22 February 2017
9:22:12 AM
Sambad News
ଦେବଗଡ଼

ବିଦ୍ୟୁତ୍‌ ଆଘାତରେ ଶ୍ରମିକ ମୃତ

By Sambad | Date: Dec 27 2016 4:53AM
ବିଦ୍ୟୁତ୍‌ ଆଘାତରେ ଶ୍ରମିକ ମୃତ

ଅତାବିରା: ଅତାବିରା ଥାନା ସରଣ୍ଡା ମହାଦେବ ମନ୍ଦିର ନିକଟରେ ରବିବାର ଏକ ଗଛରୁ ଡାଳ କାଟିବା ସମୟରେ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାଁ ସୁରୁଦେବ ଭୁଏ (୩୬) ଓ ଘର ରାଉରକେଲା ନିକଟ ବାଗମୁରାରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ ସୁରୁଦେବ ଦୀର୍ଘ ଦିନ ହେବ ଶ୍ୱଶୁର ଘର ସରଣ୍ଡାରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ।

ସରଣ୍ଡା ମହାଦେବ ମନ୍ଦିର ନିକଟରେ ଥିବା ତାଳପତ୍ରଟିକ୍ରାର ଏମ. ବରବାବୁଙ୍କ ଚାଷ ଜମିରେ ରହିଥିବା ଏକ ଗଛର ଡାଳପତ୍ର ସଫା କରିବାକୁ ବରବାବୁ ସୁରୁଦେବଙ୍କୁ ନିୟୋଜିତ କରିଥିଲେ। ଅପରାହ୍‌ଣ ପ୍ରାୟ ସାଢ଼େ ୩ଟା ବେଳେ ଗଛରେ ଚଢ଼ି ଡାଳ କାଟୁଥିବା ବେଳେ ନିକଟ ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ ଗଛ ଉପରେ ହିଁ ସୁରୁଦେବଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଶବକୁ ଓହ୍ଲାଇଥିଲେ। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିବା ବେଳେ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଥିଲା। ବରବାବୁ ଆବଶ୍ୟକ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ଘଟଣାସ୍ଥଳରୁ ଶବ ଉଠିଥିଲା।