29 March 2017
2:47:47 PM
Sambad News
ଦେବଗଡ଼

କୋଲାବିରା ବନାଞ୍ଚଳରେ ପୁଣି ହାତୀ ଉପଦ୍ରବ

By Sambad | Date: Dec 21 2016 5:05AM
କୋଲାବିରା ବନାଞ୍ଚଳରେ ପୁଣି ହାତୀ ଉପଦ୍ରବ

କୋଲାବିରା/ଲରିଆପାଲି: କୋଲାବିରା ପରେଷ୍ଟ ରେଂଜ୍‌ ଅଧୀନରେ ଗତ ୨/୩ ମାସ ପରେ ପୁଣି ଥରେ ହାତୀ ଉପଦ୍ରବ ଦେଖାଦେଇଛି। ଏକ ଦନ୍ତା ହାତୀ ଲଗାତାର ଭାବେ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଚାଲିଛି। ରଘୁନାଥପାଲି ପଞ୍ଚାୟତ ଜାମକାନି ଗାଁରେ ଚାଷୀ କପିଳ ବେହେରା, ବେଦବ୍ୟାସ ବେହେରା ନିଜ ଖଲାରେ ରଖିଥିବା ଧାନକୁ ହାତୀମାନେ ନଷ୍ଟ କରି ଦେଇଥିବା ଅଭିଯୋଗ କରିଛନ୍ତି। ଉଭୟ ଚାଷୀଙ୍କ ପ୍ରାୟ ୩୦ ବସ୍ତା ଧାନ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ବାଡ଼ିରେ ବନ୍ଧା କୋବି, କଦଳୀ ଗଛ ମାଡ଼ି ଦଳି ନଷ୍ଟ କରିଛି ଦନ୍ତା ହାତୀ।

ସେହି ଗାଁର ଶଂକର ପ୍ରଧାନଙ୍କ ଖଲାରେ ମଧ୍ୟ ୫/୬ ବସ୍ତା ଧାନ ହାତୀ ଖାଇ ଦେଇଥିବା ଜଣାପଡ଼ିଛି। ପ୍ରହଲ୍ଲାଦ ପ୍ରଧାନଙ୍କ ଘର ମୁଖ୍ୟ ଗେଟ୍‌କୁ ମଧ୍ୟ ଦନ୍ତାଟି ଭାଙ୍ଗି ଦେଇଛି। ନିକଟ ସିିଂହିବାହାଲ ଗାଁର ଗୋବିନ୍ଦ ପଟେଲଙ୍କ ଗୁହାଳ ଘର, ପାଓ୍ଵାର ଟିଲର୍‌ ଆଦି ହାତୀ ଆକ୍ରମଣରେ ଭାଙ୍ଗିଯାଇଛି। ନିକଟ ବାଦିମାଲ ଗାଁରେ ମଧ୍ୟ ଦନ୍ତାଟି ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। କ୍ଷତିଗ୍ରସ୍ତ ଚାଷୀମାନେ ସହାୟତା ଦାବି କରିଛନ୍ତି।
 

ସେହିପରି ପୋଖରାସାହ୍ଲେ ପଞ୍ଚାୟତ ନିକଟ ଗହ୍ମାପାଲି ଗାଁରେ ଗତ ୧ ସପ୍ତାହ ଧରି ବଣୁଆ ହାତୀ ବ୍ୟାପକ ଫସଲ ନଷ୍ଟ କରି ଚାଲିଛନ୍ତି। ହାତୀ ଉପଦ୍ରବ ଅବ୍ୟାହତ ଥିବା ବେଳେ ବନ ବିଭାଗ ହାତୀ ଘଉଡ଼ାଇବା କିମ୍ବା କ୍ଷୟକ୍ଷତିର ଆକଳନ କରିବା ଦିଗରେ ମଧ୍ୟ ବିଫଳ ହୋଇଥିବା ଅଭିଯୋଗ ହେଉଛି। ସଂଧ୍ୟା ହେଲେ ହାତୀମାନେ ଜଙ୍ଗଲ ନିକଟ ଚାଷ ଜମିରେ ପନିପରିବା, ଖଲାରେ ଧାନ ଖାଇବା ସହ ମାଡ଼ିଦଳି ନଷ୍ଟ କରି ଚାଲିଛନ୍ତି। ସୋମବାର ରାତି ୯ଟା ସମୟରେ ଶିବନାରାୟଣ ବାରିକଙ୍କ କଦଳୀ ଓ ଆମ୍ବ ବଗିଚା ହାତୀମାନେ ଉଜାଡ଼ି ଦେଇଛନ୍ତି। ଏନେଇ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଥିବା ଜଣାପଡ଼ିଛି।