25 March 2017
3:13:50 AM
Sambad News
ଦେବଗଡ଼

ଦେବଗଡ଼ ଜିଲ୍ଲାର ଥାନାଂଚଳ ସମସ୍ୟା: ନିର୍ବାଚନ ପରେ ନିର୍ବାଚନ

ତୁଟୁନି ଲୋକଙ୍କ ବିବାଦ

By Sambad | Date: Dec 29 2016 10:15AM
ଦେବଗଡ଼ ଜିଲ୍ଲାର ଥାନାଂଚଳ ସମସ୍ୟା: ନିର୍ବାଚନ ପରେ ନିର୍ବାଚନ

ଦେବଗଡ଼: ନିର୍ବାଚନ ପରେ ନିର୍ବାଚନ  ଯାଉଛି ହେଲେ ସୁଧୁରୁନି ଲୋକଙ୍କ ସମସ୍ୟା। ସରକାର ପୁଲିସ ଆଧୁନିକୀକରଣ ବ୍ୟବସ୍ଥା ତଥା ଲୋକେ ଯେପରି ସୁବିଧାରେ ଥାନାରେ ପହଂଚି ଅଭିଯୋଗଟିଏ କରିପାରିବେ ସେନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିବା କଥା କାଗଜ କଲମରେ କହୁଥିବା ବେଳେ ଆଜି ବି ମାଓବାଦୀ ଅଧ୍ୟୁଷିତ ଦେବଗଡ଼ ଜିଲ୍ଲାରେ ଏପରି ଅବସ୍ଥା ଅଛି ଯେ ଲୋକେ ସାମାନ୍ୟ ଅଭିଯୋଗଟିଏ କରିବାପାଇଁ ହେଲେ ସେମାନଙ୍କୁ ୩ଟି ଥାନା ପାରି ହୋଇ ୧୨୦ କି.ମି ଦୂର କୁଣ୍ଢେଇଗୋଳା ଥାନାକୁ ଯିବାକୁ ପଡ଼େ। ଫଳରେ ଏହି ଥାନାଚଂଳ ସମସ୍ୟା ଯୋଗୁଁ ପୁଲିସ ବଦଳରେ ଗ୍ରାମରକ୍ଷୀ

ସାଜିଛିନ୍ତି ସେହି ଗ୍ରାମଗୁଡିକର ଥାନାବାବୁ। ବର୍ଷ ବର୍ଷ ହେଲା ସେହି ସମସ୍ୟାର ସମାଧାନ ଯେପରି ହେବ ଓ ଲୋକେ ଯେପରି ସୁବିଧାରେ ପୁଲିସ ସହାୟତା ପାଇପାରିବେ ସେ ନେଇ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଉଥିଲେ ସୁଦ୍ଧା ତାହା ଆଜି ବି ସରକାରୀ ନାଲି ଫିତା ତଳେ ବନ୍ଧା ପଡିଛି। ଦୁର୍ଗମ ଲଈମୁରା, କଂସର ଓ ଖଇରପାଲି ଫାଣ୍ଡିକୁ ଥାନା କରିବା ପାଇଁ ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି। ଏହି ଅଂଚଳକୁ ପୁଲିସ ପଂହଚି ପାରି ନଥିବା ବେଳେ ଆଗକୁ ପଂଚାୟ୍‌ତ ନିର୍ବାଚନ କିପରି ସଂପୃକ୍ତ ଅଂଚଳରେ ସୁରକ୍ଷିତ ଓ ବ୍ୟବସ୍ଥିତ କରାଯାଇପାରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
 

ବିକାଶ ପଥରେ ପ୍ରଗତିର ସ୍ମାରକୀ ସଦୃଶ ରେଙ୍ଗାଳୀଠାରେ ତିଆରି ହେଲା ସର୍ବବୃହତ ନଦୀବନ୍ଧ ଯୋଜନା। ଦେବଗଡ଼ ଜିଲାର ଭୈାଗଳିକ ସ୍ଥିତିରେ ଦେଖାଦେଲା ଏକ ବିରାଟ ପରିବର୍ତନ। ଜିଲ୍ଲାର ରାସ୍ତାଘାଟର ଗତିପଥ ପରିବର୍ତନ ହେଲା। ଯେଉଁ ଗ୍ରାମଗୁଡିକ ପୂର୍ବ ଥାନାଂଚଳ ତଥା ରାଜସ୍ୱ ସର୍କଲରେ ଯାଉଥିଲା ସେଗୁଡିକରେ ମଧ୍ୟ ପରିବର୍ତନ ଦେଖାଗଲା। ପ୍ରଶାସନିକ ସ୍ତରରେ ଏନେଇ ପରିବର୍ତନ ହୋଇ ନଥିଲା। ୩୫ବର୍ଷରୁ ଅଧିକ ସମୟ ଧରି ଏହାର ପରିବର୍ତନ କରାନଯିବା ଫଳରେ ହନ୍ତସନ୍ତ ହେଉଛନ୍ତି ନିରୀହ ଗ୍ରାମବାସୀ। ମିଳିପାରୁନି ଉପଯୁକ୍ତ ନ୍ୟାୟ।
 

