26 April 2017
1:32:38 PM
image
Sambad News
ଦେବଗଡ଼

ଡେରାପଥର ଝାମୁଯାତ୍ରାରେ ଗୁଣିଗାରେଡ଼ି ସନ୍ଦେହ ଘଟଣା

ନାବାଳିକା କିଶୋର ନ୍ୟାୟ ପରିଷଦରେ ହାଜର

By Sambad | Date: Dec 31 2016 10:32AM
ଡେରାପଥର ଝାମୁଯାତ୍ରାରେ ଗୁଣିଗାରେଡ଼ି ସନ୍ଦେହ ଘଟଣା

ଦେବଗଡ଼: ଗତ ଅକ୍ଟୋବର ୧୨ ତାରିଖ ଗୁଣିଗାରେଡ଼ି ସନ୍ଦେହରେ ଜଣେ ଅବିବାହିତା ଯୁବତୀଙ୍କୁ ଗୋଟିଏ ପରିବାରର ସଦସ୍ୟ ସଦସ୍ୟା ଗାଁ ଦାଣ୍ଡରେ ଅର୍ଦ୍ଧନଗ୍ନ କରି ମାଡ଼ ମାରିଥିବା ବାରକୋଟ ଥାନାରେ ଯୁବତୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ବାରକୋଟ ପୁଲିସ ଏହି ମାମଲାରେ ଶୁକ୍ରବାର ଜଣେ ନାବାଳିକା(୧୪)କୁ ଧରିଆଣି କିଶୋର ନାୟ ପରିଷଦରେ ହାଜର କରିଛି। ପରେ ତାକୁ ଦିଶା ଅସ୍ଥାୟୀ ଶିଶୁ ଆଶ୍ରୟ ଗୃହରେ ରଖାଯାଇଛି।
 

ବାରକୋଟ ଥାନା ରାଇତାବାହାଳ ପଞ୍ଚାୟତ ଡେରାପଥର ଗ୍ରାମର ଦୁର୍ଗା ମଣ୍ଡପରେ ଝାମୁ ଯାତ୍ରା (ନିଆଁରେ ଚାଲିବା ପର୍ବ) ଚାଲିଥିବା ସମୟରେ ଦିନ ପ୍ରାୟ ୧୧ଟା ସମୟରେ ଗାଁ ଦେହୁରୀଙ୍କ ପୂଜାପାଠ ଓ ଢୋଲିଆଙ୍କ ଢୋଲ ଶବ୍ଦ ମଧ୍ୟରେ ଗ୍ରାମର ଜଣେ ନାବାଳିକା (୧୪) ଦେହରେ କୁଆଡ଼େ କାଳିସୀ ଲାଗିବାରୁ ସେ ଝୁଲିବାକୁ ଲାଗିଥିଲା। ଏହି ସମୟରେ ସେ କୁଆଡ଼େ ‘‘ଉକ୍ତ ଗ୍ରାମର ଅବିବାହିତା ଯୁବତୀ ସର ସାହୁ (୩୩) ଓ ଦୁଃଶାସନ ଦେହୁରୀ ଏକ ଗଛ ମୂଳେ ଗୁଣିଗାରେଡ଼ି କରିବା ସହ ତାଙ୍କ ପରିବାରକୁ କ୍ଷତି ପହଞ୍ଚାଉଛି’’ କିଛି ବାହାରିଥିଲା।

ଏହି କ୍ରମରେ କାଳିସୀ ଲାଗିଥିବା ନାବାଳିକା ଜଣକ ନିକଟ ଏକ ଗଛରେ ରଖାଯାଇଥିବା ଏକ ଚଉପତି ଆଣି ସର ସାହୁଙ୍କ ଘର ଆଡ଼କୁ ମୁହାଁଇଥିଲା। ପଛେ ପଛେ ଢୋଲିଆ ଓ ନାବାଳିକାର ପରିବାର ସହ ୭/୮ଟି ଗ୍ରାମର ଶତାଧିକ ଲୋକ ପହଞ୍ଚିଥିଲେ। ସେଠାରେ ନାବାଳିକା ଜଣକ ଧରିଥିବା ଏକ ବାଡି ସାହାଯ୍ୟରେ ସରଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିବାରୁ ସର ନାବାଳିକା ହାତକୁ ଧରି ପକାଇଥିଲେ। ଏହା ଦେଖି ନାବାଳିକାର ପିତା ନିରନ ଦେହୁରୀ ସମେତ ତାଙ୍କ ପରିବାରର ୫ ଜଣ ସରଙ୍କୁ ପୂଜା ମଣ୍ଡପକୁ ଟାଣି ନେଇଥିଲେ।

ସେଠାରେ ସରଙ୍କ ଚୁଟି ଟାଣି ବିଧା ଓ ଗୋଇଠା ମାରିବା ସହ ଶାଢି ଖୋଲି ତଳେ ପକାଇ ଦେଇଥିଲେ। ଅର୍ଧନଗ୍ନ ଅବସ୍ଥାରେ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଠିଆ ହେବାକୁ ପଡିଥିଲା ଯୁବତୀଙ୍କୁ। ଏ ସମ୍ପର୍କରେ ସର ଉକ୍ତ ଗ୍ରାମର ଗ୍ରାମରକ୍ଷୀଙ୍କ ଦ୍ୱାରସ୍ଥ ହେବା ପରେ ସଂଧ୍ୟାରେ ତାଙ୍କ ସହ ବାରକୋଟ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ।

image