗୋଇଠାମାଡ ଘଟଣାକୁ ରାଜ୍ୟ ମାନବାଧିକାର କମିସନ ଗୁରୁତର ସହିତ ନେଇଛନ୍ତି। ଏ ସଂପର୍କିତ ଅଭିଯୋଗର ଶୁଣାଣି କରି କମିସନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ବୀର କିଶୋର ମିଶ୍ର ନୋଟିସ୍‌ ଜାରିଛନ୍ତି। ଘଟଣାର ସରଜମିନ ତଦନ୍ତ କରି ୪ ସପ୍ତାହ ଭିତରେ ସବିଶେଷ ରିପୋର୍ଟ ଦାଖଲ ପାଇଁ ଓଡିଶା ରେଳବାଇ ପୁଲିସ ଆଇଜି ଓ ଆରପିଏଫ୍‌ର ପୂର୍ବତଟ ରେଳବାଇ ମୁଖ୍ୟ ସୁରକ୍ଷା କମିସନରଙ୍କୁ କମିସନ ନିର୍ଦ୍ଦେଶ ଦେଇଛନ୍ତି। 
 
ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଅଭିଯୋଗର ଶୁଣାଣି କରି କମିସନ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଦାସ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ଭିନ୍ନକ୍ଷମଙ୍କ ବିରୋଧରେ ମୋବାଇଲ ଫୋନ ଚୋରି ଅଭିଯୋଗ ରହିଥିବା ବେଳେ ଆରପିଏଫ୍‌ ଅଧିକାରୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ତାଙ୍କୁ ଗୋଇଠା ଓ ମାଡ ମାରିଥିଲେ। ଏପରି ବର୍ବର କାଣ୍ଡ ସୁରକ୍ଷାକର୍ମୀମାନେ ଷ୍ଟେସନରେ ସର୍ବସାଧାରଣଙ୍କ ଉପସ୍ଥିତିରେ ଭିଆଇଥିବା ବେଳେ ସେମାନଙ୍କର ଏପରି କରିବାର କୌଣସି ଅଧିକାର ନାହିଁ। ଆଇନ ହାତକୁ ନେଇ ଅତ୍ୟନ୍ତ ଅମାନୁଷିକ ଭାବେ ଭିନ୍ନକ୍ଷମଙ୍କୁ ସୁରକ୍ଷାକର୍ମୀ ନିର୍ଯାତନା ଦେବା ମାନବାଧିକାର ଉଲ୍ଲଂଘନର ସ୍ପଷ୍ଟ ଉଦାହରଣ। 
 
ଏପରି ଅମାନୁଷିକ କାର୍ଯ୍ୟର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ପୀଡିତ ଭିନ୍ନକ୍ଷମଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଶ୍ରୀ ଦାସ ଆବେଦନରେ ପ୍ରାର୍ଥନା କରିଛନ୍ତି। ମାମଲାରେ ରିପୋର୍ଟ ମିଳିବା ପରେ ୨୦୧୭, ଫେବ୍ରୁଆରି ୨୮ରେ ଶ୍ରୀ ଦାସଙ୍କ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି।