27 June 2017
7:34:55 AM
image
Sambad News
ରାଜ୍ୟ

ରେଳବାଇ ଅଫିସରେ ପୁଲିସର ଗୁଣ୍ଡାଗର୍ଦ୍ଦି!

ରେଳବାଇ ଯନ୍ତ୍ରୀଙ୍କୁ ମାଡ, ଡିଆର୍‌ଏମ୍‌ଙ୍କୁ ଅଭିଯୋଗ

By Sambad | Date: Jan 9 2017 10:06PM
ରେଳବାଇ ଅଫିସରେ ପୁଲିସର ଗୁଣ୍ଡାଗର୍ଦ୍ଦି!

କଟକ: ଆଇନଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ କର୍ମଚାରୀ ଗଣ୍ଡଗୋଳ କରିବା ଭଳି ଘଟଣା ଘଟିଛି କଟକର ଏକ ରେଳବାଇ ଅଫିସରେ। ରେଳ ବିଭାଗର ବରିଷ୍ଠ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜିଆର୍‌ପି ହାବିଲ୍‌ଦାର ଓ କନେଷ୍ଟବଳ ଶାଖା ସଂଘର ନିର୍ଦ୍ଦିଷ୍ଟ କିଛି ସଦସ୍ୟଙ୍କ ଗୁଣ୍ଡାଗର୍ଦ୍ଦିକୁ ନେଇ ଅଭିଯୋଗ ହେବା ସହ ଅଧିକାରୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ ସଂଘ ପାଇଁ କ୍ୟାଣ୍ଟିନ୍‌ ନିର୍ମାଣ ଏବଂ କାର୍ଯ୍ୟାଳୟ ମରାମତି ସଂକ୍ରାନ୍ତ ପ୍ରସ୍ତାବ କାର୍ଯ୍ୟକାରୀ ନହେବା ପ୍ରତିବାଦରେ ଆଜି ସଂଘବଦ୍ଧ ଭାବେ ସଂଘର କିଛି ସଦସ୍ୟ ବିଭାଗୀୟ ଯନ୍ତ୍ରୀ ଗୌତମ କୁମାର ଦାସଙ୍କୁ ଗାଳିଗୁଲିଜ କରିଛନ୍ତି।

ଯନ୍ତ୍ରୀ ଏଭଳି ଘଟଣାର ପ୍ରତିବାଦ କରିବାରୁ ତାଙ୍କୁ ଆକ୍ରମଣ ଉଦ୍ୟମ ଅଭିଯୋଗ ହୋଇଛି । କର୍ତ୍ତବ୍ୟରତ ପୁଲିସ କର୍ମଚାରୀମାନେ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରେ ପଶି ଏଭଳି ଆଚରଣ ପ୍ରଦର୍ଶନ କରିବା ଘଟଣାକୁ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ନିନ୍ଦା କରିଛନ୍ତି । ଅନ୍ୟପଟେ ଦୁର୍ବ୍ୟବହାର ଶିକାର ହୋଇଥିବା ବିଭାଗୀୟ ଯନ୍ତ୍ରୀ ଆଜି ଡିଆର୍‌ଏମ୍‌(ଡିଭିଜନାଲ୍‌ ରେଲ୍‌େଓ୍ଵ ମ୍ୟାନେଜର)ଙ୍କୁ ଏଭଳି ଘଟଣା ସମ୍ପର୍କରେ ଅବଗତ କରିଥିବା କହିଛନ୍ତି ।
 

ସୂଚନା ଅନୁଯାୟୀ, ଜିଆର୍‌ପିର ହାବିଲ୍‌ଦାର ଓ କନେଷ୍ଟବଳ ଶାଖା ସଂଘ ପକ୍ଷରୁ ୨୦୧୬ ଡିସେମ୍ବର ୨୬ ତାରିଖରେ ଏକ ପୁଲିସ କ୍ୟାଣ୍ଟିନ୍‌ ହଲ୍‌ ଖୋଲିବା ପାଇଁ ବରିଷ୍ଠ ବିଭାଗୀୟ ଯନ୍ତ୍ରୀ(ଓ୍ଵାର୍କସ୍‌)ଙ୍କୁ ଚିଠି ଲେଖାଯାଇଥିଲା। ଜିଆର୍‌ପି ଏସ୍‌ପିଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଦୁର୍ଗା ମଣ୍ଡପ ନିକଟରେ କ୍ୟାଣ୍ଟିନ୍‌ ଖୋଲିବା ସଂପର୍କରେ ଚିିଠରେ ଦର୍ଶା ଯାଇଥିଲା। ଗଲା ୫ ତାରିଖରେ ସଂଘର କାର୍ଯ୍ୟାଳୟ ଗୃହର ମରାମତି କରିବାକୁ ଆଉ ଏକ ଚିଠି ସଂଘ ପକ୍ଷରୁ ଦିଆଯାଇଥିଲା। ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ଦୁଇଟି ପ୍ରସ୍ତାବ ସଂକ୍ରାନ୍ତରେ ନିଷ୍ପତ୍ତି ନହେବାରୁ ଆଜି ପୂର୍ବ ତଟ ରେଳ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଆଇଓଡବ୍ଲୁ(ଇନ୍‌ସ୍ପେକ୍ଟର ଅଫ୍‌ ଓ୍ଵାର୍କସ୍‌) ତଥା ବରିଷ୍ଠ ବିଭାଗୀୟ ଯନ୍ତ୍ରୀ(ଓ୍ଵାର୍କସ୍‌)ଙ୍କ କାର୍ଯ୍ୟାଳୟରେ ସକାଳ ପ୍ରାୟ ୮ଟା ବେଳେ ସଂଘର କର୍ମକର୍ତ୍ତା ପହଞ୍ଚିଥିଲେ।

