28 March 2017
6:03:06 AM
Sambad News
କଟକ

ମଇଁଷିକୁ ଦଳି ମାରିଲା ବଣୁଆ ହାତୀ

By Sambad | Date: Jan 11 2017 10:09PM
ମଇଁଷିକୁ ଦଳି ମାରିଲା ବଣୁଆ ହାତୀ

ତିଗିରିଆ : ତିଗିରିଆ ଭିରୁଡ଼ା ଗ୍ରାମର ମଇଁଷି ଗୋଠରେ ଏକ ବଣୁଆ ହାତୀ ପଶି ଗୋଟିଏ ମଇଁଷି ଛୁଆକୁ ଦଳି ଚକଟି ମାରିଦେଇଛି। ହାତୀ ଆକ୍ରମଣରେ ୫ଟି ମଇଁଷି ଆହତ ହୋଇଥିବା ବେଳେ ୨ ନିଖୋଜ ଅଛନ୍ତି। 
 
ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟାରେ ସୋରିଷପାଳ ସଂରକ୍ଷିତ ଜଙ୍ଗଲରୁ ଏକ ବଣୁଆ ହାତୀ ଅଚାନକ ଜନବସତି ଆଡ଼କୁ ଚାଲିଆସି ଆତଙ୍କ ସୃଷ୍ଟି କରିଥିଲା। ଗାଁ ପାଖରେ ଥିବା ମଇଁଷି ଗୋଠରେ ପଶି ଗୋଟିଏ ମଇଁଷି ଛୁଆକୁ ଦଳି ଚକଟି ମାରିଦେଇଥିଲା। ହାତୀ ଆକ୍ରମଣରେ ୫ ମଇଁଷି ଆହତ ହୋଇଥିବା ବେଳେ ୨ଟି କୁଆଡେ ଚାଲିଯାଇଛନ୍ତି। ପରେ ହାତୀଟି ପ୍ରଫୁଲ ବସ୍ତିଙ୍କ ଧାନ ଖଳାରେ ଶୁଖାଯାଇଥିବା ୧୨ବସ୍ତା ଧାନକୁ ନଷ୍ଟ କରିଦେଇଛି। ଫେରିବା ବାଟରେ ହୃଦାନନ୍ଦ ନାୟକଙ୍କ ୧୫ଗୁଣ୍ଠ କଖାରୁ  କ୍ଷେତ ଉଜାଡି ଦେଇଛି । ହାତୀ ଭୟରେ ଲୋକମାନେ ଘରୁ ବାହାରିନଥିଲେ । ଖବର ପାଇ ଗୌର ଗୋପାଳ ସି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ତିଗିରିଆ ପ୍ରାଣୀଧନ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ମୃତ ମଇଁଷିିର ଶବ ବ୍ୟବଚ୍ଛେଦ କରିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ବନପାଳ ସାନ୍ତନୁ ମାଝୀଙ୍କ ଦାବିପତ୍ର ପ୍ରଦାନ କରାଯାଇଛି। 
 
ଆଠଗଡ଼, ତିଗିରିଆ ଅଞ୍ଚଳରେ ଏଭଳି ହାତୀ ଉପଦ୍ରବକୁ ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି। ଅଧିକାଂଶ ସମୟରେ ହାତୀ ଜନବସତିରେ ପଶି ଏଭଳି ଉତ୍ପାତ କରୁଛନ୍ତି। ମଇଁଷୀଙ୍କୁ ମାରିବା ସହିତ ଫସଲ ନଷ୍ଟ କରୁଛନ୍ତି। ହାତୀ ଆକ୍ରମଣରେ ଗଲା ମାସକ ଭିତରେ ଦୁଇରୁ ଅଧିକ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି। କିନ୍ତୁ ହାତୀଙ୍କୁ ନିୟନ୍ତ୍ରଣ କରିବାକୁ କୌଣସି ଠୋସ୍‌ ପଦକ୍ଷେପ ନିଆ ନଯିବା ଘଟଣାକୁ ନେଇ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି।