28 June 2017
9:25:57 PM
image
Sambad News
ଝାରସୁଗୁଡ଼ା

ଲୁହୁରାକୋଟ ବେଆଇନ ଇଟାଭାଟି

୪ ଜଣଙ୍କ ନାଁରେ ମାମଲା ରୁଜୁ

By Sambad | Date: Dec 15 2016 10:20AM
ଲୁହୁରାକୋଟ ବେଆଇନ ଇଟାଭାଟି


ଦେବଗଡ଼: ରିଆମାଳ ବ୍ଲକ ପରା ପଂଚାୟତର ଲୁହୁରାକୋଟରେ ଚାଲିଥିବା ବେଆଇନ ଇଟାଭାଟି ମାମଲାରେ ଆଜି କୁଣ୍ଢେଇଗୋଳା ଥାନା ପୁଲିସ ଚାରି ଜଣଙ୍କ ନାମରେ ମାମଲା ରୁଜୁ କରିଛି।  ଏହି ଚାରି ବ୍ୟକ୍ତି ହେଲେ ଲୁହୁରାକୋଟ ଗ୍ରାମର ଜମ୍ବେଶ୍ୱର ବେହେରା, ରାଜେନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବାହାଡ଼ାସାହିର ତ୍ରିଲୋଚନ ସାହୁ ଓ ଟେଂଟଲୋଇ ଗ୍ରାମର କ୍ଷମାନିଧି ବେହେରା । ଆଜି ବୁଢ଼ାପାଳ ରାଜସ୍ଵ ନିରୀକ୍ଷକ ହୃଦାନନ୍ଦ ସାହୁ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ ପରେ ଏହି ଏତଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା କୁଣ୍ଢେଇଗୋଳା ଥାନାଧିକାରୀ ଜାହାଙ୍ଗୀର ଅହମ୍ମଦ କହିଛନ୍ତି।।

ଏହି ବେଆଇନ କାରବାରରେ ସ୍ଥାନୀୟ ଅଂଚଳ ଏବଂ ପଡ଼ୋଶୀ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର କେତେକ ମାଫିଆଙ୍କ ସମେତ କିଛି ସ୍ଥାନୀୟ ପ୍ରଶାସକ ସମ୍ପୃକ୍ତ ଥିବା ସମ୍ପର୍କରେ ଆଜି ‘ସମ୍ବାଦ’ ଖବରକାଗଜରେ ପ୍ରକାଶ ପାଇବା ପରେ ଉଭୟ ପୁଲିସ ଏବଂ ରାଜସ୍ୱ ବିଭାଗ କର୍ତ୍ତୃପକ୍ଷଙ୍କ ମୁଣ୍ଡରେ ଚେତା ପଶିଛି । ବିଭିନ୍ନ ଅଧିକାରୀମାନଙ୍କ ଛତ୍ରଛାୟାରେ ରହି ଏହି ମାଫିଆମାନେ ଲୁହୁରାକୋଟ ଗ୍ରାମରେ ଦୀର୍ଘ ଦିନ ହେଲା ଏହି ବେଆଇନ ଇଟାଭାଟି ଓ କୋଇଲା କାରବାର ଚଳାଇ ଆସୁଥିଲା।

ଜିଲ୍ଲା ପ୍ରଶାସନ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନେଉନଥିଲା। ଘଟଣା ସଂପର୍କରେ ରିଆମାଳ ତହସିଲଦାର ଡାନିଏଲ ଏକ୍କା ଘଟଣା ନେଇ ସ୍ପଷ୍ଟ କହୁ ନାହାନ୍ତି। ଏପରିକି ରାଜସ୍ୱ ନୀରିକ୍ଷକଙ୍କ ଏତଲା ପରେ ମଧ୍ୟ ତହସିଲଦାର ଘଟଣାକୁ ଏଡ଼ାଇ ଚାଲିଥିବାରୁ ତାଙ୍କ ଭୂମିକା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି। ଏହି ଘଟଣାରେ ଦେବଗଡ଼ ଜିଲ୍ଲାପାଳ ଓ ଏସ୍‌ପି ହସ୍ତକ୍ଷେପ ପାଇଁ ଦାବି ହେଉଛି।