17 August 2017
7:00:19 PM
Sambad News
ରାଜ୍ୟ

ରେଭେନ୍ସା ନିର୍ବାଚନ ବିବାଦ : ଆରମ୍ଭ ହେଲା ଆମରଣ ଅନଶନ

By Sambad | Date: Aug 12 2017 11:17PM
ରେଭେନ୍ସା ନିର୍ବାଚନ ବିବାଦ : ଆରମ୍ଭ ହେଲା ଆମରଣ ଅନଶନ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରିସ୍ତରୀୟ ନିର୍ବାଚନ ନିଷ୍ପତ୍ତିକୁ ବିରୋଧ କରି ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆମରଣ ଅନଶନ ଆରମ୍ଭ ହୋଇଛି। କର୍ତ୍ତୃପକ୍ଷ ଚଳିତ ବର୍ଷ ଛାତ୍ର ସଂସଦ ବଦଳରେ ଛାତ୍ର ପରିଷଦ ଗଠନ କରିବା ନିଷ୍ପତ୍ତିକୁ  ପରିଷଦ ପକ୍ଷରୁ ବିରୋଧ କରାଯିବା ସହ ଏହାକୁ ନିନ୍ଦା କରାଯାଇଛି। କର୍ତ୍ତୃପକ୍ଷ ତାଙ୍କ ନିଷ୍ପତ୍ତିକୁ ନବଦଳାଇବା ଯାଏଁ ପରିଷଦ ପକ୍ଷରୁ ଆମରଣ ଅନଶନ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ପରିଷଦର ଦୁଇ ଜଣ ସଦସ୍ୟ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ଏମ୍‌ବିଏ ବିଭାଗର ଛାତ୍ର ଚିନ୍ମୟ କୁମାର ସାହୁ ଓ ରୁରାଲ ଡେଭ୍‌ଲପ୍‌ମେଣ୍ଟ ବିଭାଗର ଛାତ୍ର ରାକେଶ କୁମାର ଧୂପର ଆମରଣ ଅନଶନରେ କୁଳପତିଙ୍କ କାର୍ଯ୍ୟାଳୟ ସମୁଖରେ ବସିଛନ୍ତି। 
 
କର୍ତ୍ତୃପକ୍ଷ ଛାତ୍ର ସଂସଦକୁ ଭାଙ୍ଗି ଛାତ୍ର ଶକ୍ତିକୁ ଦୁର୍ବଳ କରିବା ସହ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରୀକ ଅଧିକାରକୁ ମଧ୍ୟ କ୍ଷୁଣ୍ଣ କରୁଥିବାର ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ  ଗତକାଲି ପରିଷଦ ପକ୍ଷରୁ ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ଅନଶନ ବିଷୟରେ ସୂଚିତ କରାଯାଇଥିଲା। ଅନ୍ୟପଟେ ବିଭିନ୍ନ ସଂଗଠନର ପ୍ରତିନିଧିଙ୍କୁ ନେଇ ଗଠିତ ହୋଇଥିବା ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠାନ କମିଟି ଆଜି ସମସ୍ତ ଶ୍ରେଣୀ ବୁଲି ଛାତ୍ରଛାତ୍ରୀଙ୍କୁ ଏକାଠି କରିବାରେ ଲାଗିପଡିଛି। କର୍ତ୍ତୃପକ୍ଷଙ୍କ ତ୍ରିସ୍ତରୀୟ ନିର୍ବାଚନ ନିଷ୍ପତ୍ତି ଦ୍ୱାରା ଛାତ୍ର ସଂସଦ ବଦଳରେ ଛାତ୍ର ପରିଷଦ ଗଠନ କରାଯିବ। ଏଥିରେ ଛାତ୍ରଶକ୍ତି ଦୁର୍ବଳ ହେବା ସହ ଛାତ୍ର ଏକତାକୁ ଭାଙ୍ଗିବାକୁ କର୍ତ୍ତୃପକ୍ଷ ଯୋଜନା କରିଥିବା କମିଟିର ସଦସ୍ୟମାନେ ଛାତ୍ରଛାତ୍ରୀଙ୍କୁ ବୁଝାଇଛନ୍ତି। 
 
ଏଭିବିପି ପକ୍ଷରୁ ଦୁଇଜଣ ଛାତ୍ର ଆମରଣ ଅନଶନରେ ବସିଥିବା ବେଳେ ଆସନ୍ତା ତିନି ଦିନ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ଏ ସଂପର୍କରେ ଜିଲ୍ଲାପାଳ, ଡିସିପି, ଜିିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜଣାଇ ଦିଆଯାଇଛି। ଆସନ୍ତା ବୁଧବାର ଦିନ ବିଶ୍ୱବିଦ୍ୟାଳୟ ଖୋଲିଲେ ନିର୍ବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ହେବ। ବୈଠକରେ ମିଳିଥିବା ସମସ୍ତ ଦାବିପତ୍ର ଉପରେ ଆଲୋଚନା କରାଯିବ ବୋଲି କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ସୂଚନା ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ବନ୍ଦ ରହିଲେବି ଏଭିବିପିର ଅନଶନ ଜାରି ରହିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। 
 
ସୂଚନା ଯୋଗ୍ୟ ଚଳିତବର୍ଷ ରେଭେନ୍ସା କର୍ତ୍ତୃପକ୍ଷ ଛାତ୍ର ସଂସଦ ବଦଳରେ ଛାତ୍ର ପରିଷଦ ଗଠନ କରିବାକୁ ନିଷ୍ପତି ନେଇଛନ୍ତି। ତିନୋଟି ସ୍ତରରେ ନିର୍ବାଚନ କରାଯାଇ ୯ଟି ଛାତ୍ର ପରିଷଦ ଗଠନ କରାଯିବର ଯୋଜନା କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ସଭାପତି ଓ ସଂପାଦକ ବଦଳରେ ଆବାହାକ ଓ ସହ ଆବାହାକଙ୍କୁ ନିର୍ବାଚତ କରାଯିବ।  କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ବିରୋଧ କରାଯାଉଛି।