29 March 2017
10:49:59 AM
Sambad News
ରାଜ୍ୟ

ଚିଟ୍‌ଫଣ୍ଡ ନାଁରେ ଠକେଇ ମାମଲା: ଜଣେ ଗିରଫ

By Sambad | Date: Dec 12 2016 11:29PM
ଚିଟ୍‌ଫଣ୍ଡ ନାଁରେ ଠକେଇ ମାମଲା: ଜଣେ ଗିରଫ
Photo Courtesy: irishtimes.com

ଦେବଗଡ଼ : ‘ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା’ ନାମରେ ଏକ ସଂସ୍ଥା ଖୋଲି ଗ୍ରାମାଂଚଳର ମହିଳାଙ୍କୁ ୨ଶହ ଟଙ୍କା ଜମା କଲେ ଦୁଇ ଲକ୍ଷ ଟଙ୍କା ପାଇବାର ପ୍ରଲୋଭନ ଦେଖାଇବା ଜଣେ ଯୁବକକୁ ମହଙ୍ଗା ପଡ଼ିଛି। 
 
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ଗ୍ରାମର ଡିଲେଶ୍ୱର ନାୟକ(୩୬) ଗତ ମଙ୍ଗଳବାର କୁଣ୍ଢେଇଗୋଳା ଥାନା ସିଆରିମାଳିଆ ଗ୍ରାମକୁ ଆସି ଗାଁରେ ଥିବା ଏସଏଚଜି ସଦସ୍ୟାଙ୍କୁ ଦୁଇ ଶହ ଟଙ୍କା ଲେଖାଏ ଜମା କଲେ ଏକ ବର୍ଷ ପରେ ଦୁଇ ଲକ୍ଷ ଟଙ୍କା ସମେତ ବିଭିନ୍ନ ପ୍ରକାରର ସବ୍‌ସିଡି ମିଳିବାର ପ୍ରଲୋଭନ ଦେଖାଇଥିଲା। ମହିଳାମାନେ ୨ଶହ ଲେଖାଏଁ ଜମା କରିଥିଲେ। ରସିଦ ମାଗିବାରୁ ଡିଲେଶ୍ୱର ପରବର୍ତ୍ତୀ ମସୟରେ ପ୍ରଦାନ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲା। 
 
ଗତକାଲି ପୁଣି ସନ୍ଧ୍ୟାରେ ଡିଲେଶ୍ୱର ଜଣେ ସଂପର୍କୀୟ ଅଶୋକ ନାୟକ(୧୮) ସହ ସେହି ସିଆରିମାଳିଆ ଗ୍ରାମକୁ ଆସି ଅନ୍ୟ ଦୁଇ ଏସଏଚଜିର ପ୍ରାୟ ୬୦ ଜଣ ସଦସ୍ୟାଙ୍କଠାରୁ ଅନୁରୂପ ଭାବେ ୨ଶହ ଟଙ୍କା ଲେଖାଏଁ ଆଦାୟ କରୁଥିବା ବେଳେ ପୂର୍ବରୁ ଟଙ୍କା ଜମା କରିିଥିବା ମହିଳାମାନେ ସେମାନଙ୍କ ରସିଦ ମାଗିଥିଲେ। କୌଣସି ରସିଦ ଦେଇ ନ ପାରିବାରୁ ସେମାନଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଫଳରେ ଉକ୍ତ ମହିଳାମାନେ ଡିଲେଶ୍ୱର ଏବଂ ତାର ସହଯୋଗୀ ଅଶୋକକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। 
 
କୁଣ୍ଢେଇଗୋଳା ପୁଲିସ ଉକ୍ତ ଯୁବକ ଦ୍ୱୟଙ୍କୁ ପଚରାଉଚରା କରିଥିବା ବେଳେ ଉକ୍ତ ଯୁବକମାନେ ଚିଟ୍‌ଫଣ୍ଡ ନାଁରେ ମହିଳାଙ୍କଠାରୁ ଟଙ୍କା ଅସୁଲ କରୁଥିବା ଜଣାପଡ଼ିଥିଲା। ଫଳରେ ଅଭିଯୁକ୍ତ ଡିଲେଶ୍ୱରର ବିରୋଧରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି।