28 March 2017
7:24:10 PM
Sambad News
ଦେବଗଡ଼

ଶୁଖିଯାଇଛି ଗୋହିରା ବନ୍ଧ

By Sambad | Date: Jan 5 2017 10:13AM
ଶୁଖିଯାଇଛି ଗୋହିରା ବନ୍ଧ

ଦେବଗଡ଼,: ଦେବଗଡ଼ ଜିଲ୍ଲା ଏକ ଶିଳ୍ପବିହୀନ ଜିଲ୍ଲା ହୋଇଥିବା ଦୃଷ୍ଟିରୁ ଏହି ଅଂଚଳରେ ଲୋକେ ମୁଖ୍ୟତଃ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରି ଆସୁଛନ୍ତି। ଏଥିପାଇଁ ୧୯୭୭ରେ ତିଲେଇବଣୀ ବ୍ଲକର ଆମ୍ବଘାଟଠାରେ କରାଯାଇଥିଲା ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ। ଉକ୍ତ ମଧ୍ୟମ ଜଳସେଚନ ପ୍ରକଳ୍ପର ପାଣି ନିଜ ଜମିରେ ଜଳସେଚିତ କରି ରିଆମାଳ ଓ ତିଲେଇବଣୀ ବ୍ଲକର ପ୍ରାୟ ୩୦ ଗ୍ରାମର ଲୋକମାନେ ଆଳୁ ଓ ତୈଳବୀଜ ଚାଷ କରି ବେଶ ଲାଭବାନ ହେଉଛନ୍ତି। ଏଥର ବର୍ଷା ଅଭାବ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପରେ ପାଣି ମଧ୍ୟ ଶୁଖିଯାଇଛି। ଏଥିପାଇଁ ଚାଷୀମୁଣ୍ଡରେ ଚଡ଼କ ପଡ଼ିଛି।

ପ୍ରକଳ୍ପର ପୁନରୁଦ୍ଧାର ଅଭାବରୁ ଏବେ ତାହା ପୋତି ହୋଇ ଯାଉଛି। ସରକାର ରେଙ୍ଗାଳୀ ବିସ୍ଥାପିତ ଲୋକଙ୍କ ଚାଷ ଜମିରେ ଜଳସେଚିତ କରିବା ଲକ୍ଷ୍ୟ ରଖି ଏହି ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ କରିଥିଲେ। ଏହାର  ଚେକ ଡେମ ଏରିଆ ହେଉଛି ୨୩୬ ବର୍ଗକିମି। ରବିଚାଷ ପାଇଁ ୫୭୦୦ ହେକ୍ଟର ଓ ଖରିଫ ଚାଷ ପାଇଁ ୮୧୨୦ ହେକ୍ଟର ଜମିରେ ଉକ୍ତ ପ୍ରକଳ୍ପ ଦ୍ଵାରା ଜମିରେ ଜଳସେଚନ କରାଯିବାର କ୍ଷମତା ରହିଛି। ଉକ୍ତ ଅଂଚଳର ଲୋକମାନେ ଆଳୁ ଓ ତୈଳବୀଜ ଚାଷ କରି ବେଶ ଲାଭମାନ ହୁଅନ୍ତି। କନ୍ତୁ, ଚଳିତ ବର୍ଷ ବର୍ଷାଭାବ ଓ ଜଳଭଣ୍ଡାରରେ ଜଳାଭାବ ଯୋଗୁଁ ରିଆମାଳ ବ୍ଲକ ଓ ତିଲେଇବଣୀ ବ୍ଲକର ପ୍ରାୟ ୩୦ରୁ ଅଧିକ ଗ୍ରାମ ରବି ଚାଷ ପାଇଁ ପ୍ରଭାବିତ ହେବାକୁ ଯାଉଛନ୍ତି। ଫସଲ ନଷ୍ଟ ସାଂଗକୁ ଚାଷରେ ପାଣି ଅଭାବ ଯୋଗୁଁ ଚାଷୀ ମୁଣ୍ଡରେ ଏକପ୍ରକାର ଚଡ଼କ ପଡ଼ିଲାଣି।

ଉକ୍ତ ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଜଳଭଣ୍ଡାର ପୋତି ହେବାକୁ ବସୁଛି  ଏବଂ ଜଳସେଚନ ପ୍ରକଳ୍ପ ବର୍ତ୍ତମାନ ଶୁଖିଯାଇଛି। ଏନେଇ ବିଭାଗୀୟ ଯନ୍ତ୍ରୀ କୁମୁଦବନ୍ଧୁ ବାରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ ବର୍ତ୍ତମାନ ପାଣ୍ଠି ନାହିଁ। ପାଣ୍ଠି ଆସିଲେ ଏହାର ପୁନରୁଦ୍ଧାର କରାଯିବ। ତେବେ, ବର୍ଷାଭାବ ଯୋଗୁଁ ବନ୍ଧରେ ପାଣି ନଥିବା ସେ ସ୍ୱୀକାର କରିଥିଲେ। ଯଦି ଗୋହିରା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କରା ନଯାଏ ତେବେ ତାହା ମାଟିରେ ପୋତି ହୋଇଯିବ ବୋଲି ଆଶଙ୍କା ମଧ୍ୟ କରାଯାଉଛି।