18 January 2017
7:34:20 PM
Sambad News
ଦେବଗଡ଼

କେନାଲ ଭିତରକୁ ଓଲଟିିଲା ସ୍କୁଲ ଗାଡ଼ି

By Sambad | Date: Jan 4 2017 7:01AM
କେନାଲ ଭିତରକୁ ଓଲଟିିଲା ସ୍କୁଲ ଗାଡ଼ି

ଏସ୍‌.ରାମପୁର:  ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ଆଜି ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୮ ଜଣ ଛାତ୍ରଛାତ୍ରୀ। ରାମପୁର ନିକଟ କଟାପାଲି, ଭାଲୁପାଲି ଓ ଟାଙ୍ଗରକର୍ଲେ ଗ୍ରାମର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଟାଟା ମେଜିକ ଗାଡ଼ି (ଓଆର୍‌୧୭ଏଚ୍‌-୧୦୦୯) ବଡ଼କର୍ଲେ ମାଇନର କେନାଲ ରାସ୍ତାରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟାଙ୍ଗରକର୍ଲେ ଗାନ୍ଧୀଟିକରା ନିକଟସ୍ଥ ଚନ୍ଦଳି ରାସ୍ତା ବ୍ରିଜ୍‌ ପାଖରେ କେନାଲ ଭିତରକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଗାଡ଼ିକୁ ଟେକି ସଳଖ କରିବା ସହ ଗାଡ଼ି ଭିତରେ ଥିବା ଟାଙ୍ଗରକର୍ଲେର ଆଦ୍ୟାଶା ପଧାନ (୯), ଆରାଧ୍ୟା ପଧାନ (୬), ସାନଭାଲୁପାଲି ଗ୍ରାମର ଆର୍ଦ ପତି (୬), ମୀନାକ୍ଷୀ ଦାସ (୭), ରୁପେଶ ସେଠ୍‌ (୯), କଟାପାଲି ଗ୍ରାମର ସମୀକ୍ଷା ପଧାନ (୯) ଓ ସୁମି ପଧାନ (୬)ଙ୍କୁ ଗାଡ଼ି ଭିତରୁ ବାହାର କରିଥିଲେ। ଏହି ଘଟଣାର ଖବର ପାଇ ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଚି ଲୋକଙ୍କ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଛାତ୍ରଛାତ୍ରୀଙ୍କୁ ରାମପୁର ଡାକ୍ତରଖାନାକୁ ଆଣିଥିଲେ।

ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଡ୍ରାଇଭର ଧୀରେନ୍ଦ୍ର ବଗର୍ତ୍ତୀ (୨୪) ଜୀବନ ବିକଳରେ ନିକଟରେ ଥିବା ଏକ ଘର ଭିତରକୁ ପଶିଯିବାରୁ ଘର ମାଲିକ ବାହାରପଟୁ ତାଲା ପକାଇ ଦେଇଥିଲେ। ଘଟଣା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ଓ ଅଭିଭାବକମାନେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରକୁ ଘରୁ ବାହାର କରିବା ପାଇଁ ପୁଲିସକୁ ନାକେଦମ କରିଥିଲେ। ବିନିକା ଆଇଆଇସି ରୀନା ବେହେରା, ସୋନପୁର ଏସ୍‌ଡିପିଓ ଭବାନୀଶଙ୍କର ଉଦ୍‌ଗାତା ପୁଲିସ୍‌ ଫୋର୍ସ ସହିତ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ଡ୍ରାଇଭରକୁ ଘରୁ ବାହାର କରି ଗିରଫ କରିଥିଲେ। ଅଭିଭାବକ ବଳଦେବ ପଧାନ, ବିକାଶ ପତି ଓ ଅନ୍ୟମାନେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା ରୁଜୁ ହୋଇ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯାଇଛି।
 

ରାମପୁରର ପ୍ରମୋଦ ମିସ୍ତ୍ରୀ ବୌଦ୍ଧ ଥାନା ଦହ୍ୟା ଗ୍ରାମର ଗଣ୍ଢେଶ୍ୱର ମେହେରଙ୍କଠାରୁ ଏହି ଗାଡ଼ି କିଣିଛନ୍ତି। ବର୍ତ୍ତମାନ ସୁଦ୍ଧା ମାଲିକାନା ପରିବର୍ତ୍ତନ ହୋଇନଥିବା ବେଳେ ଗାଡ଼ି ମାଲିକ ପାଖରେ କାଗଜପତ୍ର କିଛି ନଥିବା ଜଣାପଡ଼ିଛି। ଡ୍ରାଇଭର ଧୀରେନ୍ଦ୍ରଙ୍କ ବି ଲାଇସେନ୍ସ ନଥିବା ଜଣାପଡ଼ିଛି। ରାମପୁର ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସାହୁ ଓ ସଭାପତି ସୀତାରାମ ବେହେରାଙ୍କୁ ପିଲାମାନଙ୍କ ପରିବହନ ସଂପର୍କରେ ପଚାରିବାରୁ ସ୍କୁଲ କୌଣସି ଗାଡ଼ି ଛାତ୍ରଛାତ୍ରୀମାନଙ୍କୁ ନେବା ଆଣିବା ପାଇଁ ଲଗାଇ ନାହିଁ ବା ଯଦି ସରସ୍ୱତୀ ଶିଶୁ ମନ୍ଦିର ନାଁରେ କେହି ଯଦି ଗାଡ଼ି ଚଳାଉଛି ତାହା ଆମେ ଜାଣିନାହୁଁ ବୋଲି କହିଥିଲେ।