ଦାବି ଜଣାଇବା ବେଳେ ବିଭାଗୀୟ ଯନ୍ତ୍ରୀ ଗୌତମ କୁମାର ଦାସଙ୍କୁ ଗାଳି ଗୁଲଜ କରିଥିଲେ। ଏଭଳି ଘଟଣା ଘଟିବାର କିଛି ସମୟ ପରେ ସଂଘର ଆଉ କିଛି ସଦସ୍ୟ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରକୁ ଧଶେଇ ପଶି ତାଙ୍କୁ ଧକ୍କା ମାରିବା ସହିତ ଟେବୁଲ୍‌ ବାଡେଇ ପାଟିତୁଣ୍ଡ କରିଥିଲେ । କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କ ସହିତ ମଧ୍ୟ ଠେଲାପେଲା କରିଥିଲେ । ଜିଆର୍‌ପିରେ କାର୍ଯ୍ୟରତ କର୍ମଚାରୀଙ୍କ ଏଭଳି ଆଚରଣକୁ ନେଇ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚାପା ଉତ୍ତେଜନା ସୃଷ୍ଟି ହେବା ସହିତ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ପ୍ରାୟ ଦୁଇ ଘଣ୍ଟା କାଳ ବୈଠକ କରିଥିଲେ। ସ୍ଥିତି ଅନୁଧ୍ୟାନ କରିବା ସହିତ ଡିଆର୍‌ଏମ୍‌ ଦେବରାଜ ତଣ୍ଡାଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିବା ସୂଚନା ମିଳିଛି । 
 

ଅନ୍ୟପଟେ ଜିଆର୍‌ପି ହାବିଲ୍‌ଦାର ଓ କନେଷ୍ଟବଳ ଶାଖା ସଂଘର ସମ୍ପାଦକ ଶିବାଶିଷ ମହାନ୍ତି ଏଭଳି ଦୁର୍ବ୍ୟବହାର ଘଟଣାକୁ ଖଣ୍ଡନ କରିଛନ୍ତି । ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେଭଳି କିଛି ଦାବି ପତ୍ର ଦିଆଯାଇ ନଥିବା ବେଳେ ଦୁର୍ବ୍ୟବହାର ଘଟଣା ଆଦୌ ଘଟିନଥିବା କହିଛନ୍ତି। ଅନ୍ୟପଟେ ଦୁର୍ବ୍ୟବହାରର ଶିକାର ହୋଇଥିବା ବରିଷ୍ଠ ବିଭାଗୀୟ ଯନ୍ତ୍ରୀ(ଓ୍ଵାର୍କସ୍‌) ଗୌତମ କୁମାର ଦାସ କହିଛନ୍ତି ଯେ ସେ ଆଜି କାର୍ଯ୍ୟାଳୟରେ ଥିବା ବେଳେ ଜିଆରପି ହାବିଲଦାର ଓ କନେଷ୍ଟବଳ ସଂଘର ସଦସ୍ୟମାନେ ପହଞ୍ଚି ସଂଘ ପାଇଁ କ୍ୟାଣ୍ଟିନ୍‌ ନିର୍ମାଣ ଓ ସଂଘ କାର୍ଯ୍ୟାଳୟ ମରାମତି ସଂପର୍କରେ ଦାବି କରିଥିଲେ।

ଏସବୁ ସେମାନଙ୍କ ବ୍ୟକ୍ତିଗତ ବ୍ୟାପାର ହୋଇଥିବାରୁ ନିଜ ଖର୍ଚ୍ଚରେ କରିବାକୁ ସେ ପରାମର୍ଶ ଦେଇଥିଲେ। ମାତ୍ର ସମ୍ପୃକ୍ତ ସଂଘର କର୍ମକର୍ତ୍ତାମାନେ ଟେବୁଲ୍‌ ବାଡେଇବା ସହିତ ତାଙ୍କୁ ଧକ୍କା ମାରିଥିଲେ । ସଂଘ କୌଣସି ବ୍ୟକ୍ତିଗତ କାର୍ଯ୍ୟ କରିବାକୁ ଚାହୁଁଥିଲେ ନିୟମ ଅନୁଯାୟୀ ପ୍ରଥମେ ଜିଆର୍‌ପି ଏସ୍‌ପିଙ୍କୁ ଲେଖି ଜଣାଇବା ଆବଶ୍ୟକ । କିନ୍ତୁ ଏସ୍‌ପି ଏଭଳି ପ୍ରସ୍ତାବ ସଂକ୍ରାନ୍ତରେ କିଛି ଜାଣିନଥିବା ବେଳେ ସଂଘ ପକ୍ଷରୁ ଆଜି କାର୍ଯ୍ୟାଳୟରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁଖଦାୟକ ଘଟଣା ବୋଲି ଶ୍ରୀ ଦାସ କ୍ଷୋଭର ସହିତ କହିଛନ୍ତି ।