21 January 2017
10:54:32 PM
image
Sambad News
ଦେବଗଡ଼

ଓଲଟିଲା ପିକ୍‌ନିକ୍‌ ବସ୍‌ : ବର୍ତ୍ତିଲେ ୩୯ ଯାତ୍ରୀ

By Sambad | Date: Dec 26 2016 1:24AM
ଓଲଟିଲା ପିକ୍‌ନିକ୍‌ ବସ୍‌ : ବର୍ତ୍ତିଲେ ୩୯ ଯାତ୍ରୀ

ଦେବଗଡ଼ : ଦେବଗଡ଼ର ପ୍ରଧାନପାଟ ପର୍ଯ୍ୟଟନସ୍ଥଳୀରୁ ପିକନିକ ସାରି ଫେରୁଥିବା ବେଳେ ଏକ ବସ୍‌ ବାରକୋଟସ୍ଥିତ ୪୯ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ପୋଲ ବାଡ଼ାରେ ପିଟିହୋଇ ଓଲଟି ପଡିଥିଲା। ଫଳରେ ବସଟିର ଆଗ ଚକ ଓ ଅଖ ବ୍ରାହ୍ମଣୀ ନଦୀ ମଧ୍ୟରେ ପଡ଼ିଯାଇଥିଲା। ବସ୍‌ରେ ଥିବା ୩୯ ଜଣ ଯାତ୍ରୀ ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି। 
 
ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଉତୁଙ୍ଗଣା ପଞ୍ଚାୟତର ବନମାଳୀପୁର ଓ ବରିପୁର ଗ୍ରାମର ୩୭ ଜଣ ରୟାଲ ଟାଇଗର ନାମକ ଏକ ବସ(ଓଆର-୨୨-୮୩୩୫)ରେ ପ୍ରଧାନପାଟ ଜଳପ୍ରପାତକୁ  ଭୋଜି କରିବା ପାଇଁ ଆସିଥିଲେ। ଫେରୁଥିବା ବେଳେ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ବସ୍‌ଟିର ଆଗ ପଟ ‘ୟୁ ବୋଲ୍ଟ’ ଭାଙ୍ଗିଯିବାରୁ ଏହାର ଆଗ ଚକ ଓ ଅଖ ଖୋଲିଯାଇଥିଲା।
 
ଦୁର୍ଘଟଣାରେ ବନମାଳୀପୁର ଗ୍ରାମର ସୂର୍ଯ୍ୟମଣି ମଲ୍ଲିକ (୫୦), ହୃଷୀକେଶ ନାଥ (୫୬), ବିଜ୍ଞାନ ସାହୁ (୫୫), କ୍ଷୀରୋଦ ସାହୁ (୫୫), ଆକୁଳା ନନ୍ଦ ବିଶ୍ୱାଳ(୪୫), ଦେବେନ୍ଦ୍ର  ରାଉତ (୩୫), ଅକ୍ଷୟ ଦାସ (୩୪) ବରିପୁର ଗ୍ରାମର ରଞ୍ଜନ ଦାଶ(୪୧) ଆହତ ହୋଇଛନ୍ତି। ଅନ୍ୟମାନେ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ଉଦ୍ଧାର କରି ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ବାରକୋଟ ପୁଲିସ କ୍ରେନ ଯୋଗେ ବସଟିକୁ ଉଠାଇବା ପରେ ଉକ୍ତ ରାସ୍ତାରେ  ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।