ଜିଲ୍ଲାର ଚାରିମଂଚା, ଗୋଠମରା, ରତନପୁର, ଗଣନାଥପୁର, ହରିହରପୁର, ଭଗବତପୁର, ସୁନାମୁଣ୍ଡା, ହାତୀପଥର, ପାର୍ବତୀପୁର, ମେଣ୍ଢିପାଲି, ଭାଲୁଆବାହାଳ, ଗିନାହତା, ତିରିବ, ବାବରାକାନି, ବଡଛାପଲ, ବ୍ରହ୍ମାସାଧୁବାହାଳି ଆଦି ଗ୍ରାମର ଗ୍ରାମବାସୀ ସାମାନ୍ୟ ଅଭିଯୋଗଟିଏ କରିବା ପାଇଁ ବାରକୋଟ, ଦେବଗଡ଼ ଓ ରିଆମାଳ ଥାନା ପାରି ହୋଇ ୧୨୦ରୁ ୧୫୦କି.ମି ଦୂର କୁଣ୍ଢେଇଗୋଳା ଥାନାକୁ ଯିବାକୁ ପଡ଼େ। କେବଳ ସଙ୍ଗୀନ ମାମଲାକୁ ଛାଡିଦେଲେ ଲୋକ ଅଯଥା ଖର୍ଚ୍ଚାନ୍ତ ହୋଇ ଯାଆନ୍ତି ନାହିଁ ଥାନାକୁ। ବେଳେ ବେଳେ ଏସବୁ ମାମଲା ମଧ୍ୟ ଥାନାକୁ ଆସିପାରେନାହିଁ। ଏତେ ବାଟ ୨/୩ଟି ବସ ବଦଳାଇ ଥାନାକୁ ମଧ୍ୟ ଲୋକେ ଆସନ୍ତି ନାହିଁ। ଗ୍ରାମରକ୍ଷୀ ହିଁ ସାଜନ୍ତି ଉକ୍ତ ଗ୍ରାମର ଥାନାବାବୁ। ଦେବଗଡ଼ ଏକ ମାଓବାଦୀ ଅଧ୍ୟୁଷିତ ଅଂଚଳ ହୋଇଥିଲେ ସୁଦ୍ଧା ସରକାରଙ୍କ ଘୋଷଣାନାମା କେବଳ ଏକ ଧୂଆଁବାଣ ସଦୃଶ। ୧୯୯୯ରୁ କ୍ରମାଗତ ଭାବେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ନିକଟବର୍ତୀ ବାରକୋଟ ଓ ଦେବଗଡ଼ ଥାନା ସହିତ ସେହି ଗ୍ରାମଗୁଡିକୁ ସଂଯୋଗ କରାଯିବା ନେଇ କ୍ରମାଗତ ଭାବେ ପ୍ରସ୍ତାବ ଦିଆଯାଉଥିଲେ ସୁଦ୍ଧା ଏହାର ପରିବର୍ତନ ହୋଇପାରୁନି। ପୁଣି ପ୍ରତ୍ୟେକ ବ୍ଲକର ପ୍ରତ୍ୟେକ ପଂଚାୟତକୁ ୟୁନିଟ ଭାବେ ଗ୍ରହଣ କରାଯାଇ ସେହି ବ୍ଲକର ସେତିକି ପଂଚାୟତକୁ ସେହି ଥାନାଂଚଳରେ ରଖିବା ନିମନ୍ତେ ପ୍ରସ୍ତାବ ରହିଛି। ଲଈମୁରା, କଂସର ଓ ଖଇରପାଲି ଫାଣ୍ଡିକୁ ଥାନା କରିବା ପାଇଁ ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି। ତାହା କେବେ କାର୍ଯ୍ୟକାରୀ ହେବ ସେନେଇ ବିରାଟ ପ୍ରଶ୍ନବାଚୀ ଜିଲ୍ଲା ପ୍ରଶାସନ ଆଗରେ ଉଭା ହୋଇଛି।