17 August 2017
7:11:37 PM
Sambad News
ରାଜ୍ୟ

ହାଇକୋର୍ଟରେ ଲୋକ ଅଦାଲତ

୮୩ ମାମଲା ଫୈସଲା, ୧.୮କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

By Sambad | Date: Aug 13 2017 1:40AM
ହାଇକୋର୍ଟରେ ଲୋକ ଅଦାଲତ

କଟକ : ହାଇକୋର୍ଟରେ ଶନିବାର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ୍‌, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୮୩ଟି ମାମଲାର ଫୈସଲା କରାଯାଇଛି। ଆଜି ମୋଟ ୪୨୨ଟି ମାମଲାର ଶୁଣାଣି ହୋଇଥିଲା। ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା, ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଜଷ୍ଟିସ୍‌ ବିଶ୍ୱନାଥ ରଥ, ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦ, ଜଷ୍ଟିସ୍‌ କେ.ଆର୍‌.ମହାପାତ୍ର ଓ ଡକ୍ଟର ଜଷ୍ଟିସ୍‌ ଡି.ପି.ଚୌଧୁରୀ ହାଇକୋର୍ଟ ସ୍ତରୀୟ ଲୋକ ଅଦାଲତରେ ମାମଲା ଗୁଡିକର ଫୈସଲା କରିଥିଲେ। ଏଥିରେ ଭୂମି ଅଧିଗ୍ରହଣ ମାମଲା, ବ୍ୟାଙ୍କ ମାମଲା, କ୍ରିମିନାଲ କମ୍ପାଉଣ୍ଡେବଲ ମାମଲା, ବୀମା କ୍ଷତିପୂରଣ ସଂପର୍କିତ ମାମଲା ଗୁଡ଼ିକର ଫଇସଲା କରାଯାଇଥିଲା। ବିଭିନ୍ନ ମାମଲାରେ କ୍ଷତିପୂରଣ ବାବଦରେ ୧ କୋଟି ୮୦ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଛି।