23 May 2017
5:59:44 PM
image
Sambad News
ରାଜନୀତି

ଅଣ୍ଡାମାଡ଼ କରିଥିବା କଂଗ୍ରେସ ନେତା ବିଜେଡିରେ ମିଶିଲେ

By Sambad | Date: Jan 6 2017 6:07AM
ଅଣ୍ଡାମାଡ଼ କରିଥିବା କଂଗ୍ରେସ ନେତା ବିଜେଡିରେ ମିଶିଲେ

ଦେବଗଡ଼ : ପଂଚାୟତ ନିର୍ବାଚନ ବିଗୁଲ ଦେବଗଡ଼ ଜିଲ୍ଲାରେ ବାଜିଥିବା ବେଳେ ଜିଲ୍ଲାର ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଦଳଡିଆଁ ରାଜନୀତି। ଗତ ୩୦ ତାରିଖ ରିଆମାଳ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିଶାନୀ ବେହେରାଙ୍କ ସମେତ ୧୪ଟି ପଂଚାୟତର ୩୫୨ ଜଣ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ଗୁରୁବାର ପୁଣି କଂଗ୍ରେସର ଟାଣୁଆ ନେତା ତଥା ବର୍ତ୍ତମାନର ଦେବଗଡ଼ ପୌର ପରିଷଦର କାଉନସିଲର ଧର୍ମେନ୍ଦ୍ର ଦେବତାଙ୍କ ସମେତ ୬୬୫ ଜଣ କଂଗ୍ରେସ କର୍ମୀ ଭୁବନେଶ୍ୱରରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି।   
 
ସୂଚନାଯୋଗ୍ୟ ଯେ, ଗତବର୍ଷ ଜାନୁଆରି ୫ ତାରିଖରେ ତତ୍‌କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଦେବଗଡ଼ ଗସ୍ତ ସମୟରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଘଟଣାର ଠିକ୍‌ ବର୍ଷେ ପୂରିଲା ଦିନ ସେ ବିଜେଡିରେ ସାମିଲ ହୋଇଛନ୍ତି।  ଶ୍ରୀ ଦେବତା ତିନି ଥର କାଉନସିଲର ରହି ଆସିଛନ୍ତି। ଏନେଇ ଜିଲା ବିଜେଡି ସଭାପତି ସୁଧିର କପରଦାର ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଅଧିକ ଆସନରେ ବିଜୟୀ ହେବ ବୋଲି ପ୍ରକାଶ କରିଥିବା ବେଳେ କଂଗ୍ରେସ ଜିଲ୍ଲା ସଭାପତି ସେମ ହେମରମ ମାତ୍ର ୪/୫ ଜଣ କର୍ମାଙ୍କୁ ଛାଡ଼ିଦେଲେ କେହି କଂଗ୍ରେସର କର୍ମୀ ନଥିଲେ ବୋଲି କହିଛନ୍ତି।